ଭୁବନେଶ୍ବର: ‘ସାଙ୍ଗ ହୋଇ ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଭଲ ପାଇଲେ। ସୁଯୋଗ ନେଇ ମୋ ଝିଅର ଅଶ୍ଳୀଳ ଭିଡିଓ ରେକର୍ଡିଂ କଲା। ଏବେ ଟଙ୍କା ପାଇଁ ମୋତେ ଓ ମୋ ଝିଅକୁ ବ୍ଲାକମେଲ୍ କରୁଛି।’ ଏଭଳି ଏକ ଅଭିଯୋଗକୁ ଆଧାର କରି ନୂଆପଲ୍ଲୀ ଥାନା ପୁଲିସ୍ ଜଣେ ଯୁବକକୁ ହାଇଦ୍ରାବାଦରୁ ଗିରଫ କରିଛି। ସେ ହେଲା, ଯାଜପୁର ମଙ୍ଗଳପୁରର ଆଶିଷ କର। ହାଇଦ୍ରାବାଦ କୋର୍ଟରେ ଆଶିଷକୁ ହାଜର କରାଯିବା ପରେ ଟ୍ରାନ୍ଜିଟ୍ ରିମାଣ୍ଡରେ ତାକୁ ଭୁବନେଶ୍ବର ଆଣିଛି ପୁଲିସ। ତା’ ନିକଟରୁ ୨ଟି ମୋବାଇଲ୍ ଜବତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ନୂଆପଲ୍ଲୀ ତ୍ରିନାଥନଗର ବସ୍ତିରେ ଅଭିଯୋଗକାରୀ ତ୍ରିଲୋଚନ ରୁହନ୍ତି। ତାଙ୍କ ସାନଭାଇ ପାଖରେ ତାଙ୍କ ଝିଅ ଓ ଅଭିଯୁକ୍ତ ଆଶିଷ ଚାକିରି କରୁଥିଲେ। ଚାକିରି କରିବା ସମୟରେ ଆଶିଷ ସହ ଝିଅର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିନ୍ତୁ ଆଶିଷର ଉଦ୍ଦେଶ୍ୟ ଅଲଗା ଥିଲା। ସୁଯୋଗ ଦେଖି ସେ ଯୁବତୀଙ୍କର ଏକ ଅଶ୍ଳୀଳ ଭିଡିଓ କରିନେଇଥିଲା ଓ ପରେ ତାକୁ ନେଇ ଯୁବତୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା। ଏ ସଂପର୍କରେ ତ୍ରିଲୋଚନ ଜାଣିବା ପରେ ଭିଡିଓ ଡିଲିଟ୍ କରିବାକୁ ଆଶିଷକୁ କହିଥିଲେ। ଡିଲିଟ୍ ନ କଲେ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ। କିନ୍ତୁ ସେ ଭିଡିଓ ଡିଲିଟ୍ କରିବା ପରିବର୍ତ୍ତେ ଟଙ୍କା ଦାବି କରି ଧମକ ଦେଇଥିଲା। ଥାନାକୁ ଗଲେ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବ ବୋଲି କହିଥିଲା। ତେଣୁ ବାଧ୍ୟ ହୋଇ ଗତ ୨୬ ଜୁନ୍ରେ ତ୍ରିଲୋଚନ ଓ ତାଙ୍କ ଝିଅ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହା ଜାଣିପାରି ଆଶିଷ ଫେରାର୍ ହୋଇଯାଇଥିଲା। ପୁଲିସ ବହୁ ତନାଘନା କରିବା ପରେ ଆଶିଷ ହାଇଦ୍ରାବାଦର ବନ୍ଜାରା ଥାନା ଅନ୍ତର୍ଗତ ପାର୍କ-ଭ୍ୟୁ ଏନ୍କ୍ଲେଭ୍ରେ ରହୁଥିବା ଜଣାପଡ଼ିଥିଲା। ବନ୍ଜାରା ପୁଲିସ୍ ସହାୟତାରେ କମିସନରେଟ୍ ପୁଲିସ ସେଠାରେ ଚଢ଼ଉ କରି ତାକୁ ଧରିଥିଲା।