ରାଜଧାନୀ ପାଇଁ ପ୍ରସ୍ତୁତ ହେବ ନୀଳ ନକ୍ସ‌ା

ବିଡିଏ ପ୍ରସ୍ତୁତ କରିବ ସିଡିପି-୨୦୨୦, ୧୧୧୦ ବର୍ଗକିମି ଅଞ୍ଚଳକୁ ନେଇ ନକ୍ସା‌, ୨୦୩୦କୁ ନଜରରେ ରଖି ପ୍ରସ୍ତୁତ ହେବ, ଓରସାକ୍ କରିବ ଡିଜିଟାଲ ରାଜସ୍ବ ମ୍ୟାପ

ଭୁବନେଶ୍ବର : ରାଜଧାନୀକୁ ଯୋଜନାବଦ୍ଧ ଭାବେ ସମ୍ପ୍ରସାରଣ କରିବା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପୁଣି ସିଡିପି (‌କମ୍ପ୍ରେହେନସିଭ୍ ଡେଭଲପମେଣ୍ଟ ପ୍ଲାନ୍)ର ନୀଳ ନକ୍ସା ପ୍ରସ୍ତୁତ କରିବାକୁ ଯୋଜନା ହେଉଛି। ୨୦୧୦ମସିହାରେ ୨୦୩୦କୁ ଲକ୍ଷ୍ୟରେ ରଖି ବିଡିଏ ପକ୍ଷରୁ ସିଡିପି ପ୍ରସ୍ତୁତ ହୋଇଥିଲେ ହେଁ ରାଜଧାନୀର ଜନସଂଖ୍ୟା ବଢ଼ିବା, ଉପକଣ୍ଠରେ ବିନା ପ୍ଲାନ୍‌ରେ ହଜାର ହଜାର ଘର ନିର୍ମାଣ ହେବା, ରାଜଧାନୀରେ ଜଳବନ୍ଦୀ ଭଳି ସମସ୍ୟା ଦେଖାଯିବା, ସିଡିପି ପରେ ବହୁ ରାଜସ୍ବ ଗ୍ରାମ ମିଶିଥିବାରୁ ଏଗୁଡ଼ିକ ପାଇଁ ସ୍ବତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରିବା, ବହୁ ସଂରକ୍ଷିତ ଜୋନ୍‌ ଥିବାବେଳେ ସେଠାରେ ଶହଶହ ଘର ନିର୍ମାଣ ହୋଇଯାଇଥିବାରୁ ସେଗୁଡ଼ିକୁ ଆବାସିକ ଜୋନ୍‌ରେ ପରିଣତ କରିବା, ‌ଯୋଜନାବଦ୍ଧ ଭାବେ ଖୋଲା ସ୍ଥାନ ଛାଡ଼ିବା ଏବଂ ସରକାରଙ୍କ ବିଭିନ୍ନ ଯୋଜନାକୁ ନଜରରେ ରଖି ଜମି ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବିଡିଏ ସିଡିପି-୨୦୨୦ ପ୍ରସ୍ତୁତ କରିବାକୁ ଯାଉଛି।

ସିଡିପି ୨୦୨୦ ନେଇ ବିଡିଏର ଅଥରିଟି ବୈଠକରେ ମଞ୍ଜୁରୀ ମିଳିଥିବାବେଳେ ଖୁବ୍‌ ଶୀଘ୍ର ଏନେଇ ଆର୍‌ଏଫ୍‌ପି ପ୍ରସ୍ତୁତ ହେବ। ସରକାରୀ ସଂସ୍ଥା କି ବେସରକାରୀ ସଂସ୍ଥାକୁ ସିଡିପି ପ୍ରସ୍ତୁତ କରିବାକୁ ଦିଆଯିବ ତାହା ସ୍ଥିର ହୋଇନଥିଲେ ହେଁ ଆସନ୍ତା ତିନି ମାସ ମଧ୍ୟରେ ଏନେଇ ନିଷ୍ପତ୍ତି ହେବ। ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଆରଏଫ୍‌ପି ଚୂଡ଼ାନ୍ତ କରାଯିବ। ଆଉ ୨୦୨୦ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଚୂଡ଼ାନ୍ତ ସିଡିପି ପ୍ରସ୍ତୁତ ହେବ। ଏହି ସିଡିପି ୨୦୧୦ରେ ବିଡିଏ ଅଧୀନରେ ଥିବା ୪୧୯ ବର୍ଗକିମି ଏବଂ ପରେ ସାମିଲ୍‌ ହୋଇଥିବା ୬୯୧ ବର୍ଗକିମି ଅଞ୍ଚଳକୁ ନେଇ ମୋଟ୍‌ ୧୧୧୦ ବର୍ଗକିମି ଅଞ୍ଚଳ ଉପରେ ପ୍ରସ୍ତୁତ ହେବ।

ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ, ସିଡିପି-୨୦୧୦ରେ ୨୦୫ଟି ରାଜସ୍ବ ଗାଁ ସାମିଲ୍‌ ହୋଇଥିଲା। ଏହି ଅଞ୍ଚଳରେ ରାସ୍ତା, ଖୋଲା ସ୍ଥାନ ଓ ବିଭିନ୍ନ ଜୋନ୍‌‌ ଚିହ୍ନଟ କରାଯାଇଥିଲା। ସିଡିପି-୨୦୧୦ ଏପ୍ରିଲ ୮, ୨୦୧୦ରେ ଲାଗୁ ହୋଇଥିଲା। କିନ୍ତୁ ଏହାର ପ୍ରାୟ ବର୍ଷକ ପରେ ବିଡିଏରେ ଆଉ ୩୬୩ଟି ଗାଁ ମିଶିଥିଲା। ବିଡିଏ ଅଞ୍ଚଳରେ ପୁଣି ୬୯୧ବର୍ଗକିମି ଅଞ୍ଚଳ ମିଶିଥିଲା। ତେଣୁ ସିଡିପି-୨୦୧୦ରେ ଏହାକୁ ମିଶାଇ ପ୍ଲାନିଂ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ୩୬୩ଟି ଗାଁରେ କେଉଁଠି କେତେ ଫୁଟର ରାସ୍ତା ରହିବ, କେଉଁଠି କେତେ ଜମି କେଉଁ ଜୋନ୍‌ରେ ରହିବ ସେନେଇ ପ୍ଲାନିଂ କରିବାକୁ ଅମୃତ ଯୋଜନା ପାଇଁ ଗଠନ ହୋଇଥିବା ଉଚ୍ଚକ୍ଷମତା ସଂପନ୍ନ କମିଟି ୨୮.୦୮.୨୦୧୮ରେ ଏହା ଉପରେ ମୋହର ମାରିଥିଲା। ଏଥିପାଇଁ ବିଡିଏକୁ ଦୁଇଟି ପର୍ଯ୍ୟାୟରେ ୭୫ଲକ୍ଷ ଓ ୧୫ଲକ୍ଷ ଲେଖାଏଁ ମିଳିଛି।

ବିଡିଏ ନୂଆ ସିଡିପି ପ୍ରସ୍ତୁତ କରିବାକୁ ଯାଉଥିବାବେଳେ ସମସ୍ତ ଜମି, ନିର୍ମାଣାଧୀନ ପ୍ରକଳ୍ପ, ଘର, ଜଳାଶୟ, ଶିକ୍ଷାନୁଷ୍ଠାନ ଆଦିକୁ ଜିପିଏସ୍‌ ଟ୍ୟାଗିଂ କରିବ। ବିଡିଏ ଅଧୀନରେ ଥିବା ସମସ୍ତ ଅଞ୍ଚଳକୁ ଜିପିଏସ୍ ଟ୍ୟାଗିଂ କରିବାକୁ ଓରସାକ୍‌କୁ କୁହାଯାଇଛି। ଓରସାକ୍‌ ଏହାକୁ ନେଇ ଡିଜିଟାଲ ରାଜସ୍ବ ମ୍ୟାପ୍‌ ପ୍ରସ୍ତୁତ କରିବ। ଏହି ମ୍ୟାପ୍‌ ପାଇଁ ଓରସାକ୍ ସାଟେଲାଇଟ୍ ଇମେଜ୍ ବ୍ୟବହାର କରିବ। ସୂଚନାଯୋଗ୍ୟ ଯେ, ୧୯୮୨ରେ ବିଡିଏ ଗଠନ ହେବା ପରେ ଆଇଡିପି ଗଠନ ହୋଇଥିଲା। ୧୯୯୪ରେ ପ୍ରଥମ ସିଡିପି ଗଠନ ହୋଇଥିଲା। କିନ୍ତୁ ୨୦୧୦ରେ ଆଇଆଇଟି ଖଡଗପୁର ସହାୟତାରେ ଭୁବନେଶ୍ବରକୁ ଅଧିକ ଯୋଜନାବଦ୍ଧ ଭାବେ ଗଢ଼ି ତୋଳିବା ଏବଂ ରାଜଧାନୀ ଉପକଣ୍ଠକୁ ଲକ୍ଷ୍ୟ ରଖି ସିଡିପି ପ୍ରସ୍ତୁତ ହୋଇଥିଲା। ହେଲେ ବର୍ଷକ ପରେ ୩୬୩ଟି ଗାଁ ମିଶିବାରୁ ପୁଣି ଯୋଜନା ଏପଟ ସେପଟ ହୋଇଯାଇଥିଲା।

ଏନେଇ ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ଆମେ ନୂଆ ସିଡିପି ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ଖୁବ୍‌ ଶୀଘ୍ର ଏନେଇ ଆର୍‌ଏଫ୍‌ପି ଆହ୍ବାନ କରାଯିବ। ପରିବର୍ଦ୍ଧିତ ଭୁବନେଶ୍ବରକୁ ନଜରରେ ରଖି ଏହା ପ୍ରସ୍ତୁ୍ତ କରାଯିବ।

ବିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିଡିପି-୨୦୧୦ରେ ଯେଉଁ ଅଞ୍ଚଳରେ ଯେତେ ରାସ୍ତା ଛଡ଼ା ଯାଇଥିଲା ସେଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି ଏହାର ଆବଶ୍ୟକ ନଥିବ ତେବେ ଏହାକୁ ନୂଆ ସିଡିପିରୁ ବାଦ୍‌ ଦିଆଯିବ। ରିଙ୍ଗ ରୋଡ୍‌, ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପକୁ ନଜରରେ ରଖି ଆମେ ନୂଆ ସିଡିପି ପ୍ରସ୍ତୁତ କରିବୁ। ଏଥର ସିଡିପି ସରକାର ଓ ଲୋକଙ୍କ ଉପଯୋଗୀ ହେବା ଭଳି ପ୍ରସ୍ତୁତ କରାଯିବ। ସିଡିପି ପ୍ରସ୍ତୁତ ହେବା ପରେ ଏହା ଉପରେ ଲୋକଙ୍କ ପ୍ରସ୍ତାବ ଓ ଅଭିଯୋଗ ମଗାଯିବ। ତାହାପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ।

ସମ୍ବନ୍ଧିତ ଖବର