ଚନ୍ଦ୍ରଶେଖରପୁର : ନାଲକୋ ଛକ ନିକଟରେ ଥିବା ପ୍ରମୁଖ ଏକ ଘରୋଇ ଇଂଜିନିୟରିଂ କଲେଜ୍ ମାଲିକଙ୍କଠାରୁ ବଟି ଆଦାୟ କରିବା ଘଟଣାରେ ଗିରଫ ହୋଇଥିବା ଯୁବକମାନଙ୍କୁ ସମର୍ଥନ କରି ଏକ ଭିଡିଓ ଭାଇରାଲ୍ କରିଛନ୍ତି ଜଣେ ଯୁବତୀ। ଯୁବତୀ ଜଣକ ଏକ ବନ୍ଦ କୋଠରୀରେ ନିଜର ଭିଡିଓ କରି ତାଙ୍କୁ ସଂପୃକ୍ତ କଲେଜ ମାଲିକ ଅସଦାଚରଣ କରିଥିବା କହିଛନ୍ତି। ତେବେ ଏ ନେଇ ସେ ଥାନାରେ କାହିଁକି ଅଭିଯୋଗ କରି ନଥିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ଭିଡିଓ ମାଧ୍ୟମରେ ଯୁବତୀ ଜଣକ କହିଛନ୍ତି, ସେ ଅସଦାଚରଣର ଶିକାର ହୋଇଛନ୍ତି। ଏହି ଘଟଣାକୁ ଲୁଚାଇବାକୁ ଯାଇ କଲେଜ ମାଲିକ ତାଙ୍କ ବନ୍ଧୁମାନଙ୍କ ନାଁରେ ଥାନାରେ ଅଭିଯୋଗ କରି ସେମାନଙ୍କୁ ଫସାଇଛନ୍ତି। ସେ ଆଗାମୀ ଦିନରେ କୋର୍ଟରେ ପ୍ରମାଣ ସହ କଲେଜ ମାଲିକଙ୍କ ବିରୋଧରେ ସାକ୍ଷ୍ୟ ଦେବେ ବୋଲି କହିଛନ୍ତି। ଏନେଇ ଉକ୍ତ କଲେଜର ଜଣେ ବରିଷ୍ଠ ଅଧିକାରୀ କରିଛନ୍ତି ଯେ, ଦେବାଶିଷ(ବାପି) ଲୋକଙ୍କୁ ଧମକାଇ ସେମାନଙ୍କଠାରୁ ବଟି ଆଦାୟ କରୁଥିଲା। କଲେଜ ମାଲିକ ତାଙ୍କୁ ବଟି ନଦେବାରୁ ସେ ଯୁବତୀଙ୍କୁ ଢାଲ କରି ତାଙ୍କୁ ଫସାଇ ବ୍ଲାକ୍ମେଲ୍ କରି ୫ଲକ୍ଷ ଟଙ୍କା ନେଇଥିଲା। ଅଧିକ ଟଙ୍କା ପାଇଁ ତାଙ୍କୁ କିଛି ଦିନପୂର୍ବେ ଅପହରଣକରି ଆଉ ୫ଲକ୍ଷ ଟଙ୍କା ମାଗିଥିଲା। ସୂଚନାଯୋଗ୍ୟ ଯେ, ୫ ଲକ୍ଷ ଟଙ୍କା ଦାବି ବଦଳରେ କଲେଜ୍ ମାଲିକଙ୍କୁ ଅପହରଣ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗତ ଶନିବାର ଦିନ ୪ଜଣ ଯୁବକ ଦେବାଶିଷ ନାୟକ(ବାପି), ରାଜେନ୍ଦ୍ର ନାୟକ(ରାଜା), ପବିତ୍ର ନାୟକ ଓ ନିଧିରାମ ସ୍ୱାଇଁଙ୍କୁ ଗିରଫକରି ଜେଲ୍ ପଠାଇଥିବା ବେଳେ ଗତକାଲି ରାତିରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକରଖି ଘଟଣା ବିଷୟରେ ପଚରାଉଚରା କରୁଛି। ତେବେ ଆଜି ଭିଡିଓ ଭାଇରାଲ୍ କରିଥିବା ଯୁବତୀଙ୍କ ବିଷୟରେ ପୁଲିସ୍ ଖୋଳତାଡ଼ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/mf.jpg)