୨୦୧୪ ଜାନୁଆରି ୯ରେ ଲଗାତର ତିନି ଥର ପାଇଁ ବିଏମ୍ସି ଦଖଲ କଲା ବିଜେଡି। ଦ୍ବିତୀୟ ଥର ପାଇଁ ମେୟର ହେଲେ ଅନନ୍ତ ନାରାୟଣ ଜେନା। ଜାନୁଆରି ୧୭ରେ ମେୟର ଓ ବିଜୟୀ କର୍ପୋରେଟରମାନେ ଶପଥ ନେଲେ। ଏହାରି ଭିତରେ ୪ବର୍ଷ ୩୬୪ ଦିନ ବିତିଯାଇଛି। ଆଉ ଦିନକ ପରେ ସମସ୍ତଙ୍କ କାର୍ଯ୍ୟକାଳ ସରିବ। ଏହି ସମୟରେ ଭୁବନେଶ୍ବରରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବାବେଳେ ବିଗତ ଦିନର ବହୁ ସମସ୍ୟାର ସମାଧାନ କିନ୍ତୁ ହୋଇପାରିନି। ଏହି ୫ବର୍ଷ ରାଜ୍ୟରେ ବିଜେଡିର ଶାସନ ଥିବାବେଳେ ବିଏମ୍ସି ବି ବିେଜଡି ଦଖଲରେ ଥିଲା। ତେଣୁ ଭୁବନେଶ୍ବରବାସୀ ବହୁତ କିଛି ନୂଆ ଦେଖିବେ ବୋଲି ଆଶା ରଖିଥିଲେ। ଏହି ଆଶା ବହୁ ମାତ୍ରାରେ ବି ପୂରଣ ହେଲା। ହେଲେ ମୌଳିକ ସୁବିଧା ସୁଯୋଗରେ ଯେମିତି ଉନ୍ନତି ଆସିବା କଥା ଆସିପାରିଲାନି।
ଉପସ୍ଥାପନା: ବିଶ୍ବଜିତ ଦାଶ, ଅଳଙ୍କରଣ: ରବି, ଫଟୋ: ବିଭୂତି
ବିରୋଧୀ ଶୂନ୍ୟ କର୍ପୋରେସନ୍
ଗତ ଦୁଇ ପାଳି ଅପେକ୍ଷା ଏଥର ପୂରା ଏକପାଖିଆ ଭାବେ ବିଜେଡି କବ୍ଜାରେ ବିଏମ୍ସି ରହିଥିଲା। ବିରୋଧୀଙ୍କ ଭୟ ବି ନଥିଲା। କାରଣ ଶାସକ ଦଳର ୪୯ କର୍ପୋରେଟରଙ୍କ ସହ ସାମିଲ୍ ହୋଇ ଯାଇଥିଲେ ୧୨ଜଣ ସ୍ବାଧୀନ କର୍ପୋରେଟର। ଯେଉଁମାନେ ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସେମାନେ ନିର୍ବାଚନ ସରିବା କ୍ଷଣି ବିଜେଡିକୁ ସମର୍ଥନ କେଲ। କର୍ପୋରେସନରେ ଶାସକ ଦଳର ୬୧ଜଣ ଥିବାବେଳେ କଂଗ୍ରେସର ୨ଜଣ ଏବଂ ବିଜେପିର ୪ଜଣ କର୍ପୋରେଟର୍ ଥିଲେ। ଏହାପରେ ଦୁଇ ଜଣ ବିଜେଡି କର୍ପୋରେଟରଙ୍କର ଅକାଳ ମୃତ୍ୟୁ ହୋଇଥିଲେ ବି ଉପନିର୍ବାଚନରେ ବିଜେଡି ସିଟ୍ ବଜାୟ ରଖିଥିଲା। ବର୍ଷ କେଇଟାରେ ବିଜେଡି ମୁଠା ପୂରା ମଜଭୁତ୍ ହୋଇଗଲା। କର୍ପୋରେସନରେ ବିଜେଡି ବିରୋଧୀ ସ୍ବର ଦବି ଦବି ଗଲା। ସମୟକ୍ରମେ ୨ଜଣ ବିଜେପି କର୍ପୋରେଟର ଏବଂ ୨ଜଣ ଯାକ କଂଗ୍ରେସ କର୍ପୋରେଟର ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଗଲେ। ୫ବର୍ଷ ପୂରିଲା ବେଳକୁ କର୍ପୋରେସନରେ ବିଜେଡିର ୬୫କୁ ବିଜେପିର ୨ କର୍ପୋରେଟର। ୬୫ୱାର୍ଡରେ ବିଜେଡି ଓ ସମର୍ଥିତ କର୍ପୋରେଟର ରହିଥିବାରୁ ଲୋକଙ୍କ ଅସନ୍ତୋଷର ସ୍ବର ସେହି ୱାର୍ଡ ଭିତରେ ହିଁ ସୀମିତ ହୋଇଯାଇଛି।
ଜାନୁଆରି ୧୬ରେ କର୍ପୋରେଟର ଓ ମେୟରଙ୍କ କାର୍ଯ୍ୟକାଳ ସରୁଥିବାବେଳେ ନୂଆ ପ୍ରଶାସକ ବିଏମ୍ସିର ମୁଖ୍ୟ ହେବେ। ଏବେ ପୌର ନିର୍ବାଚନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ଥିବାରୁ ନିକଟ ଭବିଷ୍ୟତରେ ବି ନିର୍ବାଚନ ହେବାର ନାହିଁ। ସାଧାରଣ ନିର୍ବାଚନ ପରେ ବିଏମ୍ସି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ନିର୍ବାଚନ ଚଳିତବର୍ଷ ଶେଷ ଆଡ଼କୁ କିମ୍ବା ଆସନ୍ତା ବର୍ଷ ହୋଇପାରେ। ତେଣୁ ସରକାରୀ ଦଳ ପୁଣି ବିଏମ୍ସିକୁ କବ୍ଜାକୁ ଆଣିବାକୁ ହେଲେ ପ୍ରଶାସକ ଏବଂ କମିସନର ମୁଖ୍ୟ ଭୂମିକା ନେବେ ବୋଲି କୁହାଯାଉଛି। ଏବେ ରାଜଧାନୀର ବହୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ପ୍ରଶାସକ ଓ କମିସନର ଯେପରି କାର୍ଯ୍ୟ କରିବେ ତାହା ଉପରେ ବିଜେଡି ପୁଣି ବିଏମ୍ସିକୁ ଦଖଲକୁ ନେବ କି ନାହିଁ ତାହା ନିର୍ଭର କରୁଛି।
ସଫଳ
ଭୁବନେଶ୍ବରରେ ମର୍କୁରି ଓ ସୋଡିୟମ ଷ୍ଟ୍ରିଟ୍ ଲାଇଟ୍ ବଦଳରେ ସ୍ମାର୍ଟ ଏଲ୍ଇଡି ଲାଇଟ୍ ଲାଗିଲା। ଏହା ବିଦ୍ୟୁତ ଖର୍ଚ୍ଚ ପୂର୍ବାପେକ୍ଷା ପ୍ରାୟ ୮୦% କମାଇବାରୁ ଏହି ଯୋଜନା ସାରା ଓଡ଼ିଶାରେ ଲାଗୁ ହୋଇଛି।
ଅଳିଆ ଆବର୍ଜନା ଉଠୁ ନଥିଲେ ସ୍ଥାନୀୟ ବାସିନ୍ଦା ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିପାରୁଛନ୍ତି। ଅଭିଯୋଗ କରିବାର କିଛି ଘଣ୍ଟା ମଧ୍ୟରେ ଏହାର ସମାଧାନ କରାଯାଉଛି। କେବଳ ଅଳିଆ ନୁହେଁ ଲୋକମାନେ ସେମାନଙ୍କ ମୌଳିକ ସମସ୍ୟା ନେଇ ଅଭିଯୋଗ କଲେ ବି ଏହାର ତୁରନ୍ତ ସମାଧାନ କରାଯାଉଛି।
ଜାମୁକୋଳିରେ ଶହେ ଗୋରୁ ରହିବା ଭଳି ଏକ ଗୋ ମଙ୍ଗଳ କେନ୍ଦ୍ର ବା କାଞ୍ଜିଆହୁଦା ଖୋଲିଲା।
ପ୍ରମୁଖ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ଗାଈଙ୍କ ଉତ୍ପାତ ବଢ଼ୁଥିବାବେଳେ ଏହାକୁ ରୋକ୍ ଲଗାଇବା ପାଇଁ ଗାଈଙ୍କର େନାଳିକରଣ କରଣ କରାଗଲା। ଗାଈଙ୍କ କ୍ୟାନ୍ରେ ଟ୍ୟାଗ୍ ଲାଗିଲା। ଯେଉଁଥିରେ ଗାଈର ମାଲିକଙ୍କ ସମସ୍ତ ତଥ୍ୟ ରହିଲା।
ରାଜଧାନୀବାସୀ ଘରୁ ବାହାରିଲେ ରାସ୍ତାରେ ଝାଡ଼ା ପରିସ୍ରା ଲାଗିଲେ ଅକଳ ପରିସ୍ଥିତିରେ ପଡ଼ୁଥିଲେ। ସ୍ବଚ୍ଛ ଭୁବନେଶ୍ବର ଲକ୍ଷ୍ୟରେ ବିଏମ୍ସି ପକ୍ଷରୁ ୬୫ଟି ସ୍ଥାନରେ କମ୍ୟୁନିଟି ଟଏଲେଟ୍, ୬୦ଟି ପବ୍ଲିକ ଟଏଲେଟ୍, ୬୦ଟି ପ୍ରି ଫ୍ୟାବ୍ରିକେଟେଡ୍ ଟଏଲେଟ୍, ୫୦ଟି ସ୍ଥାନରେ ହାଇବ୍ରିଡ୍ ଟଏଲେଟ୍, ୧୭ଟି ସ୍ଥାନରେ ସ୍ମାର୍ଟ ଟଏଲେଟ୍ ନିର୍ମାଣ କରାଯାଇଛି।
ରାଜଧାୀର ୬୭ଟି ପୁଷ୍କରିଣୀର ପୁନରୁଦ୍ଧାର କରିବା ସହ ପୋଖରୀ ହୁଡ଼ାକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଯୋଜନା ହୋଇଛି। ଏବେ ସୁଦ୍ଧା ପ୍ରାୟ ୪୦ରୁ ଅଧିକ ପୁଷ୍କରିଣୀ ପୁନରୁଦ୍ଧାର ଶେଷ ହେଲାଣି।
ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସ୍ଥାନରେ କାନ୍ଥବାଡ଼ରେ ମୋରାଲ୍ ପେଣ୍ଟିଂ କରାଯାଇଛି।
ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍, ପ୍ଲାଷ୍ଟିକ୍ ବୋତଲ ବିଶୋଧନ ପାଇଁ ରିଭର୍ସ ଭେଣ୍ଡିଂମେସିନ୍ ଲାଗିଛି।
ବିଫଳ
କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ ଜାରି ରହିଥିଲେ ହେଁ ଏହା ହୋଇପାରିଲାନି।
ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୪୦ଟି ସ୍ଥାନରେ ପାଣି ଏଟିଏମ୍ ଲାଗିଲା। କିନ୍ତୁ ଏଗୁଡ଼ିକ ଆବଶ୍ୟକୀୟ ସ୍ଥାନରେ ନଲାଗିବାରୁ ଏହାର ସଦୁପଯୋଗ ହୋଇପାରିଲାନି। ଏପରିକି ଏବେ ଅଧିକାଂଶ ପାଣି ଏଟିଏମ୍ ଅବ୍ୟବହୃତ ହୋଇ ପଡ଼ି ରହିଛି।
ଭୁବନେଶ୍ବରକୁ ବାହାରେ ମଳତ୍ୟାଗମୁକ୍ତ ସହର କରିବା ପାଇଁ ବିଏମ୍ସି ପକ୍ଷରୁ ବିଏସ୍ସିଏଲ୍ ସହାୟତାରେ ବହୁ ପଦକ୍ଷେପ ନିଆଯାଇଥିଲେ ହେଁ ଏହା ଆଜି ପର୍ଯ୍ୟନ୍ତ ସଫଳ ହେଲାନି।
ଗାଡ଼କଣେରେ ପିପିପି ମୋଡ୍ରେ ବିଶ୍ବସ୍ତରୀୟ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୨ ମସିହାରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ଦୁଇ ଥର ଚୁକ୍ତି ବାତିଲ୍ ହେବା ପରେ ୨୦୧୭ରେ ପୁଣି କିମ୍ସ ହସ୍ପିଟାଲ ଗ୍ରୁପ୍ ସହ ବିଏମ୍ସି ଚୁକ୍ତି କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିଲାନି।
ଗାଡ଼କଣ ଏବଂ କୋଳଥିଆରେ ଅତ୍ୟାଧୁନିକ କଂସେଇଖାନା ଅବ୍ୟବହୃତ ହୋଇପଡ଼ିଛି ।
ଆରମ୍ଭ ହୋଇପାରିଲାନି ସ୍ମାର୍ଟ ପାର୍କିଂ ବ୍ୟବସ୍ଥା।
ଲମ୍ବା ଅବଧିର କମିସନର
ବିଏମ୍ସିରେ ସବୁଠୁ ଲମ୍ବା ଅବଧିର କମିସନର ଭାବେ ଦୀର୍ଘ ୪ବର୍ଷ ୧୦ମାସ କାମ କଲେ କ୍ରିଷନ କୁମାର। ବିଏମ୍ସି ନିର୍ବାଚନ ପରେ ପରେ ଦାୟିତ୍ବ ନେଇଥିବା କମିସନରଙ୍କର ଗତ ଡିସେମ୍ବରରେ ବଦଳି ହୋଇଥିଲା। ବିଏମ୍ସିରେ ବିଜେଡିର ଏକପାଖିଆ ଦଖଲ ଏବଂ ସ୍ଥାୟୀ କମିସନର ଥିବାରୁ ପାଳି ଆରମ୍ଭରୁ ବହୁ ଉନ୍ନତିମୂଳକ କାର୍ଯ୍ୟ ହେଲା। ଗଳିକନ୍ଦିରେ କଙ୍କ୍ରିଟ୍ ରାସ୍ତାରୁ ଆରମ୍ଭ କରି ନିୟମିତ ଅଳିଆ ଉଠିବା ଭଳି କାର୍ଯ୍ୟ ହେଲା। କିନ୍ତୁ ୨୦୧୫ରୁ କମିସନର ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବାରେ ଅଧିକ ଧ୍ୟାନ ଦେବାପରେ ବିଏମ୍ସି ଉପରୁ ତାଙ୍କର ଧ୍ୟାନ କମିକମି ଗଲା। ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ବର ଏକ ନୂଆ ରୂପ ପାଇବାକୁ ଯାଉଛି। ଏହାର ଝଲକ ରାଜଧାନୀବାସୀ ଦେଖିସାରିଲେଣି। କିନ୍ତୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି। ଅଳିଆ ନିୟମିତ ଉଠୁନି, ରାସ୍ତା ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି, ଆବଶ୍ୟକୀୟ ଡ୍ରେନ୍ ନିର୍ମାଣ ହୋଇପାରିନଥିବାରୁ ଜଳବନ୍ଦୀ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି।
ସ୍ମାର୍ଟ ସିଟି ଭୁବନେଶ୍ବର
ଦେଶେର ୧୦୦ଟି ସ୍ମାର୍ଟ ସିଟି ଗଢ଼ିବାକୁ େକନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଯୋଗିତା ହେଲା। ପ୍ରଥମ ପର୍ଯ୍ୟାୟରେ ୨୦ଟି ସହର ବଛା ହେବାକୁ ଥିବାବେଳେ ଏଥିପାଇଁ ୧୦୦ ସହରକୁ ଯୋଜନା ପ୍ରସ୍ତୁତ କରିବାକୁ ଦିଆଗଲା। ଭୁବନେଶ୍ବର ପାଇଁ ବିଏମ୍ସି ନେତୃତ୍ବରେ ଯୋଜନା ପ୍ରସ୍ତୁତ ହେଲା। ତତ୍କାଳୀନ ବିଏମ୍ସି କମିସନର କ୍ରିଷନ କୁମାରଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ରିପୋର୍ଟ ଦେଶର ସମସ୍ତ ପ୍ରମୁଖ ସହରକୁ ପଛରେ ପକାଇଦେଲା। ଭୁବନେଶ୍ବରର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ହାସଲ କଲା। ସବୁଠି ଭୁବନେଶ୍ବର ଚର୍ଚ୍ଚା ହେଲା। ଏହାପରେ ବିଏମ୍ସିର ବହୁ ପ୍ରକଳ୍ପ ସ୍ମାର୍ଟ ସିଟି ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଲା।