ଭାଲେଣ୍ଟାଇନ୍ ଡେ’ରେ ଟିମ୍ ‘ହମ୍ ହେ’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଯଦି ନାଲି ଗୋଲାପ ଦେଇ ପ୍ରେମିକ ବା ପ୍ରେମିକାର ହୃଦୟ ଜିଣି ହୁଏ ତେବେ ହୃଦୟରୁ ନାଲି ରକ୍ତ ଟୋପାଏ ଦେଇ କାହାର ଜୀବନ ବଞ୍ଚାଇପାରିଲେ କେତେ ଯେ ଆତ୍ମତୃପ୍ତି ମିଳେ ତାହା କେବଳ ଜଣେ ରକ୍ତଦାତା ହିଁ ବୁଝିପାରିବ। ଆଉ ସେଇ ରକ୍ତଦାତା ଯଦି ଜଣେ ସଚ୍ଚା ପ୍ରେମିକ ବା ପ୍ରେମିକା ହୁଏ ତେବେ ରକ୍ତ ଦେଇ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ତା’ ପାଇଁ ନିଶ୍ଚୟ ଗର୍ବର କଥା। ଏଭଳି ମହତ୍‌ କାର୍ଯ୍ୟ ଆଜି କରିଛନ୍ତି ଟିମ୍ ‘ହମ୍ ହେ’ର ସଦସ୍ୟ ସଦସ୍ୟାବୃନ୍ଦ। ସ୍ଥାନୀୟ ପୁରୁଣା ଭୁବନେଶ୍ୱରସ୍ଥିତ ମ୍ୟୁନିସିପାଲିଟି ରକ୍ତଭଣ୍ଡାରରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ସେମାନେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଶିବିରରେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଟିମ୍‌ର ପ୍ରତିଷ୍ଠାତା ଦେବେଶ ଦିବ୍ୟଦର୍ଶନ, ଅମନ୍ଦୀପ, ପ୍ରଭ୍‌ଦୀପ୍, ଆକାକ୍ଷାଂ, ଆଶା, ଲକ୍ଷ୍ମୀ ଓ ସ୍ମୃତିରଂଜନ ଶିବିର ପରିଚାଳନା କରିଥିଲେ। ରକ୍ତଭଣ୍ଡାର ପକ୍ଷରୁ ଅଜୟ ସେନାପତି ଓ ଶିବପ୍ରସାଦ ବେହେରା ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ଶିବିର ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର