ଅଳିଆଗଦା ବିସ୍ଫୋରଣରେ ପୋଡ଼ିଗଲେ ଯୁବକ

ଖଣ୍ଡଗିରି: ଅଳିଆ ଗଦାରେ ନିଅାଁ ଲଗାଉ ଲଗାଉ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ସେ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ନିକଟ ଗୋଲାପଡ଼ା ଗାଁର ବାବୁ ପାଳ(୩୨)। ତାଙ୍କ ମୁହଁ ସମେତ ଦେହର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ହାତ ଦୁଇଟି ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ସୂଚନାନୁସାରେ ଆଜି ସନ୍ଧ୍ୟାରେ ବାବୁ ଗାଁ ଦାଣ୍ଡରେ ନିଜ ଘର ସମ୍ମୁଖରେ ଥିବା ଏକ ଅଳିଆ ଗଦାକୁ ପୋଡ଼ିବାକୁ ବାହାରିଥିଲେ। ସେ ଉକ୍ତ ଗଦା ଉପରେ ନଇଁ ପଡ଼ି କାଟିକୁଠାକୁ ଚାରିକଡ଼ରୁ ଏକାଠି କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହେଲା। ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବ‌ା ବେଳକୁ ବାବୁଙ୍କ ମୁହଁ ସହ ଶରୀରର ପ୍ରାୟ ଶତକଡ଼ା ୪୦ ଭାଗ ପୋଡ଼ି ଯାଇଥିଲା। ଅଳିଆ ଗଦାରେ ବାଣ ତିଆରି ପାଇଁ ବ୍ୟବହୃତ ବାରୁଦ ଥିବାରୁ ଏଭଳି ବିସ୍ଫୋରଣ ଘଟିଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର