ଦୃଷ୍ଟିବାଧିତ ରାଜା ୭ ଇଂରାଜୀ ଉପନ୍ୟାସର ସ୍ରଷ୍ଟା : ଦେଖିପାରନ୍ତିନି କିନ୍ତୁ ଲେଖିପାରନ୍ତି

ଅକ୍ଷମତା କେବେ ଓଗାଳି ପାରେନା ପ୍ରତିଭାର ବାଟ। ଦୃଢ଼ ଇଚ୍ଛା ଶକ୍ତି ଆଉ ଜୀବନ ପ୍ରତି ଭଲପାଇବା ଥିଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରି ହୁଏ। ବାଙ୍ଗାଲୋରରେ ରହୁଥିବା ଦୃଷ୍ଟିବାଧିତ ଓଡ଼ିଆ ଯୁବକ ଆଇଟି ଇଞ୍ଜିନୟର ତଥା ଔପନ୍ୟାସିକ ରାଜା ମିଶ୍ର(୩୧) ଏହାର ଜ୍ୱଳନ୍ତ ଉଦାହାରଣ।

ପାତ୍ରପଡ଼ା ଅଞ୍ଚଳର ଯୁବକ ରାଜା, ବିରଳ ମାକ୍ୟୁଲାର ଡିଜେନେରେସନ୍‌ ଦୃଷ୍ଟିରୋଗରେ ଆକ୍ରାନ୍ତ। ଏହି ରୋଗରେ ଆଖି ମଧ୍ୟରେ ଥିବା ରେଟିନାର ମଧ୍ୟ ଭାଗ ଧୀରେଧୀରେ ଅକାମି ହୋଇଯାଏ। ବୟସ ଯେତିକି ବଢ଼େ ରୋଗର ପ୍ରଭାବ ମଧ୍ୟ ସେତିକି ବଢ଼ି ଚାଲିଥାଏ । ଶେଷରେ ବ୍ୟକ୍ତି ସଂପୂର୍ଣ୍ଣ ଦୃଷ୍ଟିହୀନ ପାଲଟିଯାଏ।

ରାଜା ନବମ ଶ୍ରେଣୀରୁ ପଢୁଥିବା ବେଳେ ଏହି ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହା ସତ୍ତ୍ୱେ ମଧ୍ୟ ସେ ଭାଙ୍ଗି ପଡ଼ି ନଥିଲେ। କୃତିତ୍ୱର ସହ ହାଇସ୍କୁଲ ଶିକ୍ଷା ସମାପ୍ତ ସହ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଇଂରାଜୀ ସମ୍ମାନରେ ସ୍ନାତକ କରିଛନ୍ତି। ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌ଏ ପାଇଁ ନାମ ଲେଖାଇଥିଲେ। କିନ୍ତୁ ତାଙ୍କ ଆଖି ଅତ୍ୟଧିକ ଖରାପ ହୋଇଯାଇଥିବାରୁ ଅଧାରୁ ସେ ପଢ଼ା ଛାଡ଼ି ଦେଇଥିଲେ। ପରେ ସେ ବାଙ୍ଗାଲୋରସ୍ଥିତ ମିତ୍ରଜ୍ୟୋତି ଅନୁଷ୍ଠାନରେ ଯୋଗ ଦେଇଥିଲେ। ସେଠାରେ ଦୃଷ୍ଟିହୀନମାନେ କିପରି ଚଲାବୁଲା କରନ୍ତି, ନିଜର ଦାୟିତ୍ୱ ତୁଲାଇ ଥା’ନ୍ତି ସେ ସମ୍ପର୍କରେ ତାଲିମ ହାସଲ କରିଥିଲେ। ସେଠାରେ କମ୍ପ୍ୟୁଟର ଅକ୍ଷରକୁ ଏକ ସ୍ୱତନ୍ତ୍ର ସଫ୍ଟେଓ୍ଵୟାର ଜରିଆରେ ଶୁଣି କିପରି କାର୍ଯ୍ୟ କରିହେବ ସେ ଶିକ୍ଷା ହାସଲ ମଧ୍ୟ କଲେ। ଏଥିସହିତ ଟିସିଏସ୍‌ରେ ଦୃଷ୍ଟିବାଧିତଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ହାସଲ କଲେ। କ୍ୟାମ୍ପସ ସିଲେକ୍ସନ ଜରିଆରେ ବର୍ତମାନ ସିସ୍କୋ ସିଷ୍ଟମ କମ୍ପାନିରେ ଆଇଟି ଇଞ୍ଜିନୟର ଭାବେ କାର୍ଯ୍ୟରତ।

ଚାକରି କରିବା ସହ ସେଲିବ୍ରେସନ୍‌ ଅଫ୍‌ ଲଭ୍‌, ବ୍ଲାଇଣ୍ଡ ଗାଏ ମିଟ୍‌ସ ଡାଇଙ୍ଗ୍‌ ଗାର୍ଲ, ଭଲ୍‌କାୟାର, ଷ୍ଟିଗ୍‌ମା, ବ୍ଲିଡିଂ ବାରିଅର୍‌ସ, ମିଡିଲ୍‌ ମାର୍ଚ ଭଳି ଇଂରାଜୀ ଉପନ୍ୟାସ ଲେଖିଛନ୍ତି। ଶହେରୁ ଅଧିକ କବିତା ଓ ଅନେକ କ୍ଷୁଦ୍ର ଗଳ୍ପ ରଚନା କରିଛନ୍ତି। ଏଥିରୁ ୩ଟି ଉପନ୍ୟାସ ପ୍ରକାଶିତ ହୋଇ ବିପୁଳ ପାଠକୀୟ ଆଦୃତି ଲାଭ କରିଛି।

ରାଜା କହନ୍ତିି, ସରକାର ଦୃଷ୍ଟିହୀନଙ୍କୁ ସମାଜର ମୁଖ୍ୟସ୍ତରରେ ସାମିଲ କରିବା ନେଇ କାର୍ଯ୍ୟ କରିବା ଦରକାର। ଓଡ଼ିଶାରେ ଅନେକ ଦୃଷ୍ଟିବାଧିତ ଲୋକ ରହିଛନ୍ତି। ସେମାନଙ୍କ ଉନ୍ନତି ପାଇଁ ଅନେକ ଥର ମୁଁ ଓଡ଼ିଶା ସରକାରଙ୍କ ବିଭାଗୀୟ ଅଧିକାରୀଙ୍କୁ ଭେଟିଛି। ଓଡ଼ିଶାର ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥାରେ ଦୃଷ୍ଟିବାଧିକଙ୍କ ପାଇଁ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବା ଦରକାର।

ସମ୍ବନ୍ଧିତ ଖବର