ଭୁବନେଶ୍ବର: କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍‌ (କେଡିଏଫ୍‌) ପକ୍ଷରୁ ଆଜି କୋରାପୁଟ ବ୍ଲୁ ଟୋକାଇ କଫି ରୋଷ୍ଟର୍ସର ଖୁଚୁରା ବ୍ୟବସାୟର ଶୁଭାରମ୍ଭ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ବୋକା କାଫେଠାରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ମହିଳା ଉଦ୍ୟୋଗୀ ପରିଷଦ(ଆଇଏନ୍‌ଡବ୍ଲୁଇସି)ର ଆବାହିକା ସୁକୀର୍ତ୍ତି ପଟ୍ଟନାୟକ ଏବଂ କେଡିଏଫ୍‌ ସହପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ, ଅଂଶୁମାନ ରଥ ଓ ଲାବଣେନ୍ଦୁ ଦାସ ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।

Advertisment

ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ କେଡିଏଫ୍‌ ବ୍ରାଣ୍ଡର କଫି ଓଡ଼ିଶା ସମେତ ସାରା ବିଶ୍ବରେ ଗ୍ରହଣୀୟ ହେବ ବୋଲି ସେ ଆଶାବାଦୀ ଅଛନ୍ତି। ଏହାର ସହପ୍ରତିଷ୍ଠାତା ପ୍ରୀତିପଲ୍ଲବୀ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଇଏନ୍‌ଡବ୍ଲୁଇସିର ସହ ଆବାହିକା ତନୟା ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା କଫି ଉଦ୍ୟୋଗରେ କେଡିଏଫ୍‌ ସହ ବ୍ଲୁଟୋକାଇ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଆସୁଛି।

ସୂଚନାଯୋଗ୍ୟ, ବ୍ଲୁ ଟୋକାଇ ରୋଷ୍ଟର୍ସ ଭାରତର ସର୍ବବୃହତ୍‌ ସ୍ପେସିଆଲିଟି କଫି ରୋଷ୍ଟର୍‌ ଭାବେ ପରିଚିତ। କେଡିଏଫ୍‌ ଉଦ୍ୟମରେ ବ୍ଲୁଟୋକାଇ ଦଳ କୋରାପୁଟର ଏକାଧିକ ଫାର୍ମରୁ କଫିର ସ୍ବାଦ ଚାଖିବାରେ ସକ୍ଷମ ହୋଇଥିଲେ। ଏଥିରେ ଦୁଇଟି ଫାର୍ମ ମଧୁ ଆଗ୍ରୋ ପ୍ଲାଣ୍ଟେସନ୍‌ ଏବଂ ମା’ ମଙ୍ଗଳା ପ୍ଲାଣ୍ଟେସନ୍‌ ଫାର୍ମ ବ୍ଲୁ-‌‌ଟୋକାଇ ଦ୍ବାରା ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଆଇଏନ୍‌ଡବ୍ଲୁଇସିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।