ଭୁବନେଶ୍ବର: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବ୍ଲୁ-ଫ୍ଲାଗ୍‌ ବିଚ୍‌ ଖୋଲିଛି। ଏହା ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଅନୁକୂଳ ବୋଲି କୁହାଯାଉଥିଲେ ମଧ୍ୟ ଏହା ଦିବ୍ୟାଙ୍ଗ ଅନୁକୂଳ ନୁହେଁ ବୋଲି ଅଭିଯୋଗ ଆସିଛି। ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାପଦଣ୍ଡ ୩୩ ଅନୁଯାୟୀ ପ୍ରତ୍ୟେକ ନଗରପାଳିକା ଦିବ୍ୟାଙ୍ଗଙ୍କ ନିମନ୍ତେ ବ୍ଲୁ-ଫ୍ଲାଗ୍‌ ବିଚ୍‌ ଉପଯୋଗୀ କରିବା ନେଇ ଉଲ୍ଲେଖ ରହିଛି। ମାତ୍ର ସମୁଦ୍ର କୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ରାସ୍ତା କରାଯାଇନାହିଁ। ତେଣୁ କ୍ବାଡ୍ରିପ୍ଲେଜିକ୍‌ ଦିବ୍ୟାଙ୍ଗମାନେ ଏହି ବ୍ଲୁ-ଫ୍ଲାଗ୍‌ ବିଚ୍‌ର ମଜା ନେଇପାରୁନାହାନ୍ତି।

Advertisment

ଦିବ୍ୟାଙ୍ଗ ଅଭିନେତା ତଥା ଭିନ୍ନକ୍ଷମ ଅଧିକାର କର୍ମୀ ଜିତେନ୍ଦ୍ର ବିଶ୍ବାଳ ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ତାଙ୍କ ଭଳି କ୍ବାଡ୍ରିପ୍ଲେଜିକ୍‌ ଦିବ୍ୟାଙ୍ଗଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ ‌ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ସେଠାରେ ଏକ ପ୍ଲାଷ୍ଟିକ୍‌ର ଚକ ଲଗା ଗାଡ଼ି ରହିଛି। ଯାହାକୁ ବାଲିରେ ଘୋଷାଡ଼ି ନେବାକୁ ପଡ଼ୁଛି। ସେଥିରେ କ୍ବାଡ୍ରିପ୍ଲେଜିକ୍‌ ଦିବ୍ୟାଙ୍ଗ ବସି ଯିବା ସମ୍ଭବ ନୁହେଁ। ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେତିକି ବେଳେ ଏହା ଅନୁକୂଳ ହେବ ଯେତେବେଳେ ଦିବ୍ୟାଙ୍ଗମାନେ ନିଜେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇପାରିବେ। ତେଣୁ ଏତେ ବ୍ୟବସ୍ଥା କରାଯାଇଥିବା ବେଳେ ସାମାନ୍ୟ ଅଣ ଓସାରିଆ ରାସ୍ତାଟିଏ କରାଯିବାରେ କ’ଣ ସମସ୍ୟା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ପୁରୀ ବେଳାଭୂମିରେ ସ୍ୱଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ପାଇଁ ବାଉଁଶ ମଞ୍ଚା, ୱାଚ୍‌ ଟାୱାର ଏବଂ ସୁରକ୍ଷା ପାଇଁ ସିସି ଟିଭି, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ଦିବ୍ୟାଙ୍ଗଙ୍କ ପାଇଁ ଏହି ବ୍ଲୁ-ଫ୍ଲାଗ୍‌ ବିଚ୍‌ ଉପହାସ ସଦୃଶ ବୋଲି ଅଭିଯୋଗ ହୋଇଛି।