ଏମିତି ଚାଲିଛି କରୋନା ମୁକାବିଲା : ସୀମା ଟପିଲା ବିଏମ୍‌ସି ଅବହେଳା

ବସ୍ତିରେ ରହିଲେ ପଶ୍ଚିମବଙ୍ଗ ଫେରନ୍ତା
୧୦୦, ୧୦୪ କେହି ବି ଠିକ୍‌ ପରାମର୍ଶ ଦେଇପାରିଲେନି

ଭୁବନେଶ୍ବର : ପଶ୍ଚିମବଙ୍ଗରୁ ଭୁବନେଶ୍ବର ଫେରିଥିବା ଏକ ପରିବାର ସଙ୍ଗରୋଧରେ ରହିବାକୁ ଚାହିଁଥିଲେ ହେଁ ସରକାରୀ ଅଧିକାରୀଙ୍କ ଅବହେଳାରୁ ଏବେ ସେ ବସ୍ତିରେ ନିଜ ଘରେ ରହୁଛନ୍ତି। ସେ କି ତାଙ୍କ ପରିବାର କରୋନା ସଂକ୍ରମିତ କି ନୁହେଁ ତାହା କେହି ଜାଣିନାହାନ୍ତି। ଯଦି ସଂକ୍ରମିତ ହୋଇଥାନ୍ତି ତେବେ ସେ ଯେ ସୁପରସ୍ପ୍ରେଡର ନସାଜିବେ ତାହା ଅସମ୍ଭବ ନୁହେଁ।

ରାଜଧାନୀର ଏକ ସୋ’ ରୁମ୍‌ରେ କାମ କରୁଥିବା ସାଲିଆସାହିର ଜଣେ ବ୍ୟକ୍ତି କୋଲକାତା ଯାଇଥିବାବେଳେ ଲକ୍‌ଡାଉନ୍‌ ଯୋଗୁଁ ଫସି ଯାଇଥିଲେ। ଏହାପରେ କରୋନା ବଢ଼ି ବଢ଼ି ଯିବାରୁ ସେ ଫେରିପାରିନଥିଲେ। ଏପରିକି ସେ ଫେରିବା ପାଇଁ ବହୁ ଥର ଉଦ୍ୟମ କରି ବିଫଳ ହେବା ପରେ ୧୨ତାରିଖରେ ଭୁବନେଶ୍ବର ଫେରିଥିଲେ।

NDTV.com

ଉକ୍ତ ବ୍ୟକ୍ତି ଜଣକ ସ୍ତ୍ରୀ ଓ ପୁଅ ସହ ଫେରୁଥିବାରୁ ଆଗୁଆ ବିଏମ୍‌ସି ସହ ଯୋଗାଯୋଗ କରିଥିଲେ। ବିଏମ୍‌ସି ଉତ୍ତର ଜୋନ୍‌ ଜୋନାଲ ଡେପୁଟି କମିସନରଙ୍କ ସହ ‌ଫୋନ୍‌ରେ କଥା ହେବା ପରେ ସେ କହିଥିଲେ ଯେ, ବିଏମ୍‌ସି ମୁଖ୍ୟାଳୟ ଯାଇ ଆଲୋଚନା କରିବା ପରେ ତୁମେ କିପରି ସଙ୍ଗରୋଧ ରହିବ ସେନେଇ କହିବି। ହେଲେ ଏହାପରେ ଜେଡ୍‌ଡିସିଙ୍କ ନମ୍ବର ଲାଗିନଥିଲା। ଶୁକ୍ରବାର ସକାଳେ ସେ ପରିବାର ସହ କୋଲକାତାରୁ ଆସି ବସ୍‌ରେ ଭୁବନେଶ୍ବର ପହଞ୍ଚିଥିଲେ। ଜୟଦେବବିହାର ଛକରେ ଓହ୍ଲାଇବା ପରେ ଉକ୍ତ ଯୁବକଙ୍କ ଜଣେ ସମ୍ପର୍କୀୟ ୧୦୦କୁ ଫୋନ୍‌ କରି କିପରି ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରହିହେବ ତାହା ପଚାରିଥିଲେ। କିନ୍ତୁ ସେଠାରୁ ଉତ୍ତର ମିଳିଥିଲା ଘରେ ସଙ୍ଗରୋଧ ରୁହନ୍ତୁ। ଘରେ ରହିହେବନି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଚାହୁଁଥିବା କହିବା ପରେ ୧୦୦ରେ ଫୋନ୍‌ ଉଠାଇଥିବା କର୍ମଚାରୀ ଜଣଙ୍କ ୧୦୪କୁ ଫୋନ୍‌ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସମ୍ପର୍କୀୟ ଜଣକ ୧୦୪କୁ ଫୋନ୍‌ କରିଥିଲେ। ପଶ୍ଚିମବଙ୍ଗରୁ ତିନି ଜଣ ଆସିଛନ୍ତି ଏବେ ଜୟଦେବବିହାର ଛକରେ ଅଛନ୍ତି। କିପରି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ପଚାରିବାରୁ ଉତ୍ତର ମିଳିଲା ଆପଣ ଆପଣଙ୍କ ସରପଞ୍ଚଙ୍କୁ ଯୋଗାଯୋଗ କରନ୍ତୁ। ଏହାପରେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ‌ଯେ, ଜୟଦେବବିହାର ଛକରେ ଅଛୁ। ସାଲିଆ‌ସାହିରେ ରହୁଛୁ। ଏଠି କେଉଁ ସରପଞ୍ଚଙ୍କୁ ଦେଖା କରିବୁ। ଏହା ଶୁଣି ୧୦୪ରେ ଫୋନ୍‌ ଉଠାଇଥିବା କର୍ମଚାରୀ ଜଣକ ଆଉ ଜଣେ କର୍ମଚାରୀଙ୍କୁ ଫୋନ୍‌ ଦେଇଥିଲେ। ସେ କହିଥିଲେ ଯେ, ଆପଣଙ୍କ ଅଞ୍ଚଳର ନୋଡାଲ ଅଫିସରଙ୍କୁ ପଚାରନ୍ତୁ। ନମ୍ବର ବି ଦେଲେ। କିନ୍ତୁ ନମ୍ବର ଲାଗିଲାନି। ନୋଡାଲ ଅଫିସରଙ୍କ ନମ୍ବର ନଲାଗିବାରୁ ସେ ପୁଣି ୧୦୪କୁ ଫୋନ୍‌ କରିଥିଲେ। ଏହାପରେ ‌ବିଏମ୍‌ସିର ଉତ୍ତର ଜୋନ୍‌ ଜେଡ୍‌ଡିସିଙ୍କ ନମ୍ବର ଦେଇଥିଲେ। ଜେଡ୍‌ଡିସିଙ୍କ ନମ୍ବର ବି ଲାଗିଲାନି। କାହା ନମ୍ବର ନଲାଗିବାରୁ ସେ ନୂଆପଲ୍ଲୀ ଥାନାକୁ ପଚାରିଥିଲେ। ଥାନା କର୍ତ୍ତୃପକ୍ଷ କହିଥିଲେ ଯେ, କିଏ କେଉଁଠି ସଙ୍ଗରୋଧ ରହିବେ ତାହା ବିଏମ୍‌ସି କର୍ତ୍ତୃପକ୍ଷ କହିବେ।

Telegraph India

ଏହାପରେ ସମ୍ପର୍କୀୟ ଜଣକ ବିଏମ୍‌ସିର ଆଉ ଜଣେ ଅଧିକାରୀଙ୍କୁ କ’ଣ କରିବେ ବୋଲି ପଚାରିଥି‌େଲ। ସେ ପରାମର୍ଶ ଦେଇଥିଲେ ଯେ, ବିଏମ୍‌ସି ସଙ୍ଗରୋଧ କେନ୍ଦ୍ରରେ କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଖାଯିବ। ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନେ ଘରେ ସଙ୍ଗରୋଧ ରହିବେ। ଘରେ ବ୍ୟବସ୍ଥା ନଥିଲେ ହୋଟେଲରେ ଟଙ୍କା ଦେଇ ରହିବେ। ଆଉ କିଛି କରିହେବନି।

ସବୁଠୁ ନିରାଶ ହେବା ପରେ ଉକ୍ତ ବ୍ୟକ୍ତି ଜଣକ ସାଲିଆସାହିସ୍ଥିତ ନିଜ ଘରକୁ ଯାଇ ରହିଛନ୍ତି। ସ୍ଥାନୀୟ ଲୋକ ଏହା ଜାଣିବା ପରେ ହୋହଲ୍ଲା କରିବା ସହ ନୂଆପଲ୍ଲୀ ଥାନାକୁ ବି ଜଣାଇଲେ। କିନ୍ତୁ କିଛି ଲାଭ ହେଲାନି। ଏଠାରେ ପ୍ରଶ୍ନ ଉଠୁଛି ଯଦି ଉକ୍ତ ବ୍ୟକ୍ତି ଜଣକ କିଛି ଜିନିଷ ପାଇଁ ବାହାରକୁ ଆସିବେ ଏବଂ ଲୋକଙ୍କ ସଂସ୍ପର୍ଶରେ ଆସିବେ ତେବେ କିଛି ଅସୁବିଧା ହେବନି?

ସମ୍ବନ୍ଧିତ ଖବର