ମିଥ୍ୟା ମାମଲା ପାଇଁ ଥାନାରେ ଚାଲିଛି ବ୍ଲୁ ପ୍ରିଣ୍ଟ!

ସବଇନ୍ସପେକ୍ଟରଙ୍କୁ ଖଣ୍ଡା ଯୋଗାଡ଼ ପାଇଁ କହୁଛନ୍ତି ଆଇଆଇସି, ଭାଇରାଲ୍ ହେଉଛି ଅଡିଓ ଟେପ୍

ଭୁବନେଶ୍ବର: ମାରଣାସ୍ତ୍ର ଯୋଗାଡ଼ କରି ମିଥ୍ୟା ମାମଲା‌‌‌ରେ ଲୋକଙ୍କୁ ଗିରଫ କରିବା କଥା ସାଧାରଣରେ ଶୁଣିବାକୁ ମିଳେ। କେଉଁଠି ବନ୍ଧୁକ ତ ଆଉ କେଉଁଠି ଖଣ୍ଡା, ଭୁଜାଲି ଯୋଗାଡ଼ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ଅଭିଯୋଗ ମଧ୍ୟ ହୁଏ। ମାନବାଧିକାର କମିସନଙ୍କ ନିକଟରେ ବି ଏଭଳି ଅଭିଯୋଗ ପହଞ୍ଚିଥାଏ। ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଦୁଇ ପୁଲିସ ଅଧିକାରୀଙ୍କ ମଧ୍ୟରେ ଏପରି ଏକ ବାର୍ତ୍ତାଳାପର ଅଡିଓ ଟେପ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଦୁଷ୍କର୍ମ ଅଭିଯୁକ୍ତ ନିଲମ୍ବିତ ସବ୍‌ଇନ୍ସ‌‌ପେକ୍ଟର୍‌ ରାକେଶ ସାମଲଙ୍କ ସହ କମିସନରେଟ୍‌ ପୁଲିସ ଅଧୀନ ଏକ ପ୍ରମୁଖ ଥାନାର ଆଇଆଇସିଙ୍କ ବାର୍ତ୍ତାଳାପର ଅଡିଓ ଟେପ୍ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ କମିସନରେଟ ପୁଲିସ ଇଲାକାରେ ଏକପ୍ରକାର ଆଲୋଡନ ହୋଇଛି।

ଚର୍ଚ୍ଚା ଅନୁସାରେ, ଅଡିଓ ଟେପ୍‌‌ରେ ରାକେଶଙ୍କ ସହ ଉକ୍ତ ଆଇଆଇସିଙ୍କ ବାର୍ତ୍ତାଳାପ ହେଉଛି। ଜଣେ ଅଭିଯୁକ୍ତଙ୍କ ବିରୋଧରେ ଆର୍ମ୍ସ(ଅସ୍ତ୍ରଶସ୍ତ୍ର) ଆକ୍ଟରେ ମାମଲା ରୁଜୁ କରିବା ଲାଗି ଏକ ଖଣ୍ଡା ଯୋଗାଡ଼ ପାଇଁ ରାକେଶଙ୍କୁ କହୁଛନ୍ତି ସମ୍ପୃକ୍ତ ଆଇଆଇସି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ପାଇଁ ମଧ୍ୟ ଆଇଆଇସି କହୁଥିବା ଅଡିଓ ଟେପ୍‌ରେ ଶୁଣିବାକୁ ମିଳୁଛି। ଯଦି ଅଡିଓ ଟେପ୍ ସତ ହୋଇଥାଏ, ତାହାଲେ ସାଂଘାତିକ। କେହି ବ୍ୟକ୍ତି ସମ୍ପୃକ୍ତ ଆଇଆଇସିଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କି? ଆକ୍ରୋଶମୂଳକ ଭାବେ କୌଣସି ବ୍ୟକ୍ତିଙ୍କୁ ଆଇନ ଜାଲରେ ଛନ୍ଦିବା ପାଇଁ ଥାନାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା କି? ଯଦି ଅଡିଓ ସତ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସତ ହୋଇଥାଏ ତାହାଲେ ଆଇଆଇସିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି? ଅଡିଓ ଟେପରେ ଯେଉଁ ବ୍ୟକ୍ତିଙ୍କ କଥା କୁହାଯାଉଛି ଯଦି ସମ୍ପୃକ୍ତ ବ୍ୟକ୍ତି ମିଥ୍ୟା ମାମଲାର ଶିକାର ହୋଇଥାନ୍ତି ତାହାଲେ ସେ ଏବେ ଆଗକୁ ଆସିବେ କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି।

ଅପରପକ୍ଷରେ ନିଲମ୍ବିତ ସବଇନ୍ସପେକ୍ଟର ରାକେଶ ସାମଲଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଛି। ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଘଟଣା ସମ୍ପର୍କରେ ଯୁବତୀ କିଛି ପ୍ରମାଣ ଦାଖଲ କରିଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା କିଛି ଅଡିଓ ସେହି ଯୁବତୀଙ୍କ ଦ୍ବାରା ରିଲିଜ୍ କରା ଯାଇଥିବା ଆମ ନଜରକୁ ଆସିଛି। ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ ଚଳାଇଥିବା ବେଳେ ଏବେ କିଛି କହିବା ସମ୍ଭବ ହେବ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ବିରଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ଅଡିଓର ସତ୍ୟାସତ୍ୟ ଜାଣିବାକୁ ହେଲେ ଟେପ୍‌ର ଫରେନସିକ୍ ଯାଞ୍ଚ କରିବାକୁ ପଡ଼ିବ। କଣ୍ଠସ୍ବର ନମୁନା ସଂଗ୍ରହ କରାଯାଇ ଅଡିଓ ଟେପ୍ ସହ ମେଳ କରାଯିବ। ଏହା ସହ କଲ୍ ଡିଟେଲ୍ସ ରେକର୍ଡ (ସିଡିଆର) ସହ ମେଳ କରାଯାଇପାରେ। ସେମାନଙ୍କ ଭିତରେ କେତେ ସମୟ କଥାବାର୍ତ୍ତା ହୋଇଛି, ବାର୍ତ୍ତାଳାପ ସମୟରେ ଅଡିଓ ଟେପ୍‌କୁ ରେକର୍ଡ କରାଯାଇଛି କି ନାହିଁ ସିଡିଆରରୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର