ରକ୍ତ ସଂଗ୍ରହ ବସ୍‌ର ଏସି ଅଚଳ

ଅନ୍ୟ ରକ୍ତ ଭଣ୍ଡାର ପାଇଁ କିଣାଯିବ ୯ଟି ରକ୍ତ ସଂଗ୍ରହ ଭ୍ୟାନ୍

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସରରେ ରକ୍ତ ସଂଗ୍ରହ ପାଇଁ ଥିବା ବସ୍‌ର ଏସି ଅଚଳ ହୋଇ ପଡ଼ିଛି। ଏସି କାମ ନ କରିବା ସହିତ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ବସ୍‌କୁ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟବହାର କରାଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ଛୋଟ ଛୋଟ କ୍ୟାମ୍ପ ଜରିଆରେ ରକ୍ତ ସଂଗ୍ରହ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଅପରପକ୍ଷରେ ବସ୍‌ରେ ଆବଶ୍ୟକ ମରାମତି ପାଇଁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିକୁ ଚିଠି ଲେଖାଯାଇଥିବା ରକ୍ତ ଭଣ୍ଡାର ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ, ରକ୍ତଭଣ୍ଡାରରେ ଥିବା ଏହି ବସ୍‌ଟି ମୁଖ୍ୟତଃ ଖରାଦିନ ଓ ବର୍ଷାଦିନରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଲେ ଛୋଟ ଛୋଟ କ୍ୟାମ୍ପ ଜରିଆରେ ରକ୍ତ ସଂଗ୍ରହ କରାଯାଇଥାଏ। ଏଥିରେ ବସ୍‌ଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରରେ ଥିବା ବସ୍‌ରେ ୪ଟି ସିଟ୍ ରହିଥିବା ବେଳେ ରକ୍ତକୁ ସୁରକ୍ଷିତ ରଖିବା ପାଇଁ ଫ୍ରିଜର ଓ ଅନ୍ୟାନ୍ୟ ସୁବିଧା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯାଇଥିଲା। ମାତ୍ର ଗତ ୧ମାସ ହେବ ଏହାର ଏସି ଖରାପ ହୋଇଯାଇଛି। ତେଣୁ ରାସ୍ତା କଡ଼ କିମ୍ବା ଛୋଟ ଛୋଟ କ୍ୟାମ୍ପ ଜରିଆରେ ରକ୍ତ ସଂଗ୍ରହ ପାଇଁ ବସ୍‌ ଯାଇପାରୁନାହିଁ।

କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର କହିଛନ୍ତି, ମାସେ ହେବ ବସ୍‌ରେ ସମସ୍ୟା ଦେଖା ଦେଇଛି। ଏହାର ମରାମତି ପାଇଁ ଓସାକ୍ସକୁ ଚିଠି ଲେଖାଯାଇଛି। ୫ବର୍ଷିଆ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ଜରିଆରେ ନିଷ୍ପତ୍ତି ହୋଇପାରେ। କ୍ୟାମ୍ପ୍ ପୂର୍ବଭଳି ଜାରି ରହିଛି। ଏବେ ରକ୍ତ ଭଣ୍ଡାରରେ ୬ଶହ ୟୁନିଟ୍‌ର ରକ୍ତ ସଂରକ୍ଷିତ ରହିଛି। ତେଣୁ ଏବେ ରାସ୍ତା କଡ଼ର କ୍ୟାମ୍ପର ଆବଶ୍ୟକତା ନାହିଁ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ଥିବା ବିଭିନ୍ନ ରକ୍ତ ଭଣ୍ଡାର ପାଇଁ ୯ଟି ରକ୍ତ ସଂଗ୍ରହ ଭ୍ୟାନ୍ କିଣାଯିବାକୁ ନିଷ୍ପତ୍ତି ହୋଇଛି। ୨ଟି ସିଟ୍ ରହିଥିବା ଏହି ଭ୍ୟାନ୍‌ଗୁଡ଼ିକୁ ମେଡିକାଲ କଲେଜ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ରକ୍ତ ସଂଗ୍ରହ ପାଇଁ ପଠାଯିବ। ରାଜ୍ୟ ଔଷଧ ନିଗମ ଜରିଆରେ ଏହି ଭ୍ୟାନ କିଣା ଯାଉଥିବା ସୂଚନା ମିଳିଛି। ଏହିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଟେଣ୍ଡର କରାଯାଇଛି। ଏଥିପାଇଁ ନିଗମର ଅଧିକାରୀ ଭ୍ୟାନ୍‌ ନିର୍ମାଣ ହେଉଥିବା ସ୍ଥାନ ପରିଦର୍ଶନ କରିସାରିଛନ୍ତି। ଏହି ଭ୍ୟାନ୍‌ରେ ରକ୍ତ ସଂଗ୍ରହ ପାଇଁ ଆବଶ୍ୟକ ଫ୍ରିଜର, ଡୋନର କାଉଚ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ଉପରେ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯାଇଛି। ତେବେ ଗତ ୧ବର୍ଷ ହେଲା ଏହି ଭ୍ୟାନ୍‌ ପାଇଁ ନିଷ୍ପତ୍ତି ହୋଇଥିଲେ ‌ହେଁ ବିଭିନ୍ନ କାରଣରୁ ଏଥିପାଇଁ ବିଳମ୍ବ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର