ଖଣ୍ଡଗିରି: କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍ ଡାକ୍ତରଖାନା ଗୋଲେଇ ଛକ ଗୋଟିଏ କିଲୋମିଟର ରାସ୍ତା। ହେଲେ ରାସ୍ତାର ଅବସ୍ଥା ଏମିତି ଯେ ଏହାକୁ ପାର୍ କରିବାକୁ ଜୀବନକୁ ବାଜି ଲଗାଇବା ଭଳି। ଅସରାଏ ବର୍ଷା ହୋଇଗଲେ ରାସ୍ତା ଓ ଖାଲ ପାଣିରେ ଏକାକାର ହୋଇଯାଉଛି। ଗାତରେ ପଡ଼ି ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଯାଇଛି। ଟ୍ରାଫିକ୍ ସମସ୍ୟା ମଧ୍ୟ ଉତ୍କଟ ରୂପ ଧାରଣ କରିଛି।
ଶ୍ୟାମପୁର ଗାଁ ଓ ଏହା ଆଖପାଖ ଅଞ୍ଚଳ ୨୨ ନମ୍ବର ୱାର୍ଡରେ ମିଶିବାପରେ ସେଠାକାର ଲୋକ ଭାବିଥିଲେ ଏଣିକି ସବୁ ସମସ୍ୟାର ସମାଧାନ ହେବ। ସହରବାସୀଙ୍କୁ ଯେଉଁ ସୁବିଧା ମିଳୁଛି, ତାହା ଉପଲବ୍ଧ ହେବ। ଇତିମଧ୍ୟରେ ସେ ଗାଁ ଆଡ଼କୁ ସହର ମାଡ଼ିଯାଇ ନିଜ ଭିତରେ ସାମିଲ କରି ବସିଲାଣି। ଆଖପାଖରେ ବଡ଼ ବଡ଼ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ମଧ୍ୟ ଗଢ଼ି ଉଠିଛି। ଯୋଗକୁ ଅଞ୍ଚଳର କର୍ପୋରେଟର୍ ଏବେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର। ମାତ୍ର ସମସ୍ୟାର ସମାଧାନ ହେଲାନାହିଁ। ବରଂ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍ ଡାକ୍ତରଖାନା ଗୋଲେଇ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉଭୟ ପାଖରେ ଡ୍ରେନ୍ କାମ ସରି ନଥିବାରୁ ପାଣି ନିଷ୍କାସନ ହୋଇ ପାରୁନାହିଁ। ଫଳରେ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି। ଯାତାୟତ ଏକ ପ୍ରକାର ଠପ୍ ହେଇ ଯାଉଛି।
ଦୀର୍ଘବର୍ଷ ହେଲା ଏହି ସମସ୍ୟା ଭୋଗୁଥିବାରୁ ଲୋକେ ୨ ବର୍ଷ ତଳେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ବହୁ ନେତା ଏହାକୁ ସମର୍ଥନ ମଧ୍ୟ କରିଥିଲେ। ଶେଷରେ ୯ କୋଟି ଟଙ୍କାର ଡ୍ରେନ୍ କାମ ହେବ ବୋଲି ବ୍ୟୟ ବରାଦ ହେଲା। କାମ ମଧ୍ୟ ଆାରମ୍ଭ ହେଲା। ହେଲେ ୧୬ ମାସରେ ସରିବାକୁ ଥିବା କାମ ଏଯାଏଁ ସରିବା ନାଁ ନେଉନି। ଫଳରେ ଲୋକେ ତ ସାଂଘାତିକ ଭାବେ ହଇରାଣ ହେଉଛନ୍ତି, ତା’ ସହିତ ଡ୍ରେନର ବଳକା ପାଣି ରାସ୍ତାରେ ପଡ଼ି ରାସ୍ତା ଖରାପ ହେଉଛି। ଏହି ରାସ୍ତା ଉପରେ ୨୩ ନମ୍ବର ୱାର୍ଡର ଲୋକେ ମଧ୍ୟ ନିର୍ଭର କରନ୍ତି। କେ-୮, କେ-୧, କେ-୨, କେ-୩, କେ-୭ର ସମସ୍ତ ବାସିନ୍ଦା ଏହାକୁ ନିତିଦିନ ବ୍ୟବହାର କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/Ph0R8ompO9LOw2jF6BGi.jpg)