ଭୁବନେଶ୍ବର: ଅଶୀ ଦଶକରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ଓଡ଼ିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍। କ୍ଲାସିକ୍ ସିନେମା ନହେଲେ ମଧ୍ୟ ବହୁ ଦର୍ଶକଙ୍କୁ ପ୍ରେକ୍ଷାଳୟମୁହାଁ କରିଥିବା ରକ୍ତ ଗୋଲାପ ସେଲୁଲଏଡ୍ ରୂପରେ ପ୍ରଯୋଜକ ଶଶାଙ୍କ ଶେଖର ମିଶ୍ରଙ୍କଠାରୁ ଉଦ୍ଧାର କରି ପ୍ରାରମ୍ଭିକ କାମ ଆରମ୍ଭ କରିଛି ଫୋରମ୍। ଭୋଳାରେ ଭୋଳା ତୋର ବୁଡ଼ିଲା ଭେଳା..., ମମତାର ମଧୁମତି ସରମି ଲତା… ଭଳି ଗୀତ ଅନେକଙ୍କ ହୃଦୟରେ ସାଇତା ଥିବା ବେଳେ ଏହି ସବୁ ଗୀତ ସହ ଚଳଚ୍ଚିତ୍ର ଦେଖିବାର ଅବକାଶ ମିଳିବ। ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ସୁରେଶ ମିଶ୍ର, ନିତ୍ୟାନନ୍ଦ ଦାଶ, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ହାଲାମ ପ୍ରମୁଖ ଅଭିନୟ କରିଥିବା ବେଳେ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ ଦକ୍ଷିଣ ଭାରତୀୟ ନିର୍ଦେଶକ ଭୀମେଶ୍ବର ରାଓ। ଧନଞ୍ଜୟ ଶତପଥୀ ଏଥିରେ ପ୍ରଥମ ଓ ଶେଷଥର ପାଇଁ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଅକ୍ଷୟ ମହାନ୍ତି ଓ ପ୍ରଣବ ପଟ୍ଟନାୟକ କଣ୍ଠଦାନ କରିଥିଲେ। ଫିଲ୍ମଟି ଜୟପୁର ଅଞ୍ଚଳରେ ସୁଟିଂ ହୋଇଥିଲା। ୧ ଜାନୁଆରି ୧୯୭୮ ମସିହାରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିବା ବେଳେ ଦର୍ଶକଙ୍କ ଆଦୃତି ଲାଭ କରିଥିଲା। ଫୋରମ୍ର ସୂର୍ଯ୍ୟ ଦେଓଙ୍କ କହିବା ମୁତାବକ ଫିଲ୍ମର ରିଲ୍ଟି ପାଣି ମାରି ଯାଇଥିଲା। ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ‘ଭାରତୀୟ ଫିଲ୍ମ ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା’ରେ ସାମିଲ୍ ହେବା ପରେ ସେ ଏହି ରିଲ୍କୁ ଉଦ୍ଧାର କରି ପ୍ରାରମ୍ଭିକ ପର୍ଯ୍ୟାୟ କାମ ଆରମ୍ଭ କରିଛନ୍ତି। ତେବେ ରିଲ୍ର ଅବସ୍ଥା ଭଲ ନଥିବାରୁ କେତେଦିନ ନିର୍ଦ୍ଦିଷ୍ଟ ଭାବେ ଲାଗିବ, କହିହେବ ନାହିଁ। କିନ୍ତୁ ଫିଲ୍ମକୁ ପୁନରୁଦ୍ଧାର କରାଯିବା ପରେ ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି।
ପୁନରୁଦ୍ଧାର ହେବ ‘ରକ୍ତ ଗୋଲାପ’
/sambad/media/post_attachments/wp-content/uploads/2018/12/Untitled-9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)