ରକ୍ତଦାନ କାର୍ଯ୍ୟକ୍ରମ ଈଶ୍ବରଙ୍କ ଆଦେଶ: ସୌମ୍ୟରଂଜନ

ଅଲୱେଜ୍‌ ବେଟର୍‌ ଚାରିଟେବୁଲ ଟ୍ରଷ୍ଟ’ର ଚତୁର୍ଥ ସମାବର୍ତନ ଉତ୍ସବ

ଭୁବନେଶ୍ବର: ରକ୍ତଦାନ କାର୍ଯ୍ୟକ୍ରମ ଈଶ୍ବରଙ୍କ ଆଦେଶ। ସମସ୍ତେ ରକ୍ତଦାନ କରିପାରିବେ ନାହିଁ। ଯେଉଁମାନେ ସୁସ୍ଥ ରହିବେ, ସେହିମାନେ ହିଁ ରକ୍ତଦାନ କରିପାରି‌ବେ; ଅସୁସ୍ଥ ଲୋକଙ୍କ କାମରେ ଆସିବେ। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ଆଜି ୟୁନିଟ-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟଠାରେ ‘ଅଲୱେଜ୍‌ ବେଟର୍‌ ଚାରିଟେବୁଲ ଟ୍ରଷ୍ଟ’ର ଚତୁର୍ଥ ସମାବର୍ତନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ମଣିଷ ସବୁ କାରଖାନା ନିର୍ମାଣ କରିଛି। କିନ୍ତୁ ରକ୍ତ ତିଆରି କାରଖାନା ତିଆରି କରିପାରୁନାହିଁ। ମଣିଷର ଅହଂକାର ଭାଙ୍ଗିବା ପାଇଁ ଈଶ୍ବର ଏଭଳି କରିଛନ୍ତି। ତେଣୁ ବର୍ଷକୁ ଅତି କମ୍‌ରେ ଥରୁଟିଏ ରକ୍ତଦାନ କରିବା ଉଚିତ। ଫଳରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, ସମାଜର ମଙ୍ଗଳ ପାଇଁ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟ କରିବା ଉଚିତ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କପୋର୍ରେଟର୍‌ ଏସ୍‍.କେ ନିଜାମୁଦ୍ଦିନ୍‌, ଅନୁଷ୍ଠାନର ମୁଖ୍ୟ କମଳାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବାଦର ସାମ୍ବାଦିକ ତାପସ ଦାସ, ସାମ୍ବାଦିକ ପ୍ରବୀର ପ୍ରଧାନ, ଜିତେନ୍ଦ୍ର ସାହୁ, ଅକ୍ଷୟ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ସକାଳୁ ଟ୍ରଷ୍ଟ ଓ ‘ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୩୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ କର୍ପୋରେଟର୍‍ ଏସ୍‍.କେ ନିଜାମୁଦ୍ଦିନ୍‍, ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, କ୍ୟାପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର ଓ ସୋନି ସିଲ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ କମଳାକାନ୍ତ ସାହୁ, ସଂପାଦକ ତୁଳସୀ ରାଉତ, ଟ୍ରଷ୍ଟି ଶ୍ରୁତିରଂଜନ ସାହୁ ଓ ଉସପଭାପତି ବିଧାନଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୁଶାନ୍ତ ଆଚାର୍ଯ୍ୟ ଶିବିର ସଂଯୋଜନା କରିଥିବା ବେଳେ ଆଶିଷ ପାଣି ଓ ରଂଜିତ ବେହେରା ପରିଚାଳନା କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର