ସୁରକ୍ଷାକର୍ମୀଙ୍କ ରକ୍ତାକ୍ତ ମୃତଦେହ ଜବତ, ୬ ମହଲାରୁ ଡେଇଁପଡ଼ିଲେ ନା କିଏ ଠେଲିଦେଲା?

ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ କ୍ୟାପିଟାଲ ଥାନା ଅଶୋକନଗରସ୍ଥିତ ଏକ ଘରୋଇ ସଂସ୍ଥାର ୬ ମହଲା କୋଠା ନିକଟରୁ ଜଣେ ସୁରକ୍ଷାକର୍ମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଯାଜପୁର ମଙ୍ଗଳପୁର ଛଞ୍ଚିଣା ଅଞ୍ଚଳର ସନ୍ତୋଷ ରାଉତ(୩୩)। ସେ ୬ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ହେଁ ପୁଲିସ କିଛି ସ୍ପଷ୍ଟ କରିନାହିଁ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କୁ କେହି ଛାତରୁ ତଳକୁ ଠେଲି ଦେଇଛି ବୋଲି ତାଙ୍କ ବାପା କ୍ଷେତ୍ରବାସୀ ଅଭିଯୋଗ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ଓ ଅଧିକ ତଦନ୍ତ ଚଳାଇଛି।

ପୁଲିସ ସୂଚନା ମୁତାବକ ଗତ ଦୁଇ ମାସ ହେବ ସନ୍ତୋଷ କାମ ଅନ୍ବେଷଣରେ ଭୁବନେଶ୍ବର ଆସିଥିଲେ। ସେ ଆଶୋକନଗରସ୍ଥିତ ବସୁଧା ଟ୍ରେଡର୍ସରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଅନ୍ୟ ସହର୍କମୀମାନଙ୍କ କହିବା କଥା କିଛି ଦିନ ହେବ ସେ କୌଣସି କଥାକୁ ନେଇ ବିଚଳିତ ଥିଲେ। ଶନିବାର ରାତି ପାଖା‌ପାଖି ସାଢ଼େ ୧୧ଟା ସମୟରେ ତାଙ୍କ ମୃତଦେହକୁ ସହକର୍ମୀମାନେ ଦେଖି ପୁଲିସକୁ ଜଣାଇଥିଲେ। ବସୁଧା ଟ୍ରେଡର୍ସର ୬ ମହଲା କୋଠାରୁ ସେ ତଳକୁ ଡ଼େଇଁ ପଡ଼ିଥିବା ଅନୁମାନ କରାଯାଉଥିଲା। ତାଙ୍କ ମୁଣ୍ଡ‌ ଫାଟି ଯାଇଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ସମ୍ବନ୍ଧିତ ଖବର