ଭୁବନେଶ୍ବର: ରାଜଧାନୀରେ ବଢ଼ିଚାଲିଛି ହତ୍ୟା ଅପରାଧ। ରକ୍ତରଞ୍ଜିତ ହେଉଛି ସହର। ଚଳିତ ବର୍ଷର ୪ମାସ ଭିତରେ ଗଡ଼ିଲାଣି ୮ମୁଣ୍ଡ। ପ୍ରାୟ ସବୁଗୁଡ଼ିକ ଯୋଜନାବଦ୍ଧ ହତ୍ୟାକାଣ୍ଡ। କିନ୍ତୁ କୌଣସି ଗୋଟିଏ ମାମଲା ଲୁଚାଚୋରାରେ ହୋଇନାହିଁ। ଗୋଟିଏ ଦି’ଟିକୁ ବାଦ୍ଦେଲେ, ପ୍ରାୟ ସବୁ ସଂଘବଦ୍ଧ ଆକ୍ରମଣ ଓ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ହଠାତ୍ ଅପରାଧୀଙ୍କ ଭିତରେ ଏଭଳିଭାବେ ବଢ଼ୁଥିବା ଦୁଃସାହସକୁ ନେଇ ବିଭିନ୍ନ ମହଲରୁ ଚିନ୍ତା ପ୍ରକଟ ହେଲାଣି। ପୁଲିସ ପାଇଁ ଏହା ଯେତିକି ମୁଣ୍ଡବିନ୍ଧାର କାରଣ ହୋଇଛି, ସାଧାରଣରେ ସେତିକି ଭୟର ବାତାବରଣ ସୃଷ୍ଟି କଲାଣି। ତେଣୁ ସ୍ବାଭାବିକ ଭାବେ ଆଇନଶୃଙ୍ଖଳାକୁ ନେଇ ସବୁ ମହଲରୁ ପ୍ରଶ୍ନ ଉଠିଲାଣି।
ଜାନୁଆରି ୮: ଜାତୀୟ ରାଜପଥରେ ଖଣ୍ଡାରେ ହାଣି ଦି ଗଡ଼ କରିଦେଲେ
ସହରରେ ଆୟୋଜନ ହେଉଥାଏ ପ୍ରବାସୀ ଭାରତୀୟ ଦିବସ। ସହର ସାରା ପୁଲିସ ଛାଉଣୀ। ସକାଳ ପ୍ରାୟ ୯ଟା ବେଳେ ମଞ୍ଚେଶ୍ବର ଓ ସହିଦନଗର ଥାନାର ମଧ୍ୟ ଭାଗରେ ୧୬ ନମ୍ବର ଜାତୀୟ ରାଜପଥରେ ଲୋକଙ୍କ ଆଖି ସାମ୍ନାରେ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। କେଦାରପଲ୍ଲୀ ବସ୍ତିର ସହଦେବ ନାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଦେଲେ ହତ୍ୟାକାରୀମାନେ। ଖଣ୍ଡା ଚୋଟରେ ସହଦେବଙ୍କ ବେକରୁ ମୁଣ୍ଡକୁ ଝୁଲାଇଦେଲେ। ସେଦିନ ଏହି ଛାତିଥରା ହତ୍ୟାକାଣ୍ଡ ସାରା ସହରରେ ଚାଞ୍ଚଲ୍ୟ ଖେଳାଇଦେଲା। ପୁଲିସ ଏହି ମାମଲାରେ ଲକ୍ଷ୍ମୀଧର ନାୟକ, ତା’ ପତ୍ନୀ ଲିପିକା ନାୟକ, ରାକେଶ ନାୟକ, ତା’ ପତ୍ନୀ ଲକ୍ଷ୍ମୀ ନାୟକ, ରକି ନାୟକ, ପିଙ୍କି ନାଏକ, ରମା ବେୱା ଓ ସୁଶାନ୍ତ ନାଏକକୁ ଗିରଫ କରିଛି। କିନ୍ତୁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ଆଉ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିପାରିନି।
ଜାନୁଆରି ୨୮: ପ୍ରେମିକାକୁ ମାରି ନଦୀପଠାରେ ଫୋପାଡ଼ିଥିଲା
ଘଟଣା ଦିନ ଧଉଳି ଥାନା ପୁଲିସ ଲିଙ୍ଗିପୁର ଦୟାନଦୀ ପଠାରୁ ଜଣେ ମହିଳାଙ୍କ ଗଳିତ ଶବ ଜବତ କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲେ ହେଁ ବିଭିନ୍ନ କାରଣରୁ ପୁଲିସ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ସୁରାକ୍ ପାଇ ନଥିଲା। କିନ୍ତୁ ୩ମାସର କସରତ ପରେ ପୁଲିସ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା। କନ୍ଧମାଳର ସ୍ନେହା ବେହେରାଙ୍କୁ ତାଙ୍କ ପ୍ରେମିକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କଥକୋଟ ଗ୍ରାମର ଚନ୍ଦନ ପରିଡ଼ା ଓରଫ ମଙ୍ଗୁ ହତ୍ୟା କରି ଫୋପାଡ଼ି ଦେଇଥିଲା। ଖଣ୍ଡଗିରି ଥାନାର ନିଖୋଜ ମାମଲାରୁ ମଙ୍ଗୁର କାରନାମା ଧରାପଡ଼ିଥିଲା।
ମାର୍ଚ୍ଚ ୧୩: ସାହିମୁଣ୍ଡରେ ହାଣିଦେଲା
ସନ୍ଧ୍ୟା ବେଳେ ବାଲିଅନ୍ତା ଥାନା ଅଣ୍ଡିଲୋ ଗାଁ ମୁଣ୍ଡରେ ତରୁଣ ଭୋଇ ଓରଫ ଟିମା ସେହି ସାହିର ମିଲନ୍ ଭୋଇଙ୍କୁ ଖଣ୍ଡାରେ ହାଣି ମାରିଦେଇଥିଲା। ଟିମାର ସାଇକେଲ ଚୋରି ହୋଇଥିଲା ଏବଂ ସେ ସନ୍ଦେହ କରି ମିଲନ୍କୁ ପଚାରିଥିଲା। ମିଲନ୍ ମନା କରିବାରୁ ରାଗରେ ଟିମା, ଘରୁ ଖଣ୍ଡା ଆଣି ମିଲନ୍ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲା।
ମାର୍ଚ୍ଚ ୧୫: ହୋଲିରେ ୨ଜଣଙ୍କୁ ହତ୍ୟା
ହୋଲିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା କମିସନରେଟ୍ ପୁଲିସ। ଏହା ସତ୍ତ୍ବେ ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଲା। ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣିଙ୍କୁ ସେହି ବସ୍ତିର ଦୁର୍ବୃତ୍ତମାନେ ଛୁରି ଭୁସି ହତ୍ୟା କଲେ। ସେହିପରି ମଞ୍ଚେଶ୍ବର ଥାନା ସମେଇଗାଡ଼ିଆ ଅଞ୍ଚଳରେ ଆୟୁଷ୍ମାନ ପତିଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତମାନେ ଛୁରାମାଡ଼ କରି ଜୀବନ ନେଲେ। ଏହି ୨ମାମଲାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ଏପ୍ରିଲ୍ ୨: ଭିଣୋଇକୁ ଖଣ୍ଡାରେ ହାଣିଦେଲା
ସଂଜବୁଡ଼ଟାରେ ବାଲିପାଟଣା ନରଦା ବଜାରରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ସାନ ଶଳା ମିର୍ ସୟଦ୍ ଖଣ୍ଡାରେ ହାଣି ଭିଣୋଇ ମୁସ୍ତାକିନ୍ ଅଲ୍ଲୀଙ୍କୁ ହତ୍ୟା କଲା। ଜମିଜମା ବିକ୍ରିବଟାକୁ ନେଇ ଭିଣୋଇ ମୁସ୍ତାକିନ୍ ଶଶୁରଘରେ ମୁଣ୍ଡ ଖେଳାଉଥିବାରୁ ଶଳା ମିର୍ ସୟଦ ଗୋଡ଼ାଇ ଗୋଡ଼ାଇ ହାଣିପକାଇଲା।
ଏପ୍ରିଲ୍ ୩: ଲଘୁ ଖଣିଜ ଚୋରା ଚାଲାଣରୁ ଯୁବକଙ୍କୁ ହତ୍ୟା
ଘଟଣା ଦିନ ରାତିରେ ଜଟଣୀ ବିକାଶନଗରର ମାନସ ଦଳେଇ ଓରଫ ରାକେଶକୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତମାନେ। ଲଘୁ ଖଣିଜ ଚୋରା ଚାଲାଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ପୁଲିସ ଉପରବସ୍ତର ଦୁଇ ଭାଇ ଅଭିରାମ ବାଘସିଂ ଓ ସପନା ବାଘସିଂକୁ ଗିରଫ କରିଥିଲେ ହେଁ ଆହୁରି ୬ଜଣ ଫେରାର ଅଛନ୍ତି।
ଏପ୍ରିଲ୍ ୧୧: ବିଲ୍ଡରଙ୍କୁ ପିଟିପିଟି ମାରିଦେଲେ
ଘଟଣା ଦିନ ୟୁନିଟ୍-୬ ଅଞ୍ଚଳର ବିଲ୍ଡର ସସ୍ମିତ ବିଶ୍ବାଳ ଓରଫ ଚିନୁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଜାମୁକୋଳି ଗାଁ କାଜୁ ଜଙ୍ଗଲକୁ ଟେକି ନେଇ ମାରିଦେଇଥିଲେ। ଏହି ମାମଲାରେ ପୁଲିସ ମାଷ୍ଟରମାଇଣ୍ଡ୍ ତଥା ମୁଖ୍ୟ ଷଡ୍ଯନ୍ତ୍ରକାରୀ ହୋମ୍ଗାର୍ଡ ସୁକାନ୍ତ ବେହେରା, ଗୁଲୁ ମହାନ୍ତି, ମନୋଜ ବେହେରାକୁ ଗିରଫ କରିଛି। କିନ୍ତୁ ଆହୁରି ୫ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି।