କରୁଣା ଜରୁରୀ

ତିବ୍ଦତୀୟ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିବେ

ଭୁବନେଶ୍ୱର: ଲୋକେ କୌଣସି ଧର୍ମ କିମ୍ବା ମତବାଦକୁ ଅନ୍ଧ ଭାବେ ଗ୍ରହଣ କରିବା ଅନୁଚିତ। ଅନ୍ୟ ଧର୍ମ ଗ୍ରହଣ କରିବା ପୂର୍ବରୁ ଏହାର ବୈଜ୍ଞାନିକ ଓ ବ୍ୟବହାରିକ ଦୃଷ୍ଟିକୋଣରୁ ପରୀକ୍ଷା ନିରୀକ୍ଷା କରିବା ଦରକାର। ନ ହେଲେ ପରବର୍ତୀ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଜି କିଟ୍‌ ପରିସରରେ ଆୟୋଜିତ ‘ନଲେଜ ଟ୍ରି’ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ତିବ୍ଦତୀୟ ଧର୍ମଗୁରୁ ତଥା ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା କହିଛନ୍ତି।

ସେ ଆହୁରି କହିଲେ, ଦୟା ଓ କରୁଣା ହେଉଛି ମାନବିକତା ତଥା ସମାଜର ଏକ ପ୍ରମୁଖ ଦିଗ। ଏହାକୁ ଭିିତ୍ତିକରି ଆମେ ସମଗ୍ର ବିଶ୍ୱରେ ଏକ ଦୟାଶୀଳ ପରିବେଶ ସୃଷ୍ଟି କରିପାରିବା। ଯାହାକି ଆମକୁ ଅଧିକ ଶାନ୍ତିକାମୀ କରିବ। ବର୍ତମାନ ସମୟରେ ଭାବାବେଗକୁ ନିୟନ୍ତ୍ରଣ କରିବା ଆମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ତେଣୁ ଶିକ୍ଷା ପଦ୍ଧତିରେ ଭାବାବେଗକୁ ନିୟନ୍ତ୍ରଣ ଓ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସେ କହିଲେ ତିବ୍ଦତୀୟ ନାଗରିକ ନିଜକୁ ଆତ୍ମବିଶ୍ୱାସୀ ମଣନ୍ତି। ତେଣୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମାନେ ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିବେ। ଆଉ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ବିଜ୍ଞାନଭିିତ୍ତିକ ଧର୍ମ ଓ ବାସ୍ତବତା ହେଉଛି ପ୍ରକୃତ ଧର୍ମ। ଏହି ଦୃଷ୍ଟିକୋଣରୁ ମୁଁ କେବେ ବି ବୌଦ୍ଧଧର୍ମ ଶ୍ରେଷ୍ଠ ବୋଲି କହେ ନାହିଁ। ତେବେ ବୁଦ୍ଧଦେବ ଅଧିକ ବୈଜ୍ଞାନିକ ଚିନ୍ତାଧାରା ବିଶିଷ୍ଟ ମହାତ୍ମା ଥିଲେ। ତେଣୁ ମୁଁ ନିଜକୁ ଅଧା ସନ୍ନ୍ୟାସୀ ଓ ଅଧା ଅନେ୍ଵଷୀ ବୈଜ୍ଞାନିକ ଭାବେ ମନେ କରେ ବୋଲି କହିଥିଲେ। ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ଚାଷୀ ଆତ୍ମହତ୍ୟା କେବଳ ଓଡ଼ିଶା କିମ୍ବା ଭାରତରେ ହେଉନି। ଜାପାନରେ ବି ଚାଷୀ ଆତ୍ମହତ୍ୟା କରୁଛନ୍ତି। ଚାଷୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହୁ ନ ଥିବାରୁ ସେମାନେ ଆତ୍ମହତ୍ୟା ଭଳି ପନ୍ଥା ଆପଣାଉଛନ୍ତି। ତେଣୁ ଶିକ୍ଷା ବ୍ୟବସ୍ଥାରେ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କିତ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ବାହାରକୁ ଯାଇ ସଂସ୍କୃତି ଭୁଲନି

ଭୁବନେଶ୍ୱର: ପାଠ ପଢ଼। ଅନ୍ୟମାନଙ୍କ ପରି ଦେଶ ବିଦେଶକୁ ଯାଇ ଚାକିରି କର। ହେଲେ ନିଜର ସଂସ୍କୃତି, ପ୍ରଥା, ପରମ୍ପରାକୁ କେବେ ବି ଭୁଲି ଯାଅନି ବୋଲି ଓଡ଼ିଶାରେ ରହୁଥିବା ତିବ୍ଦତୀୟମାନଙ୍କୁ ସମ୍ବୋଧନ କରି ଧର୍ମଗୁରୁ ଦଲାଇ ଲାମା କହିଛନ୍ତି।

ଭୁବନେଶ୍ୱର ଗସ୍ତ ଅବସରରେ କିଟ୍‌ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚନ୍ଦ୍ରଗିରିରୁ ଆସିଥିବା ତିବ୍ଦତୀୟମାନଙ୍କୁ କହିଲେ, ଧର୍ମକୁ କେବେ ବି ଭୁଲିବନି। ଯେଉଁଠି ରହିବ କେବେ ବି ଲୋଭ, ମୋହ, ମାୟାରେ ପଡ଼ି ନିଜ ଧର୍ମ ବଦଳାଇବ ନାହିଁ। ଦୃଢ଼ ମନୋବଳ, ଇଚ୍ଛା ଶକ୍ତି ରହିଥିବାରୁ ଦୀର୍ଘ ବର୍ଷ ହେଲା ସ୍ୱାଧୀନତା ଲାଗି ଲଢ଼େଇ କରୁଛେ। ଏହା କେବେ ବି କମିବ ନାହିଁ। ବିଶ୍ୱ ଶାନ୍ତି ଦିଗରେ ମିଳିତ ଭାବେ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।ଯୁବପିଢ଼ିଙ୍କୁ ସେ କହିିଲେ ତୁମେମାନେ ହେଉଛ ଭବିଷ୍ୟତ। ତେଣୁ ଶିକ୍ଷାଠାରୁ କେବେ ବି ଦୂରେଇ ଯିବ ନାହିଁ। ଅଧାରୁ ପାଠ ଛାଡ଼ିବ ନାହିଁ। ଉଚ୍ଚରୁ ଉଚ୍ଚତର ଶିକ୍ଷା ଗ୍ର୍ରହଣ କରି ବିଶ୍ୱବାସୀଙ୍କ ଲାଗି ନୂଆ ଦିଗଦର୍ଶନ ଦେଖାଇବ। ପରିବାରରେ ଗୁରୁଜନମାନଙ୍କୁ ବି ସମ୍ମାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା ସମ୍ପର୍କରେ ବି ସେ ତିବ୍ଦତୀୟମାନଙ୍କୁ ଅବଗତ କରାଇଥିଲେ।

ଆଦିବାସୀ ନୃତ୍ୟରେ ଭବ୍ୟ ସ୍ୱାଗତ

ଧର୍ମଗୁରୁ ଦଲାଇ ଲାମା ‘କିସ୍‌’ର ମୁଖ୍ୟ ଫାଟକରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନିଆରା ଢଙ୍ଗର ସ୍ୱାଗତ କାର୍ଯ୍ୟକ୍ରମ। ‘କିସ୍‌’ ସାଂସ୍କୃତିକ ବିଭାଗର ଛାତ୍ରଛାତ୍ରୀମାନେ ପ୍ରଥମେ କଳାହାଣ୍ଡି ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ଦଲାଇ ଲାମା ଏହି ନୃତ୍ୟରେ ମୁଗ୍ଧ ହୋଇ ଝୁନି ନାମକ ଜଣେ ଛାତ୍ରୀଙ୍କ ପାଖକୁ ଯାଇ ନୃତ୍ୟ ଓ ଏହାର ପୋଷାକ ବିଷୟରେ ପଚାରି ବୁଝିଥିଲେ। ଏହାପରେ ରାସ୍ତାର ଦୁଇ ପାଖରେ ପାରମ୍ପରିକ ପୋଷାକ ପିନ୍ଧି ସାନ୍ତାଳ ନୃତ୍ୟ କରୁଥିବା ପିଲାମାନଙ୍କ ମୁଣ୍ଡରେ ହାତ ରଖି ସେ ଆଶୀର୍ବାଦ କରିଥିଲେ। ଏହାଛଡ଼ା ଦେଶୀଆ ନୃତ୍ୟରେ ଛାତ୍ରଛାତ୍ରୀମାନେ ମାଦଳ, ଚଡ଼ଚଡ଼ି ଓ ତାସା ବାଜା ବଜାଇ ଦଲାଇ ଲାମାଙ୍କ ସ୍ୱାଗତ କରିଥିଲେ। ଏସବୁ ପରେ କିଛି ବାଟ ଯାଇ ଦଲାଇ ଲାମା ସମ୍ବଲପୁରୀ ନୃତ୍ୟ ରସରକେଲି..,ସଉରା ନୃତ୍ୟ ଲାଙ୍ଗି କୁସୁମା.. ଏବଂ ପରେ ପରେ ଲାଞ୍ଜିଆ ସଉରା ନୃତ୍ୟ ଛୁମୁକ୍‌ ଛୁମ..ଦେଖିଥିଲେ। ସେ ମଞ୍ଚ ନିକଟରେ ପହଞ୍ଚିବା ପୂର୍ବରୁ ଆରମ୍ଭ ହୋଇଥିଲା ଢେମ୍‌ସା ନୃତ୍ୟ ପୁକି ଦିଆ ମଇରା ଦାଦାରେ..। ଏମିତି ସବୁ ସ୍ୱାଗତ ନୃତ୍ୟ ଦେଖିବା ପରେ ଦଲାଇ ଲାମା କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

୨୭ହଜାର ଛାତ୍ରଛାତ୍ରୀଙ୍କ ଗହଣରେ

ଦଲାଇ ଲାମା ଆଜି ସଭା ଶେଷ ହେବା ପରେ ମଞ୍ଚ ତଳେ ବସିଥିବା ୨୭ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଗହଣରେ ବୁଲିବା ସହ କେତେକଙ୍କ ସହ କଥାବାର୍ତା କରିଥିଲେ। ଏହି ସମୟରେ ପିଲାମାନେ ଦଲାଇ ଲାମାଙ୍କ ଆଶୀର୍ବାଦ ରୂପକ ଫୁଲ ଓ ସ୍ପର୍ଶ ପାଇ ସୁଖି ହୋଇ ଯାଇଥିଲେ। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ପିଲା ଏକାଠି ଶାନ୍ତିଶୃଙ୍ଖଳା ରକ୍ଷା କରି ବସିରହିବା ସେମାନଙ୍କ ସୁଶିକ୍ଷାର ଲକ୍ଷଣ ବୋଲି ଦର୍ଶାଇ ଦଲାଇ ଲାମା ଭାବବିହ୍ଵଳ ହୋଇ ଯାଇଥିଲେ।

ନୋବେଲ୍‌ଠୁ କମ୍‌ ନ ଥିଲା

 

କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ ଗ୍ରହଣ କରିବା ପରେ ଅନୁଭୂତି?
୧୯୮୯ରେ ନୋବେଲ୍‌ ପୁରସ୍କାର ପାଇବା ସମୟରେ ଯେଉଁଭଳି ଲାଗିଥିଲା ଏବେ ସେଭଳି ଲାଗୁଛି। ନୋବେଲ୍‌ ପୁରସ୍କାରଠାରୁ ଏହା କୌଣସି ଗୁଣରେ କମ୍‌ ନ ଥିଲା। ୨୭ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପୁରସ୍କାର ନେବା ଭାଗ୍ୟରେ ଥିଲେ ସମ୍ଭବ ହୁଏ। ସମ୍ବର୍ଧନା ଉତ୍ସବରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ବୟସ ୨୦ ବର୍ଷ ଭିତରେ, ଯେଉଁମାନେ ହେଉଛନ୍ତି ଆମ ଭବିଷ୍ୟତ। ତେଣୁ ସେମାନଙ୍କୁ ଉଦ୍‌ବୋଧନ ଦେଇ ଖୁସି ଲାଗୁଛି।

ଧର୍ମକୁ ନେଇ ବିଶ୍ୱରେ ହିଂସା ବଢ଼ିବାରେ ଲାଗିଛି। ଏହାର ସମାଧାନ?
ଏହାର କୌଣସି ସମାଧାନ ଚିନ୍ତା କରାଯାଇ ନାହିଁ। ଧର୍ମକୁ ନେଇ ଗତ ଶତାବ୍ଦୀରେ ଅନେକ ହିଂସା ସଂଘଟିତ ହୋଇଛି। ଏବେ ବି ଚାଲିଛି। ଭାରତର ପୁରାତନ ଶିକ୍ଷା ପଦ୍ଧତି ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ଯୁବପିଢ଼ି ଏ ଦିଗରେ ପ୍ରମୁଖ ଭୂମିକା ଗ୍ର୍ରହଣ କରିବେ।

ବୌଦ୍ଧ ଧର୍ମ ସମ୍ପର୍କରେ କ’ଣ କହିବେ?
ଭାରତରୁ ହିଁ ବୌଦ୍ଧ ଧର୍ମର ଆରମ୍ଭ ହୋଇଛି। ପରବର୍ତୀ ସମୟରେ ଏହା ଶ୍ରୀଲଙ୍କା, ବର୍ମା, ଚୀନ୍‌, ମାଲେସିଆ ପରି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ପହଞ୍ଚିଛି। ବିହାର, ଓଡ଼ିଶାରେ ମଧ୍ୟ ଏବେ ବି ବୌଦ୍ଧ ଧର୍ମାବଲମ୍ବୀ ରହୁଛନ୍ତି। ବୌଦ୍ଧ ଧର୍ମର ସ୍ୱତନ୍ତ୍ର ରୀତିନୀତି ରହିଛି, ଯାହାକି ଅନ୍ୟ ଧର୍ମଠାରୁ ଭିନ୍ନ।

ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମ ମଧ୍ୟରେ କିଛି ଫରକ୍‌ ରହିଛି କି?
ଉଭୟ ଧର୍ମ ପରସ୍ପରର ପରିପୂରକ। ଭାଇ, ଭଉଣୀ ଭଳି। ଭାରତରେ ସର୍ବଧର୍ମର ସମନ୍ଵୟ ହୋଇଛି। ଏଭଳି ଏକ ଦେଶ ଯେଉଁଠାରେ ସବୁ ଧର୍ମର ଲୋକେ ନିଜକୁ ସୁରକ୍ଷିତ ମଣିଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀ ଅଧିକ ରହୁଥିଲେ ମଧ୍ୟ ଅନ୍ୟ ଦେଶ ପରି ଏଠାରେ ବାଛ ବିଚାର ହୁଏ ନାହିଁ।

ପରିବର୍ତ୍ତିତ ଶିକ୍ଷାର ପ୍ରଭାବ ଧର୍ମ ଉପରେ ପଡ଼ିବ କି?
ନିଶ୍ଚିତ ପଡ଼ିବ। ପିଲାଙ୍କୁ ଅତ୍ୟାଧୁନିକ ଶିକ୍ଷା ଦିଆଯାଉଛି। ଫଳରେ ଯୁବପିଢ଼ି ଧର୍ମଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ଏଭଳି ବିପଥଗାମୀ ହେବାରୁ ରୋକିବାକୁ ହେଲେ ଶିକ୍ଷାରେ ନୈତିକ ଶିକ୍ଷାକୁ ଭର୍ତ୍ତି କରିବାକୁ ପଡ଼ିବ। ଧର୍ମ ହେଉଛି ଏକ ସଂଘ। ପ୍ରଥମେ ଏହାକୁ ବୁଝିବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ଶିକ୍ଷା ଆବଶ୍ୟକ।

ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ କେବେ ଇଚ୍ଛା କରିନାହାନ୍ତି?
ବିଶ୍ୱରେ ଥିବା ମୁସଲାମାନ, ଖ୍ରୀଷ୍ଟିଆନ୍‌ଙ୍କ ପ୍ରମୁଖ ଧର୍ମ ପୀଠକୁ ଯାଇଛି। ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବି ଇଚ୍ଛା ରହିଛି। ଏଥିପାଇଁ ଧର୍ମ ପରିବର୍ତନ କରିବା ମୋ ପକ୍ଷେ ସମ୍ଭବପର ନୁହେଁ। ଶ୍ରୀମନ୍ଦିରକୁ ଅନ୍ୟ ଧର୍ମର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଥିବା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।

ବିଶ୍ୱ ଶାନ୍ତି ପାଇଁ କ’ଣ କହିବେ?
ଆଧାତ୍ମିକ ଜ୍ଞାନର ପରିସୀମାକୁ ବଢ଼ାବାକୁ ହେବ। ଯୁବପିଢ଼ିମାନେ ସେମାନଙ୍କ ମାନସିକତାରେ ପରିବର୍ତନ କରନ୍ତୁ। ନିଜ ଭିତରେ ଆତ୍ମବିଶ୍ୱାସ ବଢ଼ାଇବା ସହ ଏକାଠି ହୋଇ ସବୁ ଦେଶ ବିଶ୍ୱ ଶାନ୍ତି ପାଇଁ ଆଗେଇ ଆସିବା ଦରକାର।

ସମ୍ବନ୍ଧିତ ଖବର