ଖଣ୍ତଗିରି: ଭୁବନେଶ୍ବର ଏମ୍ସରେ ଏକ ଅତ୍ୟାଧୁନିକ ରକ୍ତଭଣ୍ତାର ଉଦ୍ଘାଟିତ ହୋଇଯାଇଛି। ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିିଭାଗର ଏହି ରକ୍ତ ଭଣ୍ତାରରେ ଲାଗିଥିବା ଉନ୍ନତମାନର ଯନ୍ତ୍ରପାତି ରକ୍ତର ବିଭିନ୍ନ ଉପାଦାନ ସବୁକୁ ରକ୍ତଛଣା ପଦ୍ଧତିରେ ପୃଥକ କରିବ। ମୁଖ୍ୟ ଉପାଦାନ ଯଥା ଲୋହିତ ରକ୍ତ କଣିକା (ଆର୍ବିସି), ଫ୍ରେସ୍ ଫ୍ରୋଜେନ୍ ପ୍ଲାଜ୍ମା, ପ୍ଲେଟିଲେଟ୍, ସାଲାଇନ୍ ଵାସ୍ଡ୍ ଆରବିସି, ଲିଉକ୍ଲୋଡିପ୍ଲେଟିଲେଡ୍ ଆରବିସି ଭଳି ଗୁରୁତ୍ବପୂର୍ଣ୍ଣ ଉପାଦାନକୁ ଅଲଗା କରାଯାଇ ପାରିବ। ସେହିଭଳି ଏହି ମେସିନ୍ରେ ମଧୢ ପେଡିଆଟ୍ରିକ୍ ବ୍ଲଡ୍ ବ୍ୟାଗ୍ (୫୦ ବା ୧୦୦ମିଲି ପ୍ୟାକ୍) ପ୍ରସ୍ତୁତ ହୋଇପାରିବ। ଫଳରେ ରୋଗୀର ଆବଶ୍ୟକ ଅନୁସାରେ ଅର୍ଥାତ୍ ପରିମାଣ ଓ ଉପାଦାନ ଅନୁସାରେ ରୋଗୀକୁ ରକ୍ତ ଯୋଗାଇ ଦିଆଯାଇପାରିବ। ପୂର୍ବ ଭାରତରେ ସରକାରୀ ହସ୍ପିଟାଲ କ୍ଷେତ୍ରରେ ଏଭଳି ଅତ୍ୟାଧୁନିକ ରକ୍ତଭଣ୍ତାର ପ୍ରଥମ ବୋଲି କୁହାଯାଇପାରେ। କ୍ୟାପିଟାଲ ହସ୍ପିଟାଲରେ ଏଭଳି ବ୍ୟବସ୍ଥା ଥିଲେ ବି ରକ୍ତର ସମସ୍ତ ଉପାଦାନକୁ ଏଠାରେ ପୃଥକ କରାଯାଇପାରେ ନାହିଁ। କିଛି ଉପାଦାନକୁ କ୍ୟାପିଟାଲ ହସ୍ପିଟାଲରେ ରକ୍ତରୁ ଛଣା ଯାଇ ପାରୁଛି।
ନିର୍ଦେଶିକା ଗୀତାଞ୍ଜଳି ବାତ୍ମାବାନୋ ଏହି ରକ୍ତ ଭଣ୍ତାରକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସୂଚନା ଦେଇ ସେ କହିଛନ୍ତି ଯେ ଏଠାରେ ଲାଗିଥିବା ରକ୍ତ ଛଣା ମେସିନ୍ ଦ୍ବାରା ପ୍ଲାଜ୍ମା ଫେରେସିସ୍, ଲିଉକା ଫେରେସିସ୍, ଷ୍ଟେମ୍ ସେଲ୍ ଫେରେସିସ୍ ଓ ଏରିଥ୍ରୋ ସାଇଟା ଫେରେସିସ୍ ଭଳି ସ୍ବତନ୍ତ୍ର ଅତ୍ୟାଧୁନିକ ରକ୍ତ ଛଣା ପଦ୍ଧତି କାର୍ଯ୍ୟକାରୀ ହେବ। ଏହା ରୋଗୀମାନଙ୍କ ଉତ୍ତମ ଓ ଠିକ୍ ଚିକିତ୍ସା ପାଇଁ ଜରୁରି। ସେ ଆହୁରି କହିଥିଲେ ଯେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଓ ଭୁବନେଶ୍ବର ଏମ୍ସ ମିଳିତ ଭାବେ ଏଥିରୁ ଉପକୃତ ହେବେ। ଭୁବନେଶ୍ବର ଏମ୍ସକୁ ସରକାରୀ ହସ୍ପିଟାଲମାନେ ରକ୍ତ ଯୋଗାଇବେ ଓ ରକ୍ତଛଣା ପ୍ରକ୍ରିୟା ପରେ ରୋଗୀ ଦରକାର କରୁଥିବା ଆବଶ୍ୟକ ଉପାଦାନକୁ ନେବେ। ଫଳରେ ରୋଗୀଙ୍କୁ ଅନାବଶ୍ୟକ ଭାବେ ରକ୍ତ ଦେବାକୁ ପଡ଼ିବ ନାହିଁ। ବିଶେଷକରି ଡେଙ୍ଗୁ ରୋଗୀମାନଙ୍କୁ ରକ୍ତର ଉପାଦାନ ପ୍ଲେଟିଲେଟ୍ ଯୋଗାଇବା ପାଇଁ ଏମ୍ସର ଏହି ରକ୍ତ ଭଣ୍ତାର ବେଶ୍ ସହାୟକ ହେବ ବୋଲି ସେ କହିଥିଲେ। ସେହିଭଳି ହେମେଟୋ ଅଙ୍କୋଲୋଜି ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ କଣିକା ଏହି ଭଣ୍ତାରରୁ ମିଳିପାରିବ। ଜରୁରି ପରିସ୍ଥିତିରେ ମଧୢ ସରକାରୀ ହସ୍ପିଟାଲ୍ମାନେ ଏମ୍ସ ରକ୍ତ ଭଣ୍ତାରରୁ ପ୍ରତିବଦଳ ବିନା ଛଣା ରକ୍ତକଣିକା ନେଇପାରିବେ ବୋଲି ନିର୍ଦେଶିକା ସୂଚନା ଦେଇଥିଲେ। ଭବିଷ୍ୟତରେ ଏହି ରକ୍ତଭଣ୍ତାର ଏକ ତାଲିମ୍ କେନ୍ଦ୍ର ଭାବେ କାମ କରିବ ବୋଲି ସେ ସୂଚନା ଦେଇଥିଲେ।