ନିଦ ହଜାଇଲାଣି କରୋନା : ଉଠି ପାରିବ ତ ବିଏମ୍‌ସି

୭୦୧ କୋଟି ଖର୍ଚ୍ଚ ପାଇଁ ଟଙ୍କା କେଉଁଠୁ ଆସିବ, ୬୯୭କୋଟି ଆୟ କରିବାର ଯୋଜନା ଅଛି

ଭୁବନେଶ୍ବର, (ବିଶ୍ବଜିତ୍‌ ଦାଶ) : କରୋନା ମୁକାବିଲା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଦିନରାତି ଏକ କରିଦେଇଛନ୍ତି। ହେଲେ ରାଜଧାନୀର ଭିତ୍ତିଭୂମି ସଜାଡ଼ିବାକୁ ଯେଉଁ ଅର୍ଥ ଦରକାର, ତାହା ଚଳିତ ଆର୍ଥିକ ବର୍ଷରେ କେଉଁଠୁ ଆସିବ, ସେ ଚିନ୍ତା ଏବେ ଘାରିଲାଣି। ୨୦୧୯-୨୦ ଆର୍ଥିକ ବର୍ଷ ଫନି ଓ କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ବେଳେ ବିଏମ୍‌ସିର ଆୟ ଲକ୍ଷ୍ୟଠାରୁ ଢେର୍ କମି ଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସରେ ଆୟ ଟାର୍ଗେଟ୍‌ଠାରୁ ବହୁତ କମ୍ ହୋଇଛି। କେବଳ କିଛି ଜରିମାନା ବାବଦକୁ ଆଦାୟ ହୋଇଛି। କରୋନା ପ୍ରଭାବ ସାରା ରାଜ୍ୟରେ ପଡ଼ିଥିବାରୁ ବିଭିନ୍ନ ଯୋଜନା ବାବଦକୁ ରାଜ୍ୟ ସରକାର ଯେଉଁ ଅର୍ଥ ଦେବାର ଥିଲା ତାହା ମଧ୍ୟ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଏମିତିରେ ଚଳିତବର୍ଷ ବିଏମ୍‌ସି ରାଜଧାନୀରେ ୭୦୧କୋଟି ଖର୍ଚ୍ଚ କରିବାକୁ ଯେଉଁ ବଜେଟ୍‌ ପ୍ରସ୍ତୁତ କରିଛି, ଏଥିପାଇଁ ଟଙ୍କା କେଉଁଠୁ ଆସିବ, ସେ ଚିନ୍ତା ଏବେ ଘାରିଲାଣି।

କରୋନା ପାଇଁ ଏବେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ହୋଇଥିବା ବେଳେ ଆଗକୁ ଏହା ବଢ଼ିବ କି ନାହିଁ, ତାହା ଅନିଶ୍ଚିତତାରେ। ଏହା ପରେ ବି ବହୁ ପ୍ରତିବନ୍ଧକ ଲାଗିବାର ଅଛି। ଏସବୁ ପ୍ରତିକୂଳ ପରିସ୍ଥିତିରେ ବିଏମ୍‌ସି କର୍ତ୍ତୃପକ୍ଷ କେବେଠାରୁ ଟିକସ ଆଦାୟ କରିବେ, ତାହା ବି ନିଷ୍ପତ୍ତି ହୋଇପାରୁନି। ବର୍ତ୍ତମାନ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେମାନେ ଟିକସ ଦେବେ କି ନାହିଁ, ବିଏମ୍‌ସି ସମ୍ପତ୍ତି ଭଡ଼ା ନେଇଥିବା ବ୍ୟବସାୟୀମାନେ ଦୋକାନ ବନ୍ଦ ରଖିଥିବାରୁ ସେମାନେ ଭଡ଼ା ଦେବେ କି ନାହିଁ ତାହା ଅନିଶ୍ଚିତତାରେ। ଏପରିକି ଯଦି ରାଜ୍ୟ ସରକାର ଟିକସ ଓ ଭଡ଼ା କିଛି ମାସ ପାଇଁ ଛାଡ଼ କରନ୍ତି, ତେବେ ବିଏମ୍‌ସିର ରାଜସ୍ବ ଆଦାୟ ଟାର୍ଗେଟ୍‌ ଛୁଇଁବା କଷ୍ଟକର ହୋଇପଡ଼ିବ।

ଅପରପକ୍ଷେ ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ ଯେଉଁ ସବୁ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବ ବୋଲି ଯୋଜନା କରିଛି ସେଥିପାଇଁ ଯଦି ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ନଦେବେ ତେବେ ସବୁ ଓଲଟପାଲଟ ହୋଇଯିବ। ବିଏମ୍‌ସିର ଦୟନୀୟ ସ୍ଥିତି ହେଲେ ରାଜଧାନୀବାସୀ ବିଭିନ୍ନ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେବେ। ବିଏମ୍‌ସିର ରାଜସ୍ବ ଦାୟିତ୍ବରେ ଥିବା ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ଏଥର ବିଏମ୍‌ସି ୬୯୭କୋଟି ଆୟ କରିବ ଓ ୭୦୧କୋଟି ଖର୍ଚ୍ଚ କରିବ ବୋଲି ଟାର୍ଗେଟ୍‌ ରଖିଛି। ଏଥିପାଇଁ ୭୬୮.୭୯କୋଟିର ବଜେଟ୍‌ କରିଛି। ଚଳିତ ବର୍ଷ ମୁଖ୍ୟତଃ ରାଜଧାନୀର ଜଳବନ୍ଦୀ ସମସ୍ୟା ମୁକାବିଲା ପାଇଁ ଡ୍ରେନ୍‌ ଓ ସବୁ ଅଞ୍ଚଳରେ ଖାଲଖମାରେ ଭର୍ତ୍ତି ହୋଇଥିବା ରାସ୍ତା ମରାମତି କରିବାକୁ ଯୋଜନା କରିଥିଲୁ। ଡ୍ରେନ୍‌ ବାବଦକୁ ୧୯୮କୋଟି ୨୯ଲକ୍ଷ, ରାସ୍ତା ମରାମତି ଓ ନିର୍ମାଣ ପାଇଁ ୪୦.୫୬‌ କୋଟି, ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ୯୯କୋଟି ୧୪ଲକ୍ଷ ଟଙ୍କା, ସଫେଇ ପାଇଁ ୬୩କୋଟି ୪୨ଲକ୍ଷ ଟଙ୍କା, ଜଳାଶୟ ପୁନରୁଦ୍ଧାର ପାଇଁ ୭କୋଟି ୪୦ଲକ୍ଷ, ନୂଆ ବିଦ୍ୟୁତୀକରଣ ପାଇଁ ୧୦.୮୭ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛୁ। ଏଥିପାଇଁ ମୁଖ୍ୟତଃ ହୋଲଡିଂ ଟିକସ ବାବଦକୁ ୧୫୦ କୋଟି ଟଙ୍କା ଆଦାୟ କରିବୁ। ଏହାସହ  ଅନୁଦାନ ବାବଦକୁ ‌ମୋଟ୍‌ ୨୩୯ କୋଟି ୧୮ ଲକ୍ଷ ୫୯ହଜାର ୬୭୭ଟଙ୍କା ପାଇବାକୁ ଥିବା ବେଳେ ଓୟୁଆଇଡିଏଫ୍ ଋଣ ବାବଦକୁ ୭କୋଟି ୫୦ଲକ୍ଷ ଏବଂ ମୂଳ ଅନୁଦାନ ବାବଦକୁ ୨୩୧କୋଟି ୧୮ଲକ୍ଷ ୫୯ହଜାର ୬୭୭ଟଙ୍କା. କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ୯୯କୋଟି ୧୪ଲକ୍ଷ ଟଙ୍କା, ଡ୍ରେନ୍‌ ବାବଦକୁ ପାଚେରି ନିର୍ମାଣ, ନୂଆ ଡ୍ରେନ୍‌, ଜମି ଅଧିଗ୍ରହଣ ବାବଦକୁ ମୋଟ୍‌ ୧୯୮କୋଟି ୨୯ଲକ୍ଷ ଟଙ୍କା ପାଇବାର ଅଛି। କିନ୍ତୁ ବର୍ଷ ଆରମ୍ଭ ପରେ ବି ଟଙ୍କାଟିଏ ମିଳିନି। ରାଜ୍ୟ ସରକାର ଯେଉଁ ଅନୁସାରେ ଅନୁଦାନ ଦେବେ, ସେହି ଅନୁସାରେ କାମ ହେବ। କେବଳ ଏତିକି ନୁହେଁ, ଟ୍ରେଡ୍ ଲାଇସେନ୍ସ ବାବଦକୁ ୫.୧୬କୋଟି, ୟୁଜର ଫି’ ବାବଦକୁ ୧୫.୦୩କୋଟି ଏନ୍‌ଓସି ୧୬.୪୪କୋଟି ଟଙ୍କା ପାଇବ‌ାକୁ ଯୋଜନା ଅଛି। ହେଲେ ଏସବୁ ରାଜ୍ୟ ସରକାରଙ୍କ ‌ଆଗାମୀ ନିଷ୍ପତ୍ତି ଉପରେ ସବୁ ନିର୍ଭର କରୁଛି। ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ କାମ ଚାଲିଛି। ତେଣୁ ରାଜସ୍ବ ଆଦାୟ ନେଇ ଆଲୋଚନା ହେଉନି। ଲକ୍‌ଡାଉନ୍ ଅବଧି ସରିଲେ ଚଳିତ ଆର୍ଥିକ ବର୍ଷର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର