ଭୁବନେଶ୍ୱର: ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ | ପ୍ରଥମେ ଅଜଣା ନମ୍ବରରୁ ଜଣେ ଯୁବତୀ ଅଶ୍ଳୀଳ ଭିଡିଓ କଲ କଲେ ଆଉ ଏହାପରେ ଆରମ୍ଭ କଲେ ବ୍ଲାକମେଲିଙ୍ଗ | ଆଉ ନିଜ ସମ୍ମାନ ହାନି ଭୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ | ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ନୟାପଲ୍ଲୀରେ ନିଜର ଦୁଇ ପିଲା ଓ ସ୍ତ୍ରୀ ସହ ରୁହନ୍ତି ଢେଙ୍କାନାଳର ରାମହରି ପ୍ରଧାନ(ଛଦ୍ମନାମ) |
୩ ଦିନ ତଳେ ହଠାତ ରାମହରିଙ୍କ ସହ ଫେସବୁକରେ ଜଣେ ଅଜଣା ଯୁବତୀ ଚାଟିଙ୍ଗ କରିଥିଲେ | ଏହା ପରେ ହ୍ଵାଟ୍ସଆପରେ ଭିଡ଼ିଓ କଲ କରିଥିଲେ | ରାମହରି ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ | ଆଉ ଏହି ସମୟରେ ସ୍କ୍ରିନ ରେକର୍ଡିଙ୍ଗ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ | ଅନ୍ୟ ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଙ୍ଗ ଅଭିଯୋଗ ନେଇ ଯାଇଥିଲେ ରାମହରି | କିନ୍ତୁ ପୁଲିସ ସହଯୋଗ କରିବା ବଦଳରେ ତାଙ୍କୁ ଟାହିଟାପରା କରିଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି | ଏହା ପରେ ଉପାୟଶୂନ୍ୟ ହୋଇ ରାମହରି ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ବେହୋସ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |