ଧଉଳି: ପୁରୀ ଜିଲ୍ଲା ପିପିଲି ଏନ୍‌ଏସି, ସଂଘଳେଇଶାସନ ଏବଂ ଗୋପ ଅଞ୍ଚଳର ଭାଗଚାଷୀଙ୍କୁ ଜମି ମାଲିକ ଓ ବିଲ୍‌ଡର ବେଆଇନ ଭାବେ ବେଦଖଲ କରିଥିବା ଅଭିଯୋଗ କରି ଆଜି ଶତାଧିକ ଭାଗଚାଷୀ ଲିଙ୍ଗିପୁର ଟ୍ରା‌ଫିକ୍‌ ଛକରେ ପୁରୀ ଜାତୀୟ ରାଜପଥ ଅବ‌ରୋଧ କରିଥିଲେ। ଜାତୀୟ ଦଳିତ ଆଦିବାସୀ ମାଇନରଟି ମହାସଂଘ ପକ୍ଷରୁ ହୋଇଥିବା ଏହି ବିକ୍ଷୋଭ ଯୋଗୁଁ ଲିଙ୍ଗିପୁର ଟ୍ରଫିକ୍‌ ପୋଷ୍ଟ ଜାମ୍‌ ହୋଇଯାଇଥିଲା। ଫଳରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ପୁରୀ ଭୁବନେଶ୍ବରରୁ ଯାତାୟାତ କରୁଥିବା ଗାଡ଼ିମଟର ଅଟକି ରହିଥିଲା।

Advertisment

ଅଭିଯୋଗ ଅନୁସାରେ ଜଣେ ବିଲ୍‌ଡର ବଳପୂର୍ବକ ଭାଗଚାଷୀଙ୍କ ଜମିକୁ କବ୍‌ଜା କରିନେଇଛନ୍ତି। ଏଗ୍ରିମେଣ୍ଟ ବଳରେ ଜମି ମାଲିକଙ୍କ ଚାଷ ଜମି କରାୟତ୍ତ କରିବା ପରେ ଭାଗଚାଷୀଙ୍କୁ ନାଲି ଆଖି ଦେଖାଇ ବେଦଖଲ କରିଛନ୍ତି। ଶହଶହ ବର୍ଷ ଧରି ବାପାଅଜା ଅମଳରୁ ଜମି ଚାଷ କରୁଥିବା ଭାଗଚାଷୀମାନଙ୍କ ଭାତ ହାଣ୍ଡି ଭାଙ୍ଗି ଯାଇଛି। ତେଣୁ ସେମାନଙ୍କୁ ନ୍ୟାୟ ପ୍ରଦାନ ଦାବି‌ରେ ସେମାନେ ଆଜି ପୁଲିସ ଡିଜିଙ୍କୁ ଭେଟିବାକୁ କଟକ ଅଭିମୁଖେ ବାହାରିଥିଲେ। କିନ୍ତୁ ଧଉଳି ଥାନା ପୁଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ଲିଙ୍ଗିପୁର ଛକରେ ରାଜପଥକୁ ଅବରୋଧ କରି ବସିଯାଇଥିଲେ। ପରେ ସେମାନେ ନବୀନ ନିବାସ ଅଭିମୁଖେ ବାହାରିଥିଲେ। କିନ୍ତୁ ପୁଲିସ ପୁରୁଣା ଭୁବନେଶ୍ବର ଗ୍ୟାରେଜ୍‌ ଛକରେ ଅଟକାଇବାରେ ସକ୍ଷମ ହୋଇଥିଲା। ତେବେ ମହାସଂଘର ଏକ ୧୦ ଜଣିଆ ପ୍ରତିନିଧି ଦଳକୁ କମିସନରେଟ୍‌ ପୁଲିସ ଡିଜିପିଙ୍କ ସହ ସାକ୍ଷାତ କରାଇବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।