ନୂଆ ବର୍ଷ ପାଳନ ଅବସରରେ ରକ୍ତଦାନ ଶିବିର

ଫାଲକନ୍‌ରୁ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ୱର : ସାରା ବିଶ୍ୱ ନୂଆବର୍ଷକୁ ବିଭିନ୍ନ ଢଙ୍ଗରେ ସ୍ୱାଗତ କରୁଥିଲାବେଳେ ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ ଆୟୋଜନ କରି ନୂଆବର୍ଷ ପାଳନ କରିଛନ୍ତି ଫାଲକନ୍‌ ମେରାଇନ୍‌ ଏକ୍ସପୋର୍ଟ ଲିମିଟେଡ୍‌ର କର୍ମକର୍ତ୍ତା। ‘ରାଜ୍ୟରେ ରକ୍ତର ଅଭାବରେ କାହାରିକୁ ମରିବାକୁ ଦେବାନାହିଁ’ ସଂକଳ୍ପ ନେଇଥିବା ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଫାଲକନ୍‌ ଓ କୁଶ ଫାଉଣ୍ଡେସନ୍‌ ପକ୍ଷରୁ ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଭୁବନେଶ୍ୱର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ସ୍ଥିତ ଫାଲକନ୍‌ ମେରାଇନ୍‌ ଏକ୍ସପୋର୍ଟ ଲିମିଟେଡ୍‌ର କାର୍ଯ୍ୟାଳୟ ପରିସରରେ ଅୁନୁଷ୍ଠିତ ଏହି ଶିବିରକୁ ଫାଲ୍‌କନ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଭାରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଫାଲକନ୍‌ର ନିର୍ଦ୍ଦେଶିକା ରଶ୍ମିତା ପଟ୍ଟନାୟକ, ଛନ୍ଦା ପଟ୍ଟନାୟକ, ପ୍ରିୟଙ୍କା ପଟ୍ଟନାୟକ ଓ ମୁଖ୍ୟ ପରିଚାଳନା ଅଧିକାରୀ ପି.ପଦ୍ମନାଭନ ତଥା କୁଶ ଫାଉଣ୍ଡେସନ୍‌ର ଟ୍ରଷ୍ଟି ଜଲି ପଟ୍ଟନାୟକ ଏହି ଶିବିରରେ ଉପସ୍ଥିତ ଥିଲେ। ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରୀତମ୍‌ ଦାସ ଓ ଅଭିନେତ୍ରୀ ଲିପ୍‌ସା ପ୍ରମୁଖ ନୂଆବର୍ଷ କେକ୍‌ କାଟିବା ସହିତ ଉଷାକିରଣ ଫାଉଣ୍ଡେସନ୍‌ର ଅନ୍ତେବାସୀମାନଙ୍କୁ ନୂଆ ବସ୍ତ୍ର ଉପହାର ଦେଇଥିଲେ।

ଫାଲ୍‌କନ୍‌ ପକ୍ଷରୁ ଆଶୁତୋଷ ଦାସ ଓ ସୁରେଶ କୁମାର ଏହି ଶିବିରକୁ ପରିଚାଳନା କରିଥିବାବେଳେ ଶତାବ୍ଦୀ ପରିଜା, ସ୍ନେହଲତା ପ୍ରଧାନ, ରଶ୍ମିରେଖା ସାହୁ, କଳ୍ପନା ସାହୁ, ଶିବ ପ୍ରସାଦ ଦାସ, ପ୍ରକାଶ ଦାସ ଓ ଜୟଦେବ ନାୟାର ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୧୦୧ ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ଜୟଦୀପ ଘୋଷ, ସହକର୍ମୀ ସଂଘମିତ୍ରା ସ୍ୱାଇଁ, କୈବଲ୍ୟ ପ୍ରଧାନ, ପ୍ରକାଶ ବରାଳ ଓ ବିଷ୍ଣୁ ସ୍ୱାଇଁ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର