ସୋସିଆଲ ମିଡିଆରେ ସୁନ୍ଦରୀଙ୍କ ଫେକ୍‌ ଆକାଉଣ୍ଟ୍‌ରେ ବ୍ଲାକ୍‌ମେଲ୍‌: ଭୁବନେଶ୍ବରରୁ ଧୂର୍ତ୍ତକୁ ଉଠାଇଲା ମୁମ୍ବାଇ ପୁଲିସ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ସୁନ୍ଦରୀ ଯୁବତୀଙ୍କ ନାଁରେ ଜାଲ୍‌ ଆକାଉଣ୍ଟ୍‌ ଖୋଲି ଯୁବକଙ୍କୁ ଫସାଉଥିଲା ଧୂର୍ତ୍ତ। ଅଶ୍ଳୀଳ ଭିଡିଓ ପଠାଇ ଚାଟିଂ କରୁଥିଲା। ଶେଷରେ ସେକ୍ସଟର୍ସନ ଜାଲରେ ଫସାଇ ବ୍ଲାକ୍‌ମେଲ୍‌ କରୁଥିଲା ଓ ମୋଟା ଅଙ୍କ ଦାବି କରି ଲୁଟୁଥିଲା। ଏମିତି ଏକ ଧୂର୍ତ୍ତକୁ ଆଜି ଭୁବନେଶ୍ବରରୁ ଉଠାଇଛି ମୁମ୍ବାଇ ପୁଲିସ। ଭରତପୁର ଥାନା ପୁଲିସ ସହାୟତାରେ ଶ୍ୟାମପୁର ଦୁର୍ଗାମାଧବନଗର ଅଞ୍ଚଳରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତ ହେଉଛି ଦେବାଶିଷ ଓରଫ ସାଗର କୀର୍ତ୍ତନିଆ(୨୦)। ତାକୁ ଭୁବନେଶ୍ବର କୋର୍ଟରେ ହାଜର କରାଯିବା ପରେ ମୁମ୍ବାଇ ପୁଲିସ ଟ୍ରାନ୍‌ଜିଟ୍ ରିମାଣ୍ଡରେ ନେଇଛି।

ସୂଚନାନୁସାରେ ଗତ କିଛି ମାସ ପୂର୍ବେ କୀର୍ତ୍ତନିଆ ମୁମ୍ବାଇରେ ରହୁଥିଲା। ସେଠାରେ ରହଣି ସମୟରେ ସେ ସାମାଜିକ ଗଣମାଧ୍ୟମରେ ଅନେକ ଯୁବତୀଙ୍କ ନାଁରେ ଫେକ୍ ଆକାଉଣ୍ଟ୍ ଖୋଲିଥିଲା। ସେହି ଫେକ୍ ଆକାଉଣ୍ଟ୍‌ରୁ ସେ ଯୁବକମାନଙ୍କ ସହ ଯୋଗଯୋଗ କରି ଅଶ୍ଳୀଳ ଭିଡିଓ ପଠାଉଥିଲା। ଖରାପ ଚାଟିଂ ମଧ୍ୟ କରୁଥିଲା। ମଝିରେ ମଝିରେ ଭିଡିଓ କଲ୍ କରି ସୁନ୍ଦରୀଙ୍କ ଅଶ୍ଳୀଳ ଭିଡିଓ ଦେଖାଇବା ବାହାନାରେ ଯୁବକମାନଙ୍କ ମୁହଁ ରେକର୍ଡିଂ କରୁଥିଲା। ଏହା ପରେ ସେ ବ୍ଲାକମେଲିଂ କରି ଯୁବକମାନଙ୍କ ଠାରୁ ଟଙ୍କା ଲୁଟିଥିଲା। ଏନେଇ ମୁମ୍ବାଇ ପୁଲିସ ପାଖରେ ଅଭିଯୋଗ ହେବା ପରେ ସେ ଓଡ଼ିଶା ପଳାଇ ଆସିଥିଲା। ତେବେ ଧରା ପଡ଼ିବା ଭୟରେ ସେ ନିଜ ଘର ମାଲକାନଗିରି ନଯାଇ ଭୁବନେଶ୍ବରରେ ଭରତପୁରରେ ଛପି ରହିଥିଲା। ସୂଚନାଯୋଗ୍ୟ ପର୍ଣ୍ଣ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ କୀର୍ତ୍ତନିଆର ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପୁଲିସ ଏହାକୁ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର