ନଗ୍ନ ଭିଡିଓରେ ବ୍ଲାକ୍‌ମେଲ୍‌, ଲକ୍ଷାଧିକ ଟଙ୍କା ନେଇସାରିଛି ଶଠ ପ୍ରେମିକ, ପୁଣି ଗହଣା ବିକିଥା‌ନ୍ତେ ଯୁବତୀ

ଭୁବନେଶ୍ବର: ପ୍ରଥମେ ପ୍ରେମ ଜାଲ‌ରେ ଫସାଇଲା। ମଉକା ଦେଖି ପ୍ରେମିକାର ନଗ୍ନ ଭିଡିଓ ରେକର୍ଡିଂ କରିନେଲା। ତା’ପରେ ଦେଖାଇଲା ଅସଲ ଚେହେରା। ଆରମ୍ଭ କଲା ବ୍ଲାକମେଲ୍। ଦାବି ମୁତାବକ ଟଙ୍କା ନଦେଲେ, ନଗ୍ନ ଭିଡିଓ ସବୁକୁ ପରିବାର ଲୋକଙ୍କୁ ପଠାଇବା ସହ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ କରିବ ବୋଲି ଧମକ ଦେଲା। ବ୍ଲାକ୍‌ମେଲ୍‌ କରି ଯୁବତୀଙ୍କୁ ଅଣନିଃଶ୍ବାସୀ କରିପକାଇଲା। ପ୍ରେମିକର ବିଶ୍ବାସଘାତକତା ଜଣାପଡ଼ିବା ବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହିଗଲାଣି। ଯୁବତୀ ଲୋକଲଜ୍ଜା ଭୟରେ ଶଠ ପ୍ରେମିକକୁ ଟଙ୍କା ଗଣିବାରେ ଲାଗିଲେ। ବିଭିନ୍ନ ପର୍ଯ୍ୟାୟ‌ରେ ଯୁବତୀ ଜଣକ ଲକ୍ଷା‌ଧିକ ଟଙ୍କା ଗଣିବା ପରେ ବି ଧୂର୍ତ୍ତ ଲୋଭ ଛାଡ଼ିନଥିଲା। ବାରମ୍ବାର ବ୍ଲାକ୍‌ମେଲା କଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ ଯୁବତୀ ଘରୁ ମା’ଙ୍କ ଗହଣା ଚୋରି କରିବାକୁ ବାଧ୍ୟ ହେଲେ। ମାତ୍ର ଧରାପଡ଼ିଗଲେ। ଗହଣା ଚୋରିରୁ ବ୍ଲାକ୍‌ମେଲ୍‌ର କଥା ପରିବାର ଲୋକେ ଜାଣିଲେ। ଏବେ ସେମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଥାନାକୁ କଥା ଯିବା ଜଣାପଡ଼ିବା ପରେ ଶଠ ପ୍ରେମିକ ଫେରାର୍ ହୋଇଯାଇଛି।

ସୂଚନାନୁଯାୟୀ ନୂଆପଲ୍ଲୀ ନୀଳକଣ୍ଠନଗର ଅଞ୍ଚଳରେ ରହୁଥିବା ଏହି ଯୁବତୀ ଗତ କିଛି ମାସ ତଳେ ଦିନେ ସନ୍ଧ୍ୟାରେ ପାର୍କରେ ବୁଲୁଥିବା ବେଳେ ଉକ୍ତ ଶଠକୁ ଭେଟିଥିଲେ। ପ୍ରଥମ ଦେଖାରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟଙ୍କ ମଧ୍ୟରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା, ଚାଟିଂ ଓ ଭିଡିଓ କଲ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ଯୁବତୀ ଜଣକ ଶଠକୁ ଚିହ୍ନିବାରେ ଭୁଲ୍‌ କରିବସିଲେ। ତାକୁ ପୂରା ବିଶ୍ବାସ କରିନେଲେ ଓ ଗୋଡ଼ ଖସାଇଦେଲେ।

ଫଳରେ ଉଭୟଙ୍କ ମଧ୍ୟରେ ନ୍ୟୁଡ୍ ଭିଡିଓ କଲ୍ କରି କଥାବାର୍ତ୍ତା ହେଲା। ଏହି ମଉକାକୁ ଅପେକ୍ଷା କରିଥିଲା ଶଠ ପ୍ରେମିକ। ନ୍ୟୁଡ୍ ଭିଡିଓ ରେକର୍ଡିଂ କଲା ପରେ ଶଠର ଅସଲ ଚେହେରା ଯୁବତୀ ଜାଣିବାକୁ ପାଇଲେ। ଧୂର୍ତ୍ତ ରେକର୍ଡିଂ କରିଥିବା ସବୁ ନଗ୍ନ ଭିଡିଓକୁ ଯୁବତୀଙ୍କ ପାଖକୁ ହ୍ବାଟ୍ସଆପ୍‌ରେ ପଠାଇ ଭାଇରାଲ୍ କରିବ ବୋଲି ଧମକ ଦେଇଥିଲା। ଟଙ୍କା ଦେବାକୁ ଦାବି କରି ବ୍ଲାକ୍‌ମେଲ୍‌ କଲା। ତେଣୁ ଯୁବତୀ ଜଣକ ବାଧ୍ୟ ହୋଇ ଶଠ ପ୍ରେମିକକୁ କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଘରୁ ଟଙ୍କା ଚୋରି ପ୍ରାୟ ଲକ୍ଷାଧିକ ଟଙ୍କା ଦେଲେ। ତଥାପି ଶଠ ପ୍ରେମିକ ଯୁବତୀଙ୍କ ପିଛା ଛାଡ଼ିଲା ନାହିଁ। ଶେଷରେ ତାକୁ ଟଙ୍କା ଦେବା ପାଇଁ ଯୁବତୀ ମା’ଙ୍କ ସୁନା ଗହଣା ଚୋରି କରୁଥିଲେ। କିନ୍ତୁ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଗଲେ। ପଚରାଉଚରା ପରେ ଯୁବତୀ ବାଧ୍ୟ ହୋଇ ସତ କହିଲେ। ଏବେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୋଗ ପାଇବା ପରେ ଧୂର୍ତ୍ତର ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରିବା ଆରମ୍ଭ କରିଛି। ତାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର