ଚନ୍ଦ୍ରଶେଖରପୁର : ସାରା ରାଜ୍ୟକୁ ଦୁଗ୍ଧ ଯୋଗାଇଦେବାର ଦାୟିତ୍ୱ ନେଇଥିବା ଓମ୍ଫେଡ୍କୁ ଯେପରି ବିବାଦ ପିିଛା ଛାଡ଼ୁନାହିଁ। ଆଜି ସକାଳ ପ୍ରାୟ ୮.୫୦ରେ ଚନ୍ଦ୍ରଶେଖରପୁରସ୍ଥିତ ଓମ୍ଫେଡ୍ ପ୍ଲାଣ୍ଟ୍ର ସୁବାସିତ ଦୁଗ୍ଧ ଉତ୍ପାଦନ ୟୁନିଟ୍ରେ ବିସ୍ଫୋରଣ ଘଟି ତିନି ମହିଳା ଠିକା ଶ୍ରମିକଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଠିକା ଶ୍ରମିକ କଳାରାହଙ୍ଗ ଅଞ୍ଚଳର ସନାତନ ସାହୁ ଗୁରୁତର ଆହତ ହୋଇ କଳିଙ୍ଗ ହସ୍ପିଟାଲ୍ରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଆହତ ହୋଇଥିବା ଅନ୍ୟ ତିନି ଜଣ ମହିଳା ଶ୍ରମିକ ମୀନା ବେହେରା, ରଜନୀ ମହାନ୍ତି ଓ ବିନି ପାତ୍ର ଚିିିକିତ୍ସା ପରେ ହସ୍ପିଟାଲ୍ରୁ ଘରକୁ ଯାଇଛନ୍ତି। ଏହି ଘଟଣାପରେ ଓମ୍ଫେଡ୍ ପ୍ଲାଣ୍ଟ୍ରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ଲାଣ୍ଟ୍ ପକ୍ଷରୁ କୌଣସି ସୁରକ୍ଷା ଉପକରଣ ଯୋଗାଇଦିଆ ନଯିବା ସହିତ ପ୍ଲାଣ୍ଟ୍ ପରିସରରେ ସୁରକ୍ଷା ସଂପର୍କିତ ବିଭିନ୍ନ ନିୟମକୁ କର୍ତୃପକ୍ଷ ଉଂଲଘନ କରୁଥିବା ଅଭିଯୋଗରେ ପ୍ରାୟ ୩୫୦ ଶ୍ରମିକ ଧାରଣାରେ ବସିଛନ୍ତି। ତେଣୁ ସକାଳୁ ସକାଳୁ ଏହି ମୁଖ୍ୟ ପ୍ଲାଣ୍ଟ୍ରୁ ଦୁଗ୍ଧ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ଥିଲା। ଉତ୍କଳ ଡାଏରୀ ଓ୍ଵାର୍କର୍ସ ୟୁନିଅନ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ପ୍ଲାଣ୍ଟ୍ରେ କାମ କରୁଥିବା ସମସ୍ତ ଠିକା ଶ୍ରମିକ ଯୋଗଦେଇଛନ୍ତି।
ସକାଳୁ ଏପରି ଏକ ଗୁରୁତର ଘଟଣା ଘଟିଥିଲେ ସୁଦ୍ଧା କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ନଆସିବା ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୧୧୦ଡିଗ୍ରିରେ ସୁବାସିତ ଦୁଗ୍ଧକୁ ଷ୍ଟେରିଲାଇଜ୍ କରାଯିବା ବେଳେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା କାରଣରୁ ଏହି ୟୁନିଟ୍ରେ ବିସ୍ଫୋରଣ ଘଟିଥିଲା। ପ୍ରାୟ ୪୦୦ରୁ ଊର୍ଧ୍ୱ ଦୁଗ୍ଧ ବୋତଲ ଘଟଣାସ୍ଥଳରେ ଫାଟି ଚାରିଆଡ଼େ ଛିଟିକି ପଡ଼ିଥିଲା। ନିକଟରେ କାର୍ଯ୍ୟକରୁଥିବା ସନାତନ ଏହି ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଦେହର ପ୍ରାୟ ୪୦ପ୍ରତିଶତ ପୋଡ଼ିଯାଇଥିବା ବେଳେ ଦେହର ଅଧିକାଂଶ ସ୍ଥାନରେ କାଚ ପଶିଯାଇଛି। ଏନେଇ କାରଖାନା କର୍ତୃପକ୍ଷ ଦାୟିତ୍ୱରେ ଅବହେଳା କାରଣରୁ ଦୁଇ ଜଣ ନିୟମିତ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ସମେତ ପୁଲିସ୍ କର୍ମଚାରୀ କାରଖାନାସ୍ଥଳରେ ନିୟୋଜିତ ଅଛନ୍ତି।
କାରଖାନା କର୍ତୃପକ୍ଷଙ୍କୁ ଦାୟୀ କଲା ୟୁନିଅନ୍
ଓମ୍ଫେଡ୍ ପ୍ଲାଣ୍ଟ୍ରେ ୨୦୦୬ରେ ଏହିପରି ଏକ ଦୁର୍ଘଟଣା ଘଟିଥିଲା। ମାତ୍ର ଏଠାରେ କାମ କରୁଥିବା ଠିକା ଶ୍ରମିକଙ୍କ ସ୍ୱାର୍ଥ ପ୍ରତି କାରଖାନା କର୍ତୃପକ୍ଷ ସବୁବେଳେ ଉଦାସୀନ ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି। ସେମାନଙ୍କୁ ନିୟମିତ କରା ନଯିବା, ଦୀର୍ଘ ବର୍ଷ ହେବ କାମ କରୁଥିଲେ ମଧ୍ୟ ଠିକ୍ ସମୟରେ ପିଏଫ୍ ଜମା ନହେବା, ସୁରକ୍ଷା ଉପକରଣ ବଣ୍ଟା ନହେବା, ପ୍ଲାଣ୍ଟ୍ ପରିସରରେ ଏକ ଶୌଚାଳୟ ନରହିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ୟୁନିଅନ୍ର ସଭାପତି ତଥା ବିଜେପି ନେତା ସମୀର ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରମିକମାନେ କୌଣସି ଅଭିଯୋଗ କଲେ ସେମାନଙ୍କ କଥାକୁ ଆଦୌ କର୍ଣ୍ଣପାତ କରାଯାଇ ନାହିଁ। ଶ୍ରମିକ ଶୋଷଣ ଏଠାରେ ଏକ ସାଧାରଣ କଥା ବୋଲି ସଂଗଠନର ସାଧାରଣ ସମ୍ପାଦକ ଗୋକୁଳ ବିହାରୀ ସିଂ ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବାନେଇ ଉଭୟ ନେତା କହିଛନ୍ତି। କାରଖାନା କର୍ତୃପକ୍ଷ ଦୁର୍ଘଟଣା ବେଳେ ମଧ୍ୟ ଘଟଣାସ୍ଥଳକୁ ଆସି ନଥିଲେ। ଏକ ଅଟୋରେ ଆହତଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଏତେବଡ଼ ପ୍ଲାଣ୍ଟ୍ରେ ଏକ ଆମ୍ବୁଲାନ୍ସ ନରହିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି।
ଆହତଙ୍କୁ ଆର୍ଥିକ ସହାୟତା ଘୋଷଣା
ଏହି ଘଟଣାରେ ଆହତ ହୋଇଥିବା ଠିକା ଶ୍ରମିକଙ୍କୁ ମାଗଣା ଚିକିତ୍ସା ସହିତ ଆର୍ଥିକ ସହାୟତା ଯୋଗାଇଦିଆଯିବା ନେଇ କାରଖାନା କର୍ତୃପକ୍ଷ ଘୋଷଣା କରିଛନ୍ତି। ଗୁରୁତର ଆହତ ସନାତନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ଅନ୍ୟ ତିିନିଜଣଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବା ନେଇ ଓମ୍ଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ କାରଖାନାର ଦୁଇ ଜଣ ନିୟମିତ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜନସଂପର୍କ ଅଧିକାରୀ ସୁବାସ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ କାରଖାନା ପକ୍ଷରୁ ଶ୍ରମିକମାନଙ୍କ ହିତ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଉଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।
ସ୍ୱାଭାବିକ ହେଲା ଦୁଗ୍ଧ ଉତ୍ପାଦନ
ଶ୍ରମିକ ଅଶାନ୍ତି କାରଣରୁ ଆଜି ଦିନ ତମାମ କାରଖାନାରୁ ଦୁଗ୍ଧ ଉତ୍ପାଦନ ବନ୍ଦ ରହିଥିଲା। ଦୈନିକ ପ୍ରାୟ ଦେଢ଼ ଲକ୍ଷ ଲିଟର ଦୁଗ୍ଧ ସହିତ ୨୫୦୦୦ ଲିଟରର ଅନ୍ୟାନ୍ୟ ଉତ୍ପାଦ ଏହି ପ୍ଲାଣ୍ଟ୍ରୁ ଉତ୍ପାଦନ ହୋଇଥାଏ। ମାତ୍ର ଶ୍ରମିକମାନଙ୍କ ଆନ୍ଦୋଳନ କାରଣରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ଦୁଗ୍ଧ ଉତ୍ପାଦନ ବନ୍ଦ ଥିଲା। ତେଣୁ ରବିବାର ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦୁଗ୍ଧ ଅଭାବ ପରିସ୍ଥିତି ଦେଖାଦେଇଥିଲା। ମାତ୍ର ବିଳମ୍ବିତ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ର, କାରଖାନାର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘର କର୍ମକର୍ତାଙ୍କ ସହିତ ଆଲୋଚନା କରାଯାଇଥିଲା। ଶୌଚାଳୟ, ବିଶ୍ରାମଗାର, ୟୁନିଫର୍ମ ଓ ଜୋତା ପ୍ରଦାନ, ଫ୍ୟାକ୍ଟ୍ରି ଆକ୍ଟ୍ ଅନୁଯାୟୀ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଆଦି ଉପରେ ଯଥାଶୀଘ୍ର ପଦକ୍ଷେପ ନିଆଯିବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହାସହିତ ଦୁଗ୍ଧ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଥିଲା।
ଫ୍ୟାକ୍ଟ୍ରି ଏଣ୍ଡ୍ ବଏଲର୍ ଉପନିର୍ଦ୍ଦେଶକଙ୍କ ପ୍ଲାଣ୍ଟ୍ ପରିଦର୍ଶନ
ଆଜିର ଏହି ଦୁର୍ଘଟଣା ପରେ ଫ୍ୟାକ୍ଟ୍ରି ଏଣ୍ଡ୍ ବଏଲର୍ ଉପନିର୍ଦ୍ଦେଶକ ଡ. ମଳୟ ପ୍ରଧାନ ପ୍ଲାଣ୍ଟ୍ ପରିଦର୍ଶନ କରିଥିଲେ। ଦୁର୍ଘଟଣା ଘଟିଥିବା ସୁବାସିତ ଦୁଗ୍ଧ ୟୁନିଟ୍କୁ ସାମୟିକ ବନ୍ଦ ପାଇଁ ବିଭାଗ ପକ୍ଷରୁ ନୋଟିସ୍ ହୋଇଥିବା ସଂପର୍କରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ତାପମାତ୍ରାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଅଟୋମେସନ୍ ପଦ୍ଧତି ଅବଲମ୍ବନ କରିବାକୁ ଶ୍ରୀ ପ୍ରଧାନ ଓମ୍ଫେଡ୍କୁ ପରାମର୍ଶ ଦେଇଛନ୍ତି। ସେପର୍ଯ୍ୟନ୍ତ ଏହି ୟୁନିଟ୍କୁ ସାମୟିକ ବନ୍ଦ କିମ୍ବା ଜଣେ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଚାଲୁ ରଖିବାକୁ ସେ କହିଛନ୍ତି।