ଭୁବନେଶ୍ବର: କାର୍ଗୁଡ଼ିକରୁ କଳାକାଚ ହଟାଇବା ପାଇଁ ବେଶ୍ କିଛି ଦିନ ଧରି ରାଜଧାନୀରେ ଅଭିଯାନ ଚାଲିଲା। କମିସନରେଟ୍ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଜୋର୍ଦାର୍ ଚଢ଼ଉ ହେଲା। ମାତ୍ର ଏବେ ସବୁ ଠପ୍। ଆଜି ବି ରାଜଧାନୀରେ ବୁଲୁଛି ମାଳମାଳ କାର୍ ଯେଉଁଥିରେ କଳାକାଚ ଲାଗିଛି। ଅପରାଧ ନିୟନ୍ତ୍ରଣ ପାଇଁ ସୁପ୍ରିମ୍କୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶକୁ ଏବେ ରାଜଧାନୀରେ ଫୁ’ କରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବଡ଼ବଡ଼ିଆଙ୍କ କାର୍ରେ କଳାକାଚ ଲାଗିଥିବାରୁ ପୁଲିସ ନିରବ ରହୁଥିବା ଅଭିଯୋଗ ହେଉଛି।
ଅପରାଧୀମାନେ କଳାକାଚ ଲାଗିଥିବା କାର୍ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସି କ୍ୟାମେରା ବି କାର୍ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ ନେଇ ସୁପ୍ରିମ୍କୋର୍ଟରେ ଆବେଦନ ହେବା ପରେ ୨୦୧୨ ମସିହାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିଥିଲା। କାର୍ଗୁଡ଼ିକରେ ଟିଣ୍ଟେଡ୍ ଗ୍ଲାସ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାଚ ବ୍ୟବହାର କରାଯିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଲେ। ସବୁକାର୍ରେ ଟ୍ରାନ୍ସପ୍ଲାଣ୍ଟ ଲାଗିବ ବୋଲି କଡ଼ା ନିର୍ଦ୍ଦେଶ ହୋଇଥିଲା।
କେହି ଖିଲାପ କଲେ, ଜରିମାନା ସହ ଅନ୍ୟାନ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ କ୍ଷମତା ମିଳିଲା। ତେଣୁ କାର୍ରୁ କଳାକାଚ ହଟାଇବା ଲାଗି ଜୋର୍ଦାର୍ ଅଭିଯାନ ଆରମ୍ଭ ହୋଇଥିଲା। ମାତ୍ର ଏବେ ଏହି ନିୟମ ଚୁଲିକି ଯାଇଛି। ନା ପୁଲିସ ଏଦିଗରେ ଯାଞ୍ଚ କରୁଛି ନା ପରିବହନ ବିଭାଗ। ଫଳରେ ରାଜଧାନୀରେ ଦିନକୁ ଦିନ କ୍ରାଇମ୍ ବୃଦ୍ଧି ପାଉଥିବାବେଳେ ଅପରାଧୀମାନେ ଏଭଳି କାର୍ ଯୋଗେ ଚମ୍ପଟ୍ ମାରୁଥିବା ଦେଖିବାକୁ ମିଳୁଛି। କାର୍ ସହିତ ଅନ୍ୟାନ୍ୟ ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅସାମାଜିକ ଯୁବକମାନେ ଅନୈତିକ କାର୍ଯ୍ୟ କରୁଛନ୍ତି। ପୁଲିସ ଓ ପରିବହନ ବିଭାଗର କୋହଳ ମନୋଭାବର ଫାଇଦା ଉଠାଉଛନ୍ତି ଅପରାଧୀ। କଳା କାଚଥିବା ଗାଡ଼ିରେ ନିଶା ସେବନ ସହ ଅନ୍ୟ ବେଆଇନ କାର୍ଯ୍ୟ ବିନା ଭୟରେ ଚାଲୁଛି।
ଏନେଇ ନୂଆ ଡିସିପି ପ୍ରତୀକ ସିଂଙ୍କ କହିବା କଥା ନିୟମିତ ବ୍ୟବଧାନରେ ଏଭଳି ଯାଞ୍ଚ କରାଯାଉଛି। ହୁଏତ ଏବେ କଳାକାଚ ଲାଗିଥିବା ଗାଡ଼ି ଯାଞ୍ଚ ଉପରେ ପୁଲିସର ଫୋକସ କମିଯାଇଛି। ତେବେ ପୁଣି ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।