ଚର୍ଚ୍ଚିତ ପ୍ରସଙ୍ଗ

ମେୟରଙ୍କୁ ନେଇ ମହାଭାରତ

ମେୟର ଅନନ୍ତ ନାରାୟଣ ଜେନାଙ୍କ ବ୍ଲୁ ସିଡି ଓ ଋଷି ହତ୍ୟାକାଣ୍ଡରେ ସଂପୃକ୍ତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଲା। ଏପରିକି ଛାତ୍ର କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ପୂରା ରାଜଧାନୀରେ ଆନ୍ଦୋଳନ ତେଜିଲା। ଶାସକ ଦଳକୁ ଅଡ଼ୁଆରେ ପକାଇବା ପାଇଁ ବିରୋଧୀ ଘନଘନ ଆକ୍ରମଣ କଲେ। ମେୟରଙ୍କ ଇସ୍ତଫା ଦାବି ଜୋର୍ ଧରିଲା। କିନ୍ତୁ ମେୟର ଇସ୍ତଫା ଦେଲେନି। ବ୍ଲୁ ସିଡିରେ ସେ ନାହାନ୍ତି କି ଋଷି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ନାହିଁ ବୋଲି ମେୟର ବାରମ୍ବାର କହିଚାଲି‌ଲେ। ଏହି ଘଟଣାର କମିସନରେଟ୍ ପୁଲିସ ଯାଞ୍ଚ କରିବା ପରେ ମେୟରଙ୍କୁ କ୍ଲିନ୍ ଚିଟ୍ ଦେଲା। ବିଏମ୍‌ସିରେ ମେୟରଙ୍କ କାର୍ଯ୍ୟଶୈଳୀ ଯୋଗୁଁ ସେ ଅଧିକ ଲୋକପ୍ରିୟ ହୋଇଚାଲିଲେ। କିନ୍ତୁ ପାଳି ଶେଷକୁ ଗୋଲଡେନ୍ ବାବାଙ୍କ ସହ ମେୟରଙ୍କ ସଂପୃକ୍ତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

କାଠଗଡ଼ାରେ ୟୁଜର୍ସ ଫି’

ୟୁଜର୍ସ ଫି’କୁ ନେଇ ବିଏମ୍‌ସି ବହୁ ଅଡ଼ୁଆରେ ପଡ଼ିଲା। ୨୦୧୫ ଶେଷ ବେଳକୁ ୟୁଜର୍ସ ଫି’ ଆଦାୟ ନେଇ ଘୋଷଣା ହେଲା। ଏଥିରେ ବିଏମ୍‌ସି ଅଞ୍ଚଳରେ ଥିବା ପ୍ରତ୍ୟେକ ଆବାସିକ ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ ଏହି ଫି’ ଆଦାୟ ନିଷ୍ପତ୍ତି ହୋଇଥିଲା। ମାସକୁ ୧୦ଟଙ୍କାରୁ ଆରମ୍ଭ କରି ୧ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ବି ହେଲା। ଏହା ବିଏମ୍‌ସି ପକ୍ଷରୁ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ବାବଦକୁ ଫି’ ପାଇଁ ଆଦାୟ ହେଲା। ହେଲେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଏମ୍‌ସି ବିଫଳ ହୋଇଥିବା ଅଭିଯୋଗ ଆଣି ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଗଲା। କିନ୍ତୁ ବିଜେପି ଦଳର ବିରୋଧ ସବୁଠୁ ଚର୍ଚ୍ଚିତ ଥିଲା। ବିଜେପି କର୍ମୀମାନେ ବିଏମ୍‌ସି ଅଫିସରେ ପଶି ଭଙ୍ଗାରୁଜା କଲେ। ଏହାପରେ ହାଇକୋର୍ଟ ୟୁଜର୍ସ ଫି’ ଆଦାୟ ଉପରେ ସ୍ଥଗିତାଦେଶ ଦେଲେ। ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ୟୁଜର୍ସ ଫି’ କାହିଁକି ଆଦାୟ ହେବେ ସେନେଇ ଜବାବ ମାଗିଲେ। କିନ୍ତୁ କର୍ତ୍ତୃପକ୍ଷ ଏହାର ଉତ୍ତର ଦେବାକୁ ପ୍ରାୟ ୧୦ମାସ ସମୟ ନେଲେ। ଏବେ ଏହି ମାମଲାର ରାୟ ଆସି ନଥିବାରୁ ୟୁଜର୍ସ ଫି’ ଆଦାୟ ହେଉନି।

ୟୁନିଟ-୮ କଲ୍ୟାଣ ମଣ୍ଡପ: ଭାଙ୍ଗିଲେ, ଭୁଲିଗଲେ

ବିଏମ୍‌ସି ମୁଖ୍ୟାଳୟ ନିର୍ମାଣ ପାଇଁ କର୍ତ୍ତୃପକ୍ଷ ୟୁନିଟ-୮ କଲ୍ୟାଣ ମଣ୍ଡପକୁ ମାଟିରେ ମିଶାଇ ଦେଲେ। ବହୁ ବିରୋଧ ସତ୍ତ୍ବେ ପୁଲିସ ଉପସ୍ଥିତିରେ କଲ୍ୟାଣ ମଣ୍ଡପ ଧୂଳିସାତ୍‌ ହୋଇଗଲା। ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଏଠାରେ ବିଏମ୍‌ସି ମୁଖ୍ୟାଳୟ ପାଇଁ ଶିଳାନ୍ୟାସ କଲେ। କିନ୍ତୁ ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ ହେଲା ବେଳକୁ ଜମି ଛୋଟ ପଡ଼ିଲା। ଏହାପରେ ଉଚ୍ଚସ୍ତରୀୟ ବୈଠକ ବସି ସତ୍ୟନଗର ମଶାଣି ସମ୍ମୁଖ ୟୁନିଟ-୯ରେ ବିଏମ୍‌ସି ମୁଖ୍ୟାଳୟ ପାଇଁ ଜମି ଚିହ୍ନଟ ହେଲା। ମୁଖ୍ୟମନ୍ତ୍ରୀ ପୁଣି ଏଠାରେ ଶିଳାନ୍ୟାସ କଲେ। ଡିପିଆର୍‌ ପ୍ରସ୍ତୁତ କରି ଟେଣ୍ଡର ବି ହେଲା। କିନ୍ତୁ ପ୍ରଥମ ଥର ଟେଣ୍ଡର ବାତିଲ୍‌ ହେବା ପରେ ପୁଣି ନୂଆ ଟେଣ୍ଡର ହୋଇଛି। ଦୁଇ ଜଣ ‌ଟେଣ୍ଡର ପକାଇଥିବାବେଳେ ଖୁବ୍ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ହେଲେ ୟୁନିଟ-୮ କଲ୍ୟାଣ ମଣ୍ଡପ ସ୍ଥାନରେ ଆଉ କ’ଣ ହେବ ସେନେଇ କିଛି ନିଷ୍ପତ୍ତି ନିଆଯାଇପାରିନି। ଏପରିକି ୫ବର୍ଷ ଭିତରେ ଗୋଟିଏ ବି କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ ହୋଇପାରିଲାନି।

ବଜେଟ୍‌ କମିଲା, ରାଜସ୍ବ ବଢ଼ିଲା

ଗତ ୫ବର୍ଷ ମଧ୍ୟ‌େର ବିଏମ୍‌ସିର ବଜେଟ୍‌ ପ୍ରାୟ ୬୭କୋଟି ଟଙ୍କା କମିଥିବାବେଳେ ରାଜସ୍ବ ଆୟ ୧୩୫କୋଟିରେ ପହଞ୍ଚିଛି। ୨୦୧୪-୧୫ରେ ବିଏମ୍‌ସି ବଜେଟ୍‌ ୪୩୧କୋଟି ୪୭ଲକ୍ଷ ୨ହଜାର ୩୦୩ ଟଙ୍କା ଥିବାବେଳେ ୨୦୧୮-୧୯ରେ ଏହା ୩୪୯କୋଟି ୩୦ଲକ୍ଷ ଏକ ହଜାର ୪୭୪କୁ କମି ଯାଇଥିଲା। ସ୍ମାର୍ଟ ସିଟି ଯୋଜନାରେ ବିଭିନ୍ନ ଅଞ୍ଚଳର ବିକାଶ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ସବୁ ଅଞ୍ଚଳରେ ଅର୍ଥ ବିନିଯୋଗ ହୋଇନାହିଁ। ସେହିପରି ରାଜସ୍ବ ଆଦାୟ ୫ବର୍ଷରେ ପ୍ରାୟ ଅଢ଼େଇ ଗୁଣା ବଢ଼ି ୧୩୫କୋଟିରେ ପହଞ୍ଚିଛି। ଏଥର ୧୫୦କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ ରହିଛି।

ବୁଡ଼ିଲା‌ ରାଜଧାନୀ

ବର୍ଷା ରାଜଧାନୀବାସୀଙ୍କ ନିଦ ହ‌େଜଇଦେଲା। ଗତ କିଛି ବର୍ଷ ହେଲା ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶୁଥିଲା, ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହେଉଥିଲା। କିନ୍ତୁ ୨୦୧୮ର ବର୍ଷା ଲୋକଙ୍କୁ ଘରୁ ବାହାର କରାଇ ଦେଲାନି। ପୂରା ରାଜଧାନୀ କୃତ୍ରିମ ବନ୍ୟାର ଲାଇଭ୍ ସୋ ଦେଖିଲା। ଜଳ ନିଷ୍କାସନ ବାଟ ଯେପରି ପୂରା ବନ୍ଦ ହୋଇଯାଇଥିଲା। ସବୁଆଡ଼େ ଖାଲି ପାଣି ଆଉ ପାଣି ଦିଶିଲା। କେତେକ ସ୍ଥାନରେ ଏକ ମହଲା ପର୍ଯ୍ୟନ୍ତ ଘର ବୁଡ଼ିଗଲା। ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଏବଂ ବିଏମ୍‌ସି ମିଳିତ ଭାବେ ୮୦ରୁ ଅଧିକ ପମ୍ପ ଲଗାଇ ପାଣି ନିଷ୍କାସନ କଲେ। ବସ୍ତି ଅଞ୍ଚଳରେ ଲୋକଙ୍କୁ ଖାଇବାକୁ ନମିଳିବାରୁ ପ୍ରଶାସନ ରିଲିଫ୍ ଯୋଗାଇଲା। ରାଜଧାନୀ ଇତିହାସରେ ଏହିଭଳି ଜଳବନ୍ଦୀ ସମସ୍ୟା କେବେ ହୋଇନଥିଲା। କେମିତି କ’ଣ କରିବେ ବିଏମ୍‌ସି ଅଧିକାରୀ ବୁଦ୍ଧି ବାଟ ପାଇଲେନି। ଏହାପରେ ୧୦ଟି ଯାକ ମୁଖ୍ୟ ଡ୍ରେନ୍ ପୁନରୁଦ୍ଧାର କରିବାକୁ ଯୋଜନା ହୋଇଛି।

ଅଳିଆ ଅଡ଼ୁଆ ଛିଡ଼ିଲାନି

ବିଏମ୍‌ସି ଅଳିଆ ଭୁଆସୁଣୀରେ ପକାଇ ନଦେବା ଦାବିରେ ଦାରୁ‌େଠଙ୍ଗ‌ ଗ୍ରାମବାସୀ ଜୋରଦାର୍‌ ବିରୋଧ କଲେ। ସ୍ଥିତି ଏପରି ହେଲା ଯେ ବିଭିନ୍ନ ସମୟରେ ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରିଲାନି। ରାଜଧାନୀରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଲା। ବିଏମ୍‌ସି ଗାଡ଼ିକୁ ଦାରୁଠେଙ୍ଗ ଗ୍ରାମବାସୀ ଭଙ୍ଗାରୁଜା କଲେ। ଏହାପରେ ପୁଲିସ ସହାୟତାରେ ଅଳିଆ ପଡ଼ିଲା। ତଥାପି ବି ବିରୋଧ ଜାରି ରହିଲା। ସ୍ଥିତି ଏପରି ହେଲା ଯେ, ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହେଲେ। ପୁଲିସ ଲାଠି ମାଡ଼ରେ ଗ୍ରାମବାସୀ ଆହତ ହେଲେ। ୫୦ରୁ ଅଧିକ ଗିରଫ ହୋଇ ଜେଲ୍‌ ଗଲେ। ମାମଲା ହାଇକୋର୍ଟ ଓ ଏନ୍‌ଜିଟିରେ ଶୁଣାଣି ଚାଲିଲା। ହାଇକୋର୍ଟ ଅଳିଆ ଡମ୍ପିଂୟାର୍ଡରେ ପକାଇବାକୁ ରାୟ ଦେଲେ। ଏନ୍‌ଜିଟି ନିର୍ଦ୍ଦେଶକ୍ରମେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗ୍ରାମସଭା ଡାକିଲା। ଏଥିରେ ବି ଗ୍ରାମବାସୀ ବିରୋଧ କଲେ। ଗ୍ରାମବାସୀ ଅଳିଆ ପକାକୁ ବିରୋଧ କରି ତ୍ରିସ୍ତରୀୟ ନିର୍ବାଚନକୁ ବିରୋଧ କଲେ। ଏସବୁ ସତ୍ତ୍ବେ ବି ଡମ୍ପିଂୟାର୍ଡରେ ଅଳିଆ ପଡ଼ୁଛି। କିନ୍ତୁ କଠିନ ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇପାରିଲାନି। ମାମଲା ଏବେ ସୁପ୍ରିମକୋର୍ଟରେ ଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ବି ଗ୍ରାମସଭାର ନିଷ୍ପତ୍ତି ଆଧାରରେ କିଛି ବି ଚୂଡ଼ାନ୍ତ ନିଷ୍ପତ୍ତି ‌େନଇପାରିନି।

ସମ୍ବନ୍ଧିତ ଖବର