ବାଲିଅନ୍ତା: ଯେଉଁ ମାଲିକଙ୍କ ଘରୋଇ ଗାଡ଼ି ଚଳାଇ ନିଜ ପରିବାର ପାଇଁ ଦାନା ଯୋଗାଡ଼ କରୁଥିଲା, ତାଙ୍କରି ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇଲା। ନାବାଳିକାଙ୍କ ସରଳତାର ସୁଯୋଗ ନେଇ ଧୂର୍ତ୍ତ ଗାଡ଼ିଚାଳକ କୌଶଳକ୍ରମେ ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ନିଜ ମୋବାଇଲ୍‌ରେ ପ୍ରସ୍ତୁତ କରିନେଲା। ଏହାପରେ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କଲା। ଟଙ୍କା ଓ ସୁନା ଗହଣା ନ ଦେଲେ, ଭିଡିଓ ଭାଇରାଲ୍‌ କରିବ ବୋଲି ନାବାଳିକାଙ୍କୁ ଧମକାଇଲା। ବିଚାରି ନାବାଳିକା ଡରିମରି ଘରୁ ଲୁଚାଇ ଟଙ୍କା ଓ ଗହଣା ଦେଇଦେଲେ। କିନ୍ତୁ କଥାଟି ଜଣାପଡ଼ିଗଲା ଏବଂ ପରିବାର ଲୋକଙ୍କ ଆଗରେ ନାବାଳିକା ସବୁ ସତ କହିଦେଲେ। ଏମିତି ଜଣେ ବିଶ୍ବାସଘାତକ ଗାଡ଼ିଚାଳକ ବିରୋଧରେ ମାଲିକ, ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାକୁ ବାନ୍ଧିଛି। ଅଭିଯୁକ୍ତ ହେଲା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୁ ଗ୍ରାମର ପବିତ୍ର ବାରିକ ଓରଫ ରାଜା(୨୪)। ଏହି ମାମଲାରେ ଚୋରି ଗହଣାକୁ ବିକିବାକୁ ସହଯୋଗ କରୁଥିବା ଅଭିଯୋଗରେ ପୁଲିସ ରାଜାର ସାଙ୍ଗ ଖୋର୍ଦ୍ଧ‌ା ବେଗୁନିଆ ଥାନା କୁଶପଲ୍ଲା ଗାଁର ଅଭିଷେକ ପଟନାୟକ ଓରଫ ଲିପୁ(୨୪)କୁ ମଧ୍ୟ ଗିରଫ କରିଛି। ପୁଲିସ ରାଜାଠାରୁ ନଗଦ ୧୫ ହଜାର ଟଙ୍କା, ଗୋଟିଏ ଚେନ୍‌ ଓ ଗୋଟିଏ ବ୍ରେସ୍‌ଲେଟ୍‌ର ତରଳ ସୁନା ଜବତ କରିଛି। 

Advertisment

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ରାଜା ବାଳକାଟି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୋଇ ଗାଡ଼ିଚାଳକ ଭାବେ କାମ କରୁଥିଲା। କିନ୍ତୁ ଧୂର୍ତ୍ତ ରାଜା ଅଧିକ ଟଙ୍କା ଝଡ଼ାଇବା ଲକ୍ଷ୍ୟରେ ମାଲିକଙ୍କ ନାବାଳିକା ଝିଅକୁ ପ୍ରେମରେ ଫସାଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେ ଘଟଣା ପ୍ରଘଟ ହୋଇଯାଇଥିଲା। ତେଣୁ ମାଲିକ ବାଧ୍ୟହୋଇ ରାଜାକୁ ଚାକିରିରୁ ବାହାର କରିଦେଇଥିଲେ। କିନ୍ତୁ ଧୂର୍ତ୍ତ ରାଜା ସେତେବେଳକୁ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ରଖିସାରିଥିଲା। ଚାକିରି ହରାଇବା ପରେ ରାଜା ନାବାଳିକାଙ୍କୁ ଫୋନ୍‌ କରି ବ୍ଲାକ୍‌ମେଲ୍‌ କଲା। ଭୟରେ ନାବାଳିକା ତାକୁ ଗୋଟିଏ ବ୍ରେସ୍‌ଲେଟ୍‌, ଗୋଟିଏ ସୁନାଚେନ୍‌ ଓ ନଗଦ ୨୦ ହଜାର ଟଙ୍କା ଦେଇଦେଲେ। ବ୍ରେସ୍‌ଲେଟ୍‌ଟି ମାଲିକଙ୍କର ଥିଲା ଏବଂ ସେ ୧ ତାରିଖ ଦିନ ସେଇଟିକୁ ପିନ୍ଧିବା ଲାଗି ଖୋଜିଲେ। ଏହାପରେ ଘରୁ ଚୋରି ହୋଇଥିବା ଜଣାପଡ଼ିଗଲା ଏବଂ ସନ୍ଦେହରେ ପଚରାଉଚରା କରୁକରୁ ନାବାଳିକା ସବୁ ସତ କହିଦେଇଥିଲେ। ଏନେଇ ମାଲିକ ତୁରନ୍ତ ବାଲିଅନ୍ତା ଥାନାରେ ଜଣାଇଥିଲେ। ପୁଲିସ ରଙ୍ଗବଜାରରେ ଚଢ଼ଉ କରି ରାଜା ଓ ଅଭିଷେକକୁ ଧରିଥିଲା। ଅଭିଯୁକ୍ତମାନେ ବ୍ରେସ୍‌ଲେଟ୍‌କୁ କେଉଁ ବଣିଆ ନିକଟରେ ତରଳାଇଛନ୍ତି, ସେନେଇ ପୁଲିସ ତନାଘନା କରୁଛି।