ପୁରୁଣା ଭୁବନେଶ୍ୱର: ମାଲିକାଣୀଙ୍କୁ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଆଜି ଏୟାର୍ପୋର୍ଟ ଥାନା ପୁଲିସ ମହିଳାଙ୍କ ପୂର୍ବତନ କାର୍ ଚାଳକକୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଶ୍ରୀଲିଙ୍ଗରାଜ ଥାନା ମହତାବ୍ ରୋଡ୍ରେ ରହୁଥିବା ଅତନୁ ପ୍ରିୟଦର୍ଶୀ ସେନାପତି(୨୩)। ମାଲିକାଣୀଙ୍କ କାର୍ ଚଳାଇବା ଛାଡ଼ିବା ପରେ ଅତନୁ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଇବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ଧମକ ଦେଉଥିଲା ବୋଲି ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଅତନୁ ପୂର୍ବରୁ ଅଭିଯୋଗକାରିଣୀଙ୍କ କାର୍ ଚଳାଉଥିଲା। ଏହା ଭିତରେ ଅତନୁ ସହ ମାଲିକାଣୀଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହି ସମ୍ପର୍କ କେବଳ ଭିଡିଓ କଲ୍ ଓ ମୋବାଇଲ୍ ଫୋନ୍ରେ ଅଶ୍ଳୀଳ ଭିଡିଓ ସେୟାର୍ କରିବା ଭିତରେ ସୀମିତ ଥିଲା। ପରେ କୌଣସି କାରଣରୁ ସେ ଉକ୍ତ ମାଲିକାଣୀଙ୍କ କାର୍ ଚଳାଇବା ଛାଡ଼ି ଦେଇଥିଲା। କିନ୍ତୁ ଏହା ପରେ ବି ମୋବାଇଲ୍ ଫୋନ୍ ଯୋଗେ ଭିଡିଓ କଲ୍ କରି କଥା ହେବା ଓ ଅଶ୍ଳୀଳ ଭିଡିଓ ସେୟାର କରିବା ଜାରି ରହିଥିଲା। ହଠାତ୍ ଅତନୁ ମାଲିକାଣୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନ ବଳାଇଲା ଓ ଫୋନ୍ କରି ମନ କଥା କହିଲା। ମାତ୍ର ମାଲିକାଣୀ ଏଥିରେ ସହମତ ହୋଇନଥିଲେ। ତେଣୁ ଅତନୁ ବ୍ଲାକମେଲିଂ କରିବା ଆରମ୍ଭ କଲା। ଭିଡିଓଗୁଡ଼ିକ ସ୍ବାମୀଙ୍କ ପାଖକୁ ପଠାଇବ ବୋଲି ମହିଳାଙ୍କୁ ଧମକ ଦେଲା। ମାତ୍ର ମାଲିକାଣୀ ତା’ ଧମକକୁ ଖାତିର୍ ନ କରିବାରୁ ଅତନୁ ତାଙ୍କ ସ୍ବାମୀଙ୍କ ପାଖକୁ ସେମାନଙ୍କ ଅନ୍ତରଙ୍ଗ କଥାବାର୍ତ୍ତାର ଏକ ଭିଡିଓ କ୍ଲିପ୍ ପଠାଇଦେଲା। କଥା ବଢ଼ିବା ଦେଖି ମହିଳା ଜଣକ ବାଧ୍ୟ ହୋଇ ଏୟାର୍ପୋର୍ଟ ଥାନା ପୁଲିସର ସହାୟତା ଲୋଡ଼ିଥିଲେ ଓ ଲିଖିତ ଅଭିଯୋଗ କରିଥିଲେ।