ଭୁବେନଶ୍ବର : କରୋନା ପାଇଁ ଏବେ ସହରାଞ୍ଚଳର ଲୋକ ରୋଜଗାର ହରାଇଥିବାରୁ ସେମାନଙ୍କୁ କାମ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ପୌର ସଂସ୍ଥାଗୁଡ଼ିକ ସେମାନଙ୍କର ବିଭିନ୍ନ କାର୍ଯ୍ୟରେ ସହରାଞ୍ଚଳ ଶ୍ରମିକମାନଙ୍କୁ ନିୟୋଜିତ କରି କାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଲୋକଙ୍କୁ କାମ ଦେଇ ସିଧା ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟର ସବୁ ପୌରସଂସ୍ଥା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ହେଲେ ଏହି ଯୋଜନା ବିଏମ୍ସି ପାଇଁ ଅଡ଼ୁଆ ସାଜିଛି।
ଭୁବନେଶ୍ବରରେ ଶ୍ରମିକଙ୍କୁ ମଜୁରି କେତେ ଦିଆଯିବ ନିଷ୍ପତ୍ତି ହୋଇପାରୁନି। ଫଳରେ ଏପର୍ଯ୍ୟନ୍ତ ଲୋକଙ୍କୁ କାମ ମିଳୁନି କି ଟଙ୍କା ମିଳୁନି। କାମଧନ୍ଦା ନଥିବାରୁ ଭୁବନେଶ୍ବରରେ ରହୁଥିବା ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇଗଲାଣି।
ଭୁବେନଶ୍ବରର ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିବା ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା କାମ ବିଏମ୍ସିର। ହେଲେ ବିଏମ୍ସି ଯେଉଁ ସ୍ବୟଂ ସହାୟିକା ଗୋଷ୍ଠୀକୁ କାମ ଦେବାକୁ ଯୋଜନା କରୁଛି ସେମାନେ କେତେ ମଜୁରି ଦେବ ପଚାରୁଛନ୍ତି। ବିଏମ୍ସି ୩୦୦ଟଙ୍କା ମଜୁରି ଦେଇପାରିବ ବୋଲି କହୁଥିବାବେଳେ ସେମାନେ ଅତି କମ୍ରେ ୪୫୦ଟଙ୍କା ଦାବି କରୁଛନ୍ତି। କିନ୍ତୁ ବିଏମ୍ସି ଏତେ ଟଙ୍କା ଦେଇପାରିବନି ବୋଲି କହୁଛି। ଯେଉଁଥିପାଇଁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରୁନି।
‘ସମସ୍ତଙ୍କୁ କାମ’ ଲାଗୁ ହୋଇପାରୁନି
ବାହାରେ କାମ କଲେ ୪୫୦, ବିଏମ୍ସି ଦେବ ୩୦୦
ଏସ୍ଏଚ୍ଜି ମାଧ୍ୟମରେ କାମ ଦେବ ବିଏମ୍ସି
ରାଜଧାନୀରେ ୪୫୦୦ ଏସ୍ଏଚ୍ଜି
ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବରରେ ଥିବା ଶ୍ରମିକଙ୍କୁ ଏସ୍ଏଚ୍ଜି ମାଧ୍ୟମରେ କାମ ଦିଆଯିବ। ଯେଉଁମାନେ କାମ କରିବେ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ। ମୁଖ୍ୟତଃ ବସ୍ତି ଅଞ୍ଚଳର ମହିଳାମାନେ ସ୍ବୟଂ ସହାୟିକା ଗୋଷ୍ଠୀ କରିଥିବାରୁ ସେମାନେ କାମ କଲେ କିମ୍ବା ତାଙ୍କ ପରିବାର ଲୋକ କାମ କଲେ ଟଙ୍କା ତାଙ୍କ ଆକାଉଣ୍ଟକୁ ଯିବ। ବିଏମ୍ସି ଯେଉଁ କାମ କରେ ସେଥିରେ ଠିକା ସଂସ୍ଥାକୁ ଶ୍ରମିକଙ୍କ ପାଇଁ ୩୦୦ଟଙ୍କା ଲେଖାଏ ଦେଇଥାଏ। ଏହା ବିଏମ୍ସିର ଧାର୍ଯ୍ୟ ମଜୁରି। ତେଣୁ ଆମେ ଏତିକି ଟଙ୍କା ଦେଇପାରିବୁ। ଏବେ ବର୍ଷା ଦିନ ପାଇଁ ଡ୍ରେନ୍ କାମ ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ଏଥିରେ ନିୟୋଜିତ କରିବାକୁ ଯୋଜନା କରୁଛୁ। ଏହାପରେ ବିଏମ୍ସିର ବିଭିନ୍ନ କାମରେ ସେମାନଙ୍କୁ ନିୟୋଜିତ କରାଯିବ। ଏଥିପାଇଁ ଜେଇ ମାନଙ୍କ ନାମରେ କାମ ଦିଆଯିବ। ସେମାନେ ପ୍ରତିଦିନ ରିପୋର୍ଟ କରି ତାଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କାରେ ମଜୁରି ଦେବେ।
ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ରାଜଧାନୀର ଶ୍ରମିକମାନେ ୩୦୦ଟଙ୍କାରେ କାମ କରିବାକୁ ରାଜି ହେଉନାହାନ୍ତି। ହେଲେ ଆମ ନିୟମ ନାହିଁ ଅଧିକ ଟଙ୍କା ଦେବାକୁ। ତେଣୁ ଆମେ ଏହାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗର ପରାମର୍ଶ ଲୋଡ଼ିଛୁ। ରାଜ୍ୟର ଅନ୍ୟ ପୌରସଂସ୍ଥା ଅଧୀନରେ ଲୋକମାନେ କମ୍ ମଜୁରିରେ କାମ କରୁଛନ୍ତି। କିନ୍ତୁ ଭୁବନେଶ୍ବରରେ ଅଧିକ ମଜୁରି ଚାଲୁଥିବାରୁ ଏଠାରେ ଶ୍ରମିକମାନେ ରାଜି ହେଉନାହାନ୍ତି।
ଅପରପକ୍ଷେ ସାଲିଆ ସାହିର ଧନେଶ୍ବର କାଣ୍ଡି କହିଛନ୍ତି ଯେ, ଆମେ ଯେଉଁଠିକୁ କାମ କରିବାକୁ ଗଲେ ୪୫୦ଟଙ୍କା ମଜୁରି ପାଉଛୁ। ଏବେ ବିଏମ୍ସି ଯଦି ୩୦୦ଟଙ୍କା ଦେବ ସେଥିରେ କେମିତି କାମ କରିବୁ। ୧୫୦ଟଙ୍କା କମ୍ରେ କ’ଣ କାମ କରିବା ସମ୍ଭବ। ବିଏମ୍ସି କର୍ତ୍ତୃପକ୍ଷ ଆମକୁ ବଜାର ଦରରେ ମଜୁରି ଦେଲେ କାମ କରିବାରେ କିଛି ଅସୁବିଧା ନାହିଁ।
ଏକ ଠିକା ସଂସ୍ଥାର ସତ୍ତ୍ବାଧିକାରୀ କହିଛନ୍ତି ଯେ, ଡ୍ରେନ୍ ସଫା ପାଇଁ ଆମେ ଲୋକଙ୍କୁ ୫୦୦ଟଙ୍କା ମଜୁରି ଦେଉ। ଯଦି ଅଧିକ ଅପରିଷ୍କାର ହୋଇଥିବ ବା ମଇଳା ଟାଙ୍କି ଥିବ ତେବେ ସେଠାରେ ହଜାରେ ଟଙ୍କା ଦେଉ। ତେଣୁ ଏବେ ବିଏମ୍ସି ଯଦି କମ୍ ଟଙ୍କାରେ ଲୋକଙ୍କୁ କାମ କରାଇପାରିବ ତେବେ ଭଲ।