ଫଟୋ ଏଡିଟ୍‌ କରି ମହିଳାଙ୍କୁ ବ୍ଲାକମେଲ୍‌, ଥାନାରେ ଅଭିଯୋଗ

ଭୁବନେଶ୍ବର : ଫଟୋ ଏଡିଟ୍‌ ସଫ୍ଟୱେୟାର ସହାୟତା‌ରେ ଜଣେ ମହିଳାଙ୍କ ଫଟୋକୁ ଆପତ୍ତିଜନକ ଭାବେ ଏଡିଟ୍‌ କରି ବ୍ଲାକମେଲ୍‌ କରିବା ନେଇ ଖଣ୍ଡଗିରି ଥାନାରେ ଆଜି ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଯେଉଁ ହ୍ୱାଟସ୍‌ଆପ୍‌ ନମ୍ବରରୁ ମହିଳାଙ୍କ ପୁଅଙ୍କ ମୋବାଇଲ୍‌କୁ ଫଟୋ ଆସିଛି, ତାହାକୁ ଆଧାର କରି ପୁଲିସ୍‌ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସୂଚନା ମୁତାବକ, ବରମୁଣ୍ଡା ଅଞ୍ଚଳରେ ରହୁଥିବା ଅଭିଯୋଗକାରୀ ମହିଳାଙ୍କ ମୋବାଇଲ୍‌କୁ ଆଜି ସକାଳ ପ୍ରାୟ ସାଢ଼େ ୭ଟା‌‌ରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିବା ଦୁର୍ବୃତ୍ତଜଣକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦେଖା କରିବା ପାଇଁ କହିଥିଲା। ବାରମ୍ବାର ଅପଶବ୍ଦ ପ୍ରୟୋଗ କରିବାରୁ ମହିଳା ତାଙ୍କ ଫୋନ୍ କାଟି ଦେଇଥିଲେ। ଏହା ପରେ ଦୁର୍ବୃତ୍ତ ତାଙ୍କ ପୁଅ ନମ୍ବରକୁ ଫୋନ୍ କରି ଖରାପ ଭାଷାରେ ଗାଳି ଗୁଲଜ କରିଥିଲା। ମହିଳାଙ୍କ ପୁଅ ବିରୋଧ କରିବା ସହ ଫୋନ୍‌ କାଟି ସୁଇଚ୍-ଅଫ୍‌ କରିଦେଇଥିଲେ। ଏହାର କିଛି ସମୟ ପରେ ଦୁର୍ବୃତ୍ତଜଣଙ୍କ ପୁଅ ହ୍ବାଟସ୍‌ଆପ୍‌କୁ ଏକ ଫଟୋ ପଠାଇଥିଲା। ଫଟୋରେ ତାଙ୍କ ମା’ଙ୍କ ସହ ଅନ୍ୟ ଜଣେ ଅଚିହ୍ନା ଯୁବକ ଥିଲା। ଏହା ପରେ ହ୍ବାଟସ୍‌ଆପ୍‌ରେ ଭଏସ୍ ମେସେଜ୍ କରି ଦୁର୍ବୃତ୍ତଜଣଙ୍କ କହିଥିଲା ଯେ ଏବେ ତୋ ମା’ର ସାଦା ଫଟୋ ପାଇଛୁ। ଖୁବ୍‌ଶୀଘ୍ର ଅଶ୍ଳୀଳ ଭିଡିଓ ଦେଖିବାକୁ ପାଇବୁ। ତେବେ ଫଟୋରେ ମା’ଙ୍କ ସହ ଯେଉଁ ଯୁବକଜଣଙ୍କ ଅଛନ୍ତି, ସେ କି ତାଙ୍କ ମା’ ତାକୁ ଚିହ୍ନିନାହାନ୍ତି। ଦୁର୍ବୃତ୍ତଜଣଙ୍କ ଫଟୋ ଏଡିଟ୍‌ ସଫ୍ଟୱେୟାର୍‌ ସହାୟତାରେ ଏପରି ଏକ ନକଲି ଫଟୋ ତିଆରି କରି ତାଙ୍କ ମା’କୁ ବ୍ଲାକମେଲ୍‌ କରିବାକୁ ଚେଷ୍ଟା କରୁଛି। ଏନେଇ ମହିଳାଜଣଙ୍କ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ଛାନ୍‌ଭିନ୍ କରି ଦୁର୍ବୃତ୍ତକୁ ଖୋଜୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର