କଟକ: ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ଗୋଟିଏ ଦିନରେ ୨୨୨୨ ୟୁନିଟ୍ ରକ୍ତ ସଂଗ୍ରହ କରି ରେକର୍ଡ ସୃ‌ଷ୍ଟି କରିଥିଲେ। ଏହି ରେକର୍ଡ ଭାଙ୍ଗିବା ଉଦ୍ଦେଶ୍ୟରେ ସପ୍ତାହବ୍ୟାପୀ ଆୟୋଜିତ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ୨୦୦୬, ଅକ୍ଟୋବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ‘ଆମ ଓଡ଼ିଶା’ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଗୋଟିଏ ଦିନରେ ଅର୍ଥାତ୍‌ ୨୦୦୬, ଅକ୍ଟୋବର ୨୫ ତାରିଖରେ ‘ଆମ ଓଡ଼ିଶା’ ୨୫୦୦ ୟୁନିଟ୍ ରକ୍ତ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଘଟଣା ‘ଆମ ଓଡ଼ିଶା’କୁ ରକ୍ତଦାନ ଅଭିଯାନକୁ ରାସ୍ତା ଦେଖାଇଥିଲା। ଗଭୀର ଆତ୍ମବିଶ୍ବାସ ଓ ପ୍ରବଳ ଇଚ୍ଛାଶକ୍ତି ବଳରେ ସବୁ କିଛି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
       

Advertisment

କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାର ପକ୍ଷରୁ ଆୟୋଜିତ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଜଣେ ବ୍ୟକ୍ତିଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ରକ୍ତଦାନ ଆବଶ୍ୟକ। ରକ୍ତଦାନ କରି ଜଣେ ବ୍ୟକ୍ତି ନିଜକୁ ସୁସ୍ଥ ରଖିବା ସହିତ ଆଉ ତିନି ଜଣଙ୍କର ଜୀବନ ବଞ୍ଚାଇଥାନ୍ତି। ରକ୍ତଦାନ ଭଗବାନଙ୍କ ନିର୍ଦ୍ଦେଶ ଓ ଏହା ରକ୍ତଦାତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ ରକ୍ତଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ‘ସମ୍ବାଦ-ଆମ ଓଡ଼ିଶା’, ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ, ଶ୍ରୀଅନନ୍ତ ଗୋପାଳ ଭକ୍ତ ସମାଜ ସେବାସଂଘ ସମେତ ୯୮ଟି ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଫଳକ, ମାନପତ୍ର ଓ ଚାରାବୃକ୍ଷ ପ୍ରଦାନ କରି ସମ୍ମାନିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ୍‌ ରକ୍ତଭଣ୍ଡାର ନ‌ି‌ର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସଙ୍କ ‌ପୌରୋହିତ୍ୟରେ ରକ୍ତଭଣ୍ଡାର ସମ୍ମିଳନୀ କକ୍ଷରେ ଆୟୋଜିତ ରକ୍ତଦାନ ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା, ସର୍ବାଧିକ ରକ୍ତଦାନ କରିଥିବା ‘ସମ୍ବାଦ-ଆମ ଓଡ଼ିଶା’କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଆୟୋଜକଙ୍କୁ ଅଧିକ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ରେଡକ୍ରସ୍ କେନ୍ଦ୍ରୀୟ ରକ୍ତଭଣ୍ଡାର ଆୱାରନେସ୍‌ କମିଟି ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ଅନ୍ୟତମ ଅତିଥି ଭାବେ ରକ୍ତକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର କିଶୋର ଚନ୍ଦ୍ର ବେହେରା, ଡାକ୍ତର ବିନାୟକ ପୃଷ୍ଟି, ଡାକ୍ତର ରଘୁନାଥ ବେହେରା ପ୍ରମୁଖ ରକ୍ତଦାନ କରିଥିବା ବିଭିନ୍ନ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ରକ୍ତକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର କନକଲତା ଦେଈ ଧନ୍ୟବାଦ ଅର୍ପଣ କରିଥିବା ବେଳେ କେନ୍ଦ୍ରର ବିତ୍ତ ଅଧିକାରୀ ସରୋଜ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।