ଭୁବନେଶ୍ବର: ଭଗବାନ ସିନା ତାଙ୍କୁ ଆଖି ଦେଇନଥିଲେ କିନ୍ତୁ ସୁନ୍ଦର କଣ୍ଠସ୍ବର ଦେଇଥିଲେ। ବଡ଼ ହେବା ପରେ ଏହି କଣ୍ଠ ହିଁ ତାଙ୍କ ପାଇଁ ପାଲଟିଥିଲା ରୋଜଗାରର ସାହାରା। ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା କାହା ଉପରେ ବୋଝ ହେବେନି ଭାବି ନରେନ୍ଦ୍ର ଜେନା (୩୬) ଜଗତସିଂପୁରରୁ ପୁରୀ ଚାଲି ଆସିଥିଲେ। ଭଜନ ସମାରୋହ‌ରେ ଗୀତ ଗାଇ ଯାହା ସଞ୍ଚୟ କରୁଥିଲେ ସେଇଥିରେ ୪ ପ୍ରାଣୀ କଷ୍ଟେମଷ୍ଟେ ବର୍ଷଯାକ ଚଳି ଯାଉଥିଲେ। କାହା ପାଖେ କେବେ ହାତ ପତାଇବାକୁ ପଡ଼ିନଥିଲା। ମାତ୍ର କରୋନା ଯୋଗୁଁ ପୂଜା, ପାର୍ବଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯିବା ପରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୃଷ୍ଟିହୀନ କଣ୍ଠଶିଳ୍ପୀ ଦମ୍ପତି। କେବଳ ଭତ୍ତା ଗଣ୍ଡାକ ମିଳୁଥିଲେ ହେଁ ତାହା ଘର ଭଡ଼ାକୁ ବି ଅଣ୍ଟୁନାହିଁ। ତେଣୁ କଳାକୁ ଆଶ୍ରା କରିଥିବା ଦୃଷ୍ଟିହୀନ କଣ୍ଠଶିଳ୍ପୀ ନିଃସହାୟ ହୋଇପଡ଼ିଛନ୍ତି।

Advertisment

publive-image

ନରେନ୍ଦ୍ରଙ୍କ ଘର ଜଗତସିଂହପୁରସ୍ଥିତ କନ୍ଦରାପଟି ରେଳ ଷ୍ଟେସନ୍‌ ନିକଟରେ। ଜନ୍ମରୁ ଦୃଷ୍ଟିଶକ୍ତି ନଥିବାରୁ ବହୁ କଷ୍ଟରେ ବଢ଼ିଥିଲେ ନରେନ୍ଦ୍ର। ତେବେ କଷ୍ଟ ସତ୍ତ୍ବେ ଭଗବାନ ଦେଇଥିବା ସୁନ୍ଦର କଣ୍ଠକୁ ବିନିଯୋଗ କରି ସେ ରୋଜଗାରର ପନ୍ଥା ପାଇଥିଲେ। ମଞ୍ଚରେ ସେ ଭଜନ ପରିବେଷଣ ବେଳେ ଶ୍ରୋତା ବି ଭାବବିହ୍ବଳ ହୋଇପଡ଼ୁଥିଲେ। ତାଳି ବର୍ଷା ହେଉଥିଲା। କିନ୍ତୁ କରୋନା ଆସି ମଞ୍ଚରେ ତାଲା ଠୁଙ୍କି ଦେଲାନି ଯେ ନରେନ୍ଦ୍ରଙ୍କ ପରିବାରକୁ ଭୋକିଲା କରିଦେଲା। ନରେନ୍ଦ୍ର ଏବେ ସାକ୍ଷୀଗୋପାଳ ସ୍ଥିତ ଖରିକୁଦରେ ରହୁଛନ୍ତି। ସାଥୀରେ ଦୃଷ୍ଟିହୀନ ପତ୍ନୀ ଝରଣା ଜେନା (୩୨) ଓ ଦୁଇ ପୁଅ ଶୁଭଙ୍କର, ଦୀପଙ୍କର ବି ରହୁଛନ୍ତି। ତେବେ ଚଳିବା ପାଇଁ ଅକ୍ଷମ ହୋଇ ପଡ଼ିଥିବାରୁ ସେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି। ବଦାନ୍ୟ ବ୍ୟକ୍ତିମାନେ ନରେନ୍ଦ୍ରଙ୍କୁ ସହଯୋଗ ପାଇଁ ମୋବାଇଲ୍‌ ନମ୍ବର ୯୩୪୮୭୯୭୬୧୨ରେ ଯୋଗାଯୋଗ କରିବାକୁ ସମାଜସେବୀ ଗଗନ ପାଇଟାଳ ନିବେଦନ କରିଛନ୍ତି।