ସ୍ବର୍ଗତ କାଳୀପ୍ରସାଦଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ବର: ଭୁବନେଶ୍ବରର ବିଶିଷ୍ଟ ସମାଜସେବୀ, ପରିବେଶବିତ୍, ଭାଷାପ୍ରାଣ ତଥା ବିଜୁ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ସ୍ବର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ୫୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ସନ୍ସ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଜଗନ୍ନାଥନଗରସ୍ଥିତ ବିଜୁ ପଟ୍ଟନାୟକ କଲେଜ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶ‌ା ପ୍ରଦେଶ କଂଗ୍ରେସର ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ନ୍ୟାସିମଣ୍ଡଳର ସଭାପତି ତଥା ବିଜୁ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ସମୂହର ସଭାପତି ଶ୍ରୀଯୁକ୍ତ ସୀତାବଲ୍ଲଭ ମହାପାତ୍ର ଓ ରାମଚନ୍ଦ୍ର ଭୋଳ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ସାମନ୍ତରାୟଙ୍କ ସ୍ମୃତିଚାରଣ କରିବା ସହିତ ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମିର ଅଧ୍ୟକ୍ଷ ମନୋରଂଜନ କର ଏହି ଶିବିରକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୨୫ଜଣ ସ୍ବେଚ୍ଛା ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶିବିରଟି ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ବର୍ଗତ ସାମନ୍ତରାୟଙ୍କର ଏକ ପ୍ରତିମୂର୍ତ୍ତି ତାଙ୍କର ଜନ୍ମମାଟି ଅମଣାକୁଦଗଡ଼ସ୍ଥିତ ଦି ମଦର ପବ୍ଲିକ୍ ସ୍କୁଲ ପ୍ରାଙ୍ଗଣରେ ସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର