ଭୁବନେଶ୍ବର: ଖବର ପ୍ରସାରଣ କରୁଥିବା ୱେବ୍ ପୋର୍ଟାଲ୍ଟିର ନାଁ ହେଉଛି ‘ଦୁର୍ନୀତି ଲାଇଭ୍’। ସାରା ରାଜ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ଏହି ଚ୍ୟାନେଲ୍ ବେଶ୍ ଗର୍ଜନ କରୁଥିଲା। କିନ୍ତୁ ଭିତରେ ଛପିଥିଲା ଭିନ୍ନ ଏକ ଚେହେରା। ଦୁର୍ନୀତି ପର୍ଦ୍ଦାଫାସ୍ କରିବା ବାହାନାରେ କାହାକୁ ବ୍ଲାକ୍ମେଲିଂ କରି ଟଙ୍କା ଲୁଟିବା ତ କାହାକୁ ଦାଦାବଟି ମାଗିବା ଥିଲା ଅସଲ କାମ। ୱେବ୍ ପୋର୍ଟାଲ୍କୁ ଢାଲ କରି ଏକ କଳା ସାମ୍ରାଜ୍ୟ କରିଥିବା ଶଠ ସାମ୍ବାଦିକର ପରିଣତି କିନ୍ତୁ ଭଲ ହୋଇନାହିଁ। ଜଣେ ମହିଳାଙ୍କୁ ବ୍ଲାକ୍ମେଲ୍ କରିବା ଏହି ସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମହିଳାଙ୍କ ଫଟୋକୁ ଏଡିଟ୍ କରିବା ସହ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକ୍ମେଲ୍ କରୁ କରୁ ଫସିଯାଇଛି ପୋର୍ଟାଲ୍ ମୁଖ୍ୟ। ଆଳୁ ଖୋଳଖୋଳୁ ମହାଦେବ ମିଳିବା ନ୍ୟାୟରେ ବେଆଇନ୍ଭାବେ ନିର୍ମିତ ପୋର୍ଟାଲ୍ର ଅସଲି ପୋଲ୍ ଖୋଲି ଯାଇଛି। ଶେଷରେ କମିସନରେଟ୍ ପୁଲିସ ପୋର୍ଟାଲ୍ ମୁଖ୍ୟ ସୌମ୍ୟରଞ୍ଜନ ସାମନ୍ତରାୟକୁ ଗିରଫ କରିଛି।
ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ହରିପୁର ଗ୍ରାମର ସୌମ୍ୟରଞ୍ଜନ ସାମନ୍ତରାୟ ନିଜେ ‘ଦୁର୍ନୀତି ଲାଇଭ୍’ ନାମକ ଏକ ୱେବ୍ ପୋର୍ଟାଲ୍ କରିଥିଲା। ରାଜଧାନୀ ସମେତ ଖୋର୍ଦ୍ଧା, ବାଲୁଙ୍ଗା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସାମ୍ବାଦିକ ନିଯୁକ୍ତି କରିଥିଲା। ବିଭିନ୍ନ ଖବର ପ୍ରସାରଣ କରିବା ଧମକ ଦେଇ ସେ ନେତା ଓ ଅଧିକାରୀମାନଙ୍କଠାରୁ ବଟି ନେଉଥିଲା। ନେତା, ଯନ୍ତ୍ରୀ, ଠିକାଦାର ଓ ବସ୍ ମାଲିକଙ୍କୁ ମାସିକିଆ ଚାନ୍ଦା ଦେବାକୁ ଧମକ ଦେଉଥିଲା। କେହି ବଟି ଦେବାକୁ ବାରଣ କଲେ ତାଙ୍କୁ ବଦନାମ୍ କରିବା ପାଇଁ ମିଛ ଖବର ପ୍ରସାରଣ କରୁଥିଲା। ପୁଲିସ ସୂଚନା ମୁତାବକ, ବରମୁଣ୍ଡାର ଜଣେ ବସ୍ ମାଲିକଙ୍କୁ ସେ ବଟି ମାଗିଥିଲା। କିନ୍ତୁ ସେ ବଟି ଦେବେ ନାହିଁ ବୋଲି ରୋକ୍ଠୋକ ମନା କରି ଦେଇଥିଲେ। ତେଣୁ ଅଭିଯୁକ୍ତ ସୌମ୍ୟ ତାଙ୍କୁ ବଦନାମ୍ କରିବା ପାଇଁ ଲାଗି ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ଫଟୋକୁ ଅନ୍ୟ ଏକ ଫଟୋ ସହ ମିଶାଇ କମ୍ପ୍ୟୁଟରରେ ଏଡିଟ୍ କରିବା ପରେ ଏକ ଭିଡିଓ ତିଆରି କରିଥିଲା। ଏହାକୁ ଦେଖାଇ ସେ ସମ୍ପୃକ୍ତ ମହିଳାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କଲା। ଲକ୍ଷେ ଟଙ୍କା ନ ଦେଲେ ଭିଡିଓକୁ ଭାଇରାଲ କରିବା ସହ ଖବର ତିଆରି କରିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା। ମାତ୍ର ମହିଳାଜଣ ଖଣ୍ଡଗିରି ଥାନାରେ ଅଭିଯୋଗ କଲେ। ଅଭିଯୋଗ ହେବା ପରେ ପରେ ଆଇଆଇସି ପଦ୍ମନାଭ ପ୍ରଧାନ ଏକ ଟିମ୍ ଗଠନ କରିଥିଲେ ଓ ଗତକାଲି ରାତିରେ ତାକୁ ପୁରୀର ଏକ ହୋଟେଲରୁ ଉଠାଇଥିଲେ।
ପୁଲିସ ସୂଚନାନୁସାରେ ତା ଦ୍ବାରା ନିର୍ମାଣ ହୋଇଥିବା ୱେବ୍ ପୋର୍ଟାଲ ‘ଦୁର୍ନୀତି ଲାଇଭ୍’ ସରକାରୀ ପଞ୍ଜୀକୃତ ନୁହେଁ। ଏହା ଏକ ବେଆଇନ୍ ଖବର ପ୍ରସାରଣ ସଂସ୍ଥା। ଅଭିଯୁକ୍ତ ସୌମ୍ୟ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ, ବାଣପୁର ଥାନାରେ ଗୋଟିଏ, ଖୋର୍ଦ୍ଧାରେ ଦୁଇଟି, ରଣପୁରରେ ଗୋଟିଏ, ବାଲୁଗାଁରେ ୨ଟି ଏବଂ ନବରଙ୍ଗପୁର ଥାନାରେ ଗୋଟିଏ ଅପରାଧିକ ମାମଲା ରହିଛି। ତା’ ସହିତ ଆଉ କେଉଁ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ତଦନ୍ତ ଚାଲିଛି ବୋଲି ଖଣ୍ଡଗିରି ଆଇଆଇସି ପଦ୍ମନାଭ ପ୍ରଧାନ କହିଛନ୍ତି। ଏଥିପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ଦାଦାବଟି ମାଗିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଏମିତି ୬ ଜଣ ନକଲି ସାମ୍ବାଦିକଙ୍କୁ ଜେଲ୍ ହାଜତକୁ ପଠାଇଥିଲା।