‘ବ୍ଲୁ ବେବି’ର ସଫଳ ଚିକିତ୍ସା, ୩ ଦିନର ଶିଶୁକୁ ନୂଆ ଜୀବନ ଦେଲା ବ୍ରହ୍ମାନନ୍ଦ ନାରାୟଣ ହସ୍ପିଟାଲ୍‌

ଭୁବନେଶ୍ବର: ବ୍ରହ୍ମାନନ୍ଦ ନାରାୟଣ ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ୩ ଦିନର ଏକ ‘ବ୍ଲୁ ବେବି’ର ସଫଳ ଚିକିତ୍ସା କରାଯାଇଛି। ଜନ୍ମରୁ ଏହି ଶିଶୁର ହୃତ୍‌ପିଣ୍ଡ ଧମନୀ ନ ଥିଲା। ହୃଦ୍‌ରୋଗ ଓ ଶିଶୁରୋଗ ବିଶେଷଜ୍ଞ ଡା. ପଙ୍କଜ କୁମାର ଗୁପ୍ତାଙ୍କ ତତ୍ତ୍ବାବଧାନରେ ଡା. ଉମେଶ ପ୍ରସାଦ ଓ ହୃଦ୍‌ରୋଗ ବିଶେଷଜ୍ଞ ଡା. ଅଭୟ କ୍ରିଷ୍ଣାଙ୍କ ଉପସ୍ଥିତିରେ ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା। ହୃଦ୍‌ରୋଗ ଓ ଶିଶୁରୋଗ ବି‌ଶେଷଜ୍ଞ ଡା. ଗୁପ୍ତା କହିଛନ୍ତି, ହୃତ୍‌ପିଣ୍ଡ ଧମନୀ ଜନିତ ରୋଗ ଏକ ବିରଳ ରୋଗ। ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରୁ ଜଣେ ଏହାର ଶିକାର ହୋଇଥାନ୍ତି। ଯଦି ଠିକ୍ ସମୟରେ ଏହାକୁ ଚିକିତ୍ସା କରା ନଯାଏ, ତା’ ହେଲେ ଶିଶୁର ଜୀବନ ପ୍ରତି ବିପଦ ରହିଥାଏ।

ଉକ୍ତ ୩ ଦିନର ଶିଶୁର ଜନ୍ମରୁ ହୃତ୍‌ପିଣ୍ଡ ଧମନୀ ନ ଥିଲା। ଶିଶୁର ଅଶୁଦ୍ଧ ରକ୍ତ ଶରୀରରେ ମିଶୁଥିଲା। ଫଳରେ ଶିଶୁର ଦେହର ରଂଗ ନୀଳ ପଡ଼ି ଯାଉଥିଲା। ଏହାକୁ ସାଧାରଣ ଭାବେ ‘ବ୍ଲୁ ବେବି’ କୁହାଯାଇଥାଏ। ହସ୍ପିଟାଲରେ ଭର୍ତି ହେବା ସମୟରେ ଶିଶୁର ଶରୀରରେ ଅମ୍ଳଜାନ ପରିମାଣ ୧୦/୧୨ ପ୍ରତିଶତ ରହିଥିଲା। ଶିଶକୁ ତୁରନ୍ତ କ୍ୟାଥଲାବ୍‌ରେ ଭର୍ତି କରାଯାଇ ପିଡିଏ ଷ୍ଟେଣ୍ଟିଂ ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଶିଶୁକୁ ସଫଳ ଚିକିତ୍ସା ପରେ ୨ପର୍ଯ୍ୟାୟର ଓପନ ହାର୍ଟ ସର୍ଜରି ୧ରୁ ଦେଢ଼ ବର୍ଷ ଭିତରେ କରାଗଲେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ଡାକ୍ତରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବ୍ରହ୍ମାନନ୍ଦ ନାରାୟଣ ହସ୍ପିଟାଲ ଝାଡ଼ଖଣ୍ଡରେ ଅବସ୍ଥିତ ୧୫୦ ଶଯ୍ୟା, ୫ ଓଟି ଓ ଷ୍ଟେଟ୍‌ ଅଫ ଦି ଆର୍ଟ କ୍ୟାଥ ଲାବ୍‌ ବିଶିଷ୍ଟ ଏକ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ। ଏହା ଝାଡ଼ଖଣ୍ଡ ସମେତ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକୁ ସେବା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର