ଝାରପଡ଼ା କାରାଗାରରୁ ତିଆରି ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟରଙ୍କଠାରୁ ଆରମ୍ଭ କରି ହାର୍ଡ‌‌କୋର୍‌ ମାଓବାଦୀ ରହୁଛନ୍ତି। ଏମିତିକି ଅନ୍ୟ ରାଜ୍ୟର କୁଖ୍ୟାତ ଅପରାଧୀ, ବିଦେଶୀ ଅପରାଧୀ ମଧ୍ୟ ଜେଲ୍‌ରେ ଅଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଝାରପଡ଼ା ଜେଲ୍‌ ସବୁଠାରୁ ଅଧିକ ଗୁରୁତ୍ବ ବହନ କରିବା କଥା। ହେଲେ ଏଠାରେ ଯେଉଁଭଳି ଢ଼ଙ୍ଗରେ ସୁରକ୍ଷା ବ୍ୟବସ୍ଥା ହେବା କଥା, ତାହା ଥିବା ଭଳି ମନେ ହେଉନି। ଅବ୍ୟବସ୍ଥିତ ଭିତ୍ତିଭୂମିର ସୁଯୋଗ ନେଇ ଅପରାଧୀ ଜେଲ୍‌ରୁ ଅପରାଧର ନକ୍ସା ତିଆରି କରୁଥିବାର ଅଭିଯୋଗ ହେଉଛି। ନିକଟରେ ଘଟିଥିବା କିଛି ଘଟଣା ଏପରି ଅଭିଯୋଗକୁ ଅଧିକ ଦୃଢ଼ କରୁଛି।

ଗତ ଫେବ୍ରୁଆରି ମାସରେ ଦାଦାବଟି ପାଇଁ ବିଚାରାଧୀନ କଏଦୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ବଟି ବାବଦକୁ ୫ଲକ୍ଷ ଟଙ୍କା ନଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ଭୟରେ ସେ ତାଙ୍କ ଆଇନ୍‌ଜୀବୀଙ୍କ ହାତରେ ଟଙ୍କା ପଠାଇଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ସଜା ପାଇଥିବା କଏଦୀ ହେମନ୍ତ କୁମାର ଭୋଇଙ୍କ ନାମରେ ପୁଲିସ ମାମଲା ରୁଜୁକରିଥିଲା। ସେହିପରି ପୂର୍ବରୁ କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନ ପାଲଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ବ୍ଲୁ-ପ୍ରିଣ୍ଟ୍‌ ଝାରପଡ଼ା ଜେଲ୍‌ରୁ ପ୍ରସ୍ତୁତ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚର ଏସଟିଏଫ ଟିମ୍‌ ଗିରଫ କରିଥିବା କେତେକ ଖଣି ମାଫିଆଙ୍କ ସହ ଗ୍ୟାଙ୍ଗଷ୍ଟର ଟିଟୋ ମଧ୍ୟ ସଂପୃକ୍ତ ଥିବା ନେଇ କେସ୍‌ ଡାଏରିରେ କୋର୍ଟକୁ ଅବଗତ କରାଇଥିଲା‌। ଖାଲି ଏତିକି ନୁହେଁ ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ, ଡକାୟତି, ଲୁଟପାଟ ଘଟଣାର ବ୍ଲୁ ପ୍ରିଣ୍ଟ ଝାରପଡ଼ା ଜେଲ ଭିତରୁ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ପ୍ରତ୍ୟେକ ଦିନ କଏଦୀମାନଙ୍କ ପାଇଁ ଶୁଖିଲା ଖାଦ୍ୟଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ଜେଲ୍‌ ଭିତରକୁ ଯାଉଛି। ନିଶାଦ୍ରବ୍ୟ ଚାଲାଣ ନିତିଦିନିଆ କଥା। ବଡ଼ କଥା ହେଲା, ଜେଲ୍‌ ବାହାରରୁ ଆରମ୍ଭ କରି ଭିତରେ ସବୁଠି ସିସି କ୍ୟାମେରା, ଜାମର୍‌ ମଧ୍ୟ ଲାଗିଛି। ଏହାସତ୍ତ୍ବେ ମଧ୍ୟ ଜେଲ୍‌ ଭିତରକୁ ନିଶା ଦ୍ରବ୍ୟ, ବାହାର ଖାଦ୍ୟ ଯାଉଛି। ପ୍ରଶ୍ନ ଉଠୁଛି, ଜେଲ୍‌ ବ୍ୟବସ୍ଥା କାମ କରୁନି ନା କ୍ୟାମେରା ଏବଂ ଯନ୍ତ୍ର ଗୁଡ଼ିକ ଅଚଳ ହୋଇଯାଇଛି? ବଡ଼ କଥା ହେଉଛି, ପ୍ରତି ତିନି ମାସ‌‌ରେ ଜେଲ୍‌ ଉପରେ ଚଢ଼ଉ ହେବାର ନିୟମ ରହିଛି। କିନ୍ତୁ କମିସନରେଟ୍‌ ପୁଲିସ ଏହା‌କୁ ଠିକ୍‌ ଭାବେ ପାଳନ କରୁନାହିଁ।

ଚାଲିଛି ଖୁଲମ୍‌ଖୁଲା ନିଶା କାରବାର
ଜେଲ୍‌ରେ ଚାଲିଛି ଖୁଲମଖୁଲା ନିଶା ଦ୍ରବ୍ୟ କାରବାର। ଵାର୍ଡର୍‌ ସମସ୍ତଙ୍କ ସମ୍ମୁଖରେ ଯାଞ୍ଚ କରୁଛନ୍ତି, ତଥାପି କେତେକ ନିର୍ଦିଷ୍ଟ ବିଚାରାଧୀନ କଏଦୀଙ୍କ ପାଇଁ ନିଶାଦ୍ରବ୍ୟ ଭିତରକୁ ଯାଉଛି। ବିଚାରାଧୀନ କଏଦୀଙ୍କୁ ଭେଟିବାକୁ ଆସିଥିବା ସମ୍ପର୍କୀୟମାନେ ବିସ୍କୁଟ, ମିକ୍ସଚର ଭଳି ଶୁଖିଲା ଖାଦ୍ୟ ହେଉ କି ଅନ୍ୟ ଉପାୟରେ ଚତୁରତାର ସହ ନିଶା ଦ୍ରବ୍ୟ ପଠାଉଛନ୍ତି। ଗଞ୍ଜେଇ ଠାରୁ ଆରମ୍ଭ କରି ବିଡ଼ି, ସିଗାରେଟ‌୍‌, ଗୁଟ୍‌ଖା ଓ ଖଇନି ଆଦି ନିଶାଦ୍ରବ୍ୟକୁ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲାଣ କରାଯାଉଛି। ଏସବୁକୁ ଜଣେ ଵାର୍ଡର ଯାଞ୍ଚ କରନ୍ତି। କିନ୍ତୁ ଯେଉଁ ସମ୍ପର୍କୀୟମାନେ ଵାର୍ଡରଙ୍କୁ ହାତଗୁଞ୍ଜା ଦିଅନ୍ତି ସେମାନଙ୍କ ଜିନିଷପତ୍ର ସହିତ ନିଶାଦ୍ରବ୍ୟ ଭିତରକୁ ଯାଏ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

କାମ କରୁନି ସ୍କାନର
ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌, ମାରଣାସ୍ତ୍ର ନ ପଶି ପାରିବା ଲାଗି ଲଗେଜ୍‌ ସ୍କାନର ଲାଗିଲା। ହେଲେ ସ୍କାନର ଥାଇ ବି ନଥିବା ଭଳି ସ୍ଥିତି ଉପୁଜିଛି। ଏହି ସ୍କାନର୍‌ କାମ କରୁନଥିବାରୁ ଜେଲ ଭିତରକୁ ଛୋଟଛୋଟ ଅସ୍ତ୍ର ଯେମିତିକି ଛୁଞ୍ଚି, ଆଲପିନ, ବ୍ଲେଡ ମଧ୍ୟ ଅତି ସହଜରେ ଯାଇପାରୁଛି। ତେବେ ପ୍ରତି ୩ ମାସରେ ପୁଲିସ ପକ୍ଷରୁ ଜେଲ୍‌ ଉପରେ ଅଚାନକ ଚଢ଼ଉ କରାଯିବାର ନିୟମ ଥିଲେ ମଧୢ ଏହି ନିୟମକୁ ପାଳନ କରାଯାଉନାହିଁ। ଫଳରେ ଏହାର ସୁଯୋଗ ନେଇ ଅପରାଧୀମାନେ ନିଜ କାମ ସୁରୁଖୁରୁରେ କରୁଛନ୍ତି।

କଏଦୀଙ୍କ ହାତରେ ମୋବାଇଲ୍‌ ଫୋନ୍‌
ଏହାଛଡ଼ା ଜେଲ୍‌ର ଲ୍ୟାଣ୍ଡ ଫୋନ୍‌ରୁ ଜେଲ୍‌ ଭିତରେ ଥିବା ଅପରାଧୀ ବାହାର ଅପରାଧୀଙ୍କ ସହ ଯୋଗାଯୋଗ କରି ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାରୁ ଲ୍ୟାଣ୍ଡ ଫୋନ୍‌କଲକୁ ବନ୍ଦ କରାଗଲା। ଏଥିପାଇଁ କିଛିଦିନ ତଳେ ଜେଲ୍‌ରେ ନୂଆ କଲ୍‌ ରେକର୍ଡ ମେସିନ୍‌(କଲିଂ ମେସିନ୍‌)କୁ ଲଗାଗଲା। ଅପରାଧୀ କାହା ସହ କଥା ହେଉଛନ୍ତି? କ’ଣ କଥା ହେଉଛନ୍ତି? ଏସବୁର ତଥ୍ୟ ଜେଲ୍‌ କର୍ତୃପକ୍ଷଙ୍କ ନିକଟରେ ରହିବ। ହେଲେ ପୁଣି ଜେଲ୍‌ରେ କେତେକ କଏଦୀ ମୋବାଇଲ୍‌ ବ୍ୟବହାର କଥା ଆଲୋଚନା ହେଉଛି। ୨୦୧୯ ମସିହାରେ ପୁଲିସ ଚଢ଼ଉ କରି ଜେଲ୍‌ରୁ ପୁଳା ପୁଳା ସିମ୍‌ ଜବତ କରିଥିଲା। ଯେଉଁ ସିମ୍‌ କାର୍ଡ ଜବତ ହୋଇଥିଲା, ତାର ତଦନ୍ତ ହେବ ବୋଲି ପୁଲିସ କହିଥିଲା, କିନ୍ତୁ ଏଯାଏ ତା’ର ପତ୍ତା ମିଳି ପାରିନାହିଁ।

ଲାଗି ପାରିଲାନି ୪-ଜି ଜାମର
ଦୀର୍ଘ ଦିନ ହେବ ଜେଲ୍‌‌ରେ ୪-ଜି ଜାମର ଲାଗିବା ପାଇଁ ଯୋଜନା କରାଯାଇଥିଲେ ବି ତାହା ଏପର୍ଯ୍ୟନ୍ତ ଲାଗିପାରିଲା ନାହିଁ। ବର୍ତ୍ତମାନ ଜେଲ୍‌ ଭିତରେ ଯେଉଁ ମୋବାଇଲ୍‌ ଜାମର୍‌ ଲାଗିଛି ତାହା ଟୁ-ଜି। ହେଲେ ଅପରାଧୀ ୪-ଜି ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଟୁ-ଜି ଜାମର ଆଉ କାମ କରୁନାହିଁ। ଫଳରେ ବେଶ ଆରାମରେ ୪-ଜି ମୋବାଇଲ ଫୋନରୁ ଅପରାଧୀମାନେ କଥାବାର୍ତ୍ତା ହେଉଛନ୍ତି। ବେଶ ଆରାମରେ ଯୋଗାଯୋଗ କରି ଦାଦାବଟି ଆଦାୟଠାରୁ ଆରମ୍ଭ କରି ଧମକ ଚମକ ଦେଉଛନ୍ତି।

 

ସମ୍ବନ୍ଧିତ ଖବର