କମିସନରେଟ୍‌ ପୁଲିସର ବ୍ଲୁ-ପ୍ରିଣ୍ଟ: ହୋଟେଲ୍‌ଠୁ ବସ୍ତି ସବୁଠି ତନାଘନା

ରୁଫ୍‌ ଟପ୍‌, ଜନପଥରେ କଟକଣା

ଭୁବନେଶ୍ବର: ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ରୋଡ୍‌ ସୋ’ ସମୟରେ ହଜାର ହଜାର ଦଳୀୟ କର୍ମୀ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ବହୁ ଭିଭିଆଇପି ମଧ୍ୟ ସାମିଲ୍‌ ହେବେ। ନିର୍ବାଚନ ତାତି ସାଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’। ତେଣୁ ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖାନଯାଏ, ଶାନ୍ତିଶୃଙ୍ଖଳାର ସହ ରୋଡ୍‌ ସୋ’କୁ ସମାପନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡିଛି। ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତିକୁ କିଭଳି ସାମ୍ନା କରିବାକୁ ହେବ ଏଥିପାଇଁ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂହ ଓ ବରିଷ୍ଠ ଅଧିକାରୀ ଘନ ଘନ ବୈଠକ କରି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଶେଷ କରି ହୋଟେଲ୍‌ ଓ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଇଛି। ଏହି ସମୟରେ କେଉଁମାନେ ହୋଟେଲ୍‌କୁ ଆସୁଛନ୍ତି? କେଉଁଠୁ ଆସିଛନ୍ତି? ସେମାନଙ୍କର ଟିକ୍‌ ନିକ୍‌ ଯାଞ୍ଚ କରାଯାଉଛି। ହୋଟେଲ୍‌ଗୁଡ଼ିକ ଠିକ୍‌ ଭାବେ ଗ୍ରାହକଙ୍କ ନାମ, ଠିକଣା, ନମ୍ବର ପଞ୍ଜୀକରଣ କରୁଛନ୍ତି ନା ନାହିଁ, ସରାଇ ଆପ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି ନା ନାହିଁ, ଏହାର ଯାଞ୍ଚ କରାଯାଉଛି। ସେହିପରି ବସ୍ତିଗୁଡ଼ିକରେ ମଧ୍ୟ ଘନ ଘନ ଯାଞ୍ଚ କରାଯାଉଛି। ହୋଟେଲ୍‌ ଓ ବସ୍ତି ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହାଛଡ଼ା ପ୍ରତି ଥାନାକୁ ସେମାନଙ୍କ ଅଞ୍ଚଳରେ ନଜର ରଖିବା ପାଇଁ ଡିସିପି ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍‌ କରାଯିବା ସହ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ ବିଲ୍ଡିଂ ଠାରୁ ଆରମ୍ଭ କରି ମଲ୍‌, କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେମାନେ ରୁଫ୍‌ ଟପ୍‌ରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିବେ ନାହିଁ କି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ରଖିବେ ନାହିଁ। ଏହଛଡ଼ା କେଉଁ କେଉଁ ଉଚ୍ଚ ଅଟ୍ଟାଳିକରେ ପୁଲିସ ଜଗି ରହିବ, ‌ତା’ର ମଧ୍ୟ ତାଲିକା କରାଯାଇଛି। ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯିବା ସହ ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଉଛି।

ସେହିପରି ୧୦ ତାରିଖ ଅପରାହ୍ଣ ସମୟରେ ସମ୍ପୂର୍ଣ୍ଣ ଜନପଥ ରୋଡ୍‌ ଉପରେ କଟକଣା ଲଗାଯାଇଛି। ଏହି ସମୟରେ ଲୋକମାନେ କିଭଳି ଯାତାୟତ କରିବେ ତା’ର ଏକ ରୋଡ୍‌ ମ୍ୟାପ୍‌ ୯ ତାରିଖରେ ଟ୍ରାଫିକ୍‌ ପକ୍ଷରୁ ଜାରି କରାଯିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ସମ୍ପୂର୍ଣ୍ଣ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। ଏଥିପାଇଁ କଣ୍ଟ୍ରୋଲ୍‌ରୁମ୍‌ରୁ ଜଣେ ଡିଏସ୍‌ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ପ୍ରତିଟି ଗତିବିଧି ଉପରେ ନଜର ରଖିବ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜି ଟିମ୍ ସହ କମିସନରେଟ୍‌ ପୁଲିସ, ଆର୍‌ ଆଣ୍ଡ ବି, ବିଏମ୍‌ସିର ଅଧିକାରୀ, ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନସ୍‌ ଵିଙ୍ଗ୍‌ ଓ କାରକେଡ୍‌ ସହ ରହିବାକୁ ଥିବା ବାଟାଲିୟନ୍‌ର ଅଫିସର ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର