ଦୃଷ୍ଟିହୀନ ପ୍ରେମୀଯୁଗଳଙ୍କ ବିବାହ: ତବଲାବାଦକ ପପୁଙ୍କ ହାତ ଧରିଲେ କଣ୍ଠଶିଳ୍ପୀ ପିଙ୍କି

ବିବାହ ସମ୍ପାଦନ କଲେ ଭଜନ ସମାରୋହ କର୍ମକର୍ତ୍ତା

ଟାଙ୍ଗୀ: ଦୁଇଦିନ ତଳେ ପ୍ରେମୀ ଯୁଗଳଙ୍କ ପାଇଁ ଭାଲେନଣ୍ଟାଇନ୍ ଡେ’ ପାଳନ ହେବାର ଚର୍ଚ୍ଚା ନ କମୁଣୁ ଆଜି ବିବାହ ବନ୍ଧନରେ ଏକାଠି ହୋଇଛନ୍ତି ଦୃଷ୍ଟିହୀନ ପ୍ରେମିକ-ପ୍ରେମିକା। ଏଭଳି ଏକ ବିରଳ ପ୍ରେମ ବିବାହ ହୋଇଛି କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ଵାର ବ୍ଲକ ଅଞ୍ଚଳରେ। କୟଳପଡ଼ା ପଞ୍ଚାୟତ ସିମିଳିହାଣ୍ଡ ଗ୍ରାମର ଗୋଲଖ ଚନ୍ଦ୍ର ସ୍ବାଇଁ ଓ ବିମଳା ସ୍ବାଇଁଙ୍କ ମଝିଆଁ ପୁଅ ଗୋପାଳ(ପପୁ)ଙ୍କ  ହାତ ଧରିଛନ୍ତି ଭୁବନେଶ୍ୱର ହଂସପାଳ ଅଞ୍ଚଳର ସୁରେନ୍ଦ୍ର ସ୍ୱାଇଁ ଓ ସୁଷମା ସ୍ୱାଇଁଙ୍କ ସାନ ଝିଅ ପଙ୍କଜିନୀ(ପିଙ୍କି)।

ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ପପୁଙ୍କର ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା। ସ୍କୁଲ୍‌ରେ ପଢ଼ିବା ବେଳେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ବହୁ ପୁରସ୍କାର ପାଇଥିଲେ ସେ। ଈଶ୍ବରଙ୍କ ପ୍ରଦତ୍ତ ସୁମଧୁର କଣ୍ଠରେ ଗୀତ ଗାଇ ସମସ୍ତଙ୍କୁ ମୁଗ୍‌ଧ କରିପାରୁଥିବା ପପୁ ଜଣେ ଭଲ ତବଲାବାଦକ ବି ହୋଇ ପାରିଥିଲେ। ସେ ଏବେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର୍ ନିକଟସ୍ଥ ଗୋଶାଣି-ନୂଆଗାଁସ୍ଥିତ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ ଅନୁଷ୍ଠାନରେ କଣ୍ଠଶିଳ୍ପୀ ଓ ତବଲାବାଦକ ଭାବେ କାମ କରୁଛନ୍ତି। ପିଙ୍କି ଉକ୍ତ ଅନୁଷ୍ଠାନର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ। ଯାଜପୁର ଅଞ୍ଚଳରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ପରେ ବନ୍ଧୁତା ବଢ଼ିବା ପରେ ଉଭୟ ଏକାଠି ଏହି ଅନୁଷ୍ଠାନରେ ସାତବର୍ଷ ହେବ କାମ କରୁଛନ୍ତି। ପ୍ରଥମମେ ବନ୍ଧୁତାରୁ ଗପସପ ଓ ସୁଖଦୁଃଖ ବାଣ୍ଟିବା ପରେ ଉଭୟଙ୍କ ଭିତରେ ଭଲପାଇବା ବଢ଼ି ପ୍ରେମ ସମ୍ପର୍କ ଦୃଢ଼ ହୋଇଥିଲା। ଉଭୟଙ୍କ ପ୍ରେମକାହାଣୀ ସମ୍ପର୍କରେ ଜାଣିବା ପରେ ଭଜନ ସମାରୋହର ମୁଖ୍ୟ ପରିଚାଳକ ଭବାନୀ ଶଙ୍କର ପାଢ଼ୀ ଉଭୟଙ୍କ ପରିବାର ଲୋକଙ୍କୁ ସେମାନଙ୍କ ପ୍ରେମ ସମ୍ପର୍କରେ ଜଣାଇବା ସହ ସେମାନଙ୍କ ବିବାହ କରାଇବା ପାଇଁ ଉଭୟ ପରିବାରକୁ ରାଜି କରାଇଥିଲେ। ଭାଲେନଣ୍ଟାଇନ୍ ଡେ’ରେ ଉଭୟ ବିବାହ କରିବାକୁ କିଛି ବନ୍ଧୁ ପରାମର୍ଶ ଦେଇଥିଲେ। ତେବେ, ଏହା ବିଦେଶୀ ସଭ୍ୟତାର ଉତ୍ସବକୁ ନିଜ ପ୍ରେମର ସାକ୍ଷୀ ନକରି ଓଡ଼ିଆ ପାରମ୍ପରିକ ରୀତିନୀତି ଅନୁସାରେ ପରିବାର ଲୋକଙ୍କ ଧାର୍ଯ୍ୟ ତିଥିରେ ବିବାହ କରିବାକୁ ସ୍ଥିର କରିଥିଲେ। ଉଭୟ ଆଜି ଡିଅସାହିସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରେ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ କାମ କରୁଥିବା ଭଜନ ସମାରୋହର ମୁଖ୍ୟ ପରିଚାଳକ ଭବାନୀ ଶଙ୍କର ପାଢ଼ୀ ଏହି ବିବାହର ଦାୟିତ୍ଵ ତୁଲାଇଥିବା ବେଳେ ଉଭୟଙ୍କ ପରିବାର, ବନ୍ଧୁବାନ୍ଧବ ଓ ସିମିଳିହାଣ୍ଡ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ। ବିବାହ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକ ମଧ୍ୟ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିବା ସହ ସୁଖମୟ ଦାମ୍ପତ୍ୟ ଜୀବନର କାମନା କରିଥିଲେ।

ସମ୍ବନ୍ଧିତ ଖବର