ପ୍ରଶାସନିକ ବିଶୃଙ୍ଖଳା ଚରମ ସୀମାରେ
ଶାସକ ଦଳ ପାଇଁ କାଳ ହୋଇପାରେ ଜନ ଅସନ୍ତୋଷ
ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମରେ ଏବେ ବିଚିତ୍ର ସ୍ଥିତି। କମିସନର ଆଦୌ ଅଫିସ୍ ଆସୁ ନାହାନ୍ତି। ପ୍ରଶାସକଙ୍କ ରୁମ୍ରେ ବି ସବୁବେଳେ ତାଲା। ଏହି ଦୁଇ ଅଧିକାରୀ ଏବେ ସାଧାରଣ ଜନତାଙ୍କ ପାଇଁ ଅପହଞ୍ଚ ହୋଇଯାଇଛନ୍ତି। ଏପରିକି ପୂର୍ବତନ କର୍ପୋରେଟର୍ ଓ ଜନପ୍ରତିନିଧିମାନେ ସେମାନଙ୍କୁ ପାଉ ନାହାନ୍ତି। ତଳିଆ ଅଧିକାରୀଙ୍କ ଉପରେ ସବୁ ଦାୟିତ୍ବ ଦେଇ ଏହି ଦୁଇ ଅଧିକାରୀ ନିଜକୁ ସମସ୍ତଙ୍କ ଠାରୁ ଦୂରେଇ ରଖିଛନ୍ତି। ବିଏମ୍ସି ଏକ ପ୍ରକାର ମୁରବିଶୂନ୍ୟ ହୋଇଯାଇଛି। ପ୍ରଶାସନିକ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି। ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ଏପରି ବେପରୁଆ କାରବାର ଏବେ ସହରରେ ତୀବ୍ର ଅସନ୍ତୋଷ ସୃଷ୍ଟି କଲାଣି।
୨୦୧୯ ଜାନୁଆରିରେ ନିର୍ବାଚିତ କର୍ପୋରେଟର୍ଙ୍କ କାର୍ଯ୍ୟକାଳ ସରିବା ପରେ ବିଏମ୍ସିର ଶାସନ ଡୋର ପ୍ରଶାସକଙ୍କ ହାତକୁ ଚାଲିଯାଇଥିଲା। ସରକାରଙ୍କ ଦ୍ବାରା ନିଯୁକ୍ତ ପ୍ରଶାସକ ଓ କମିସନର୍ ହିଁ ସର୍ବେସର୍ବା ପାଲଟିଲେ। ସାଧାରଣତଃ କମିସନର୍ ସିଧାସଳଖ ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନର ବାଟ ବାହାର କରନ୍ତି। ଗତ ମେ’ ମାସରେ ବିଏମ୍ସି କମିସନର୍ ଭାବେ ସଞ୍ଜୟ ସିଂହ ଯୋଗ ଦେବା ପରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛି। ଶ୍ରୀ ସିଂହଙ୍କୁ ସାଧାରଣ ଲୋକ ଭେଟି ପାରୁ ନାହାନ୍ତି। ଅନେକ ପୂର୍ବତନ କର୍ପୋରେଟରଙ୍କୁ ମଧ୍ୟ ସେ ପାଖରେ ପୂରାଉ ନାହାନ୍ତି। ସବୁଠାରୁ ସାଂଘାତିକ କଥା ହେଲା ଯେ ଶ୍ରୀ ସିଂହ ବିଏମ୍ସି ଅଫିସ ଆଦୌ ଆସୁ ନାହାନ୍ତି। ତାଙ୍କ ମୂଳ ନିଯୁକ୍ତି ବିଏମ୍ସିରେ ହୋଇଥିଲା ବେଳେ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ ସେ ବିଏମ୍ସି ଅଫିସ୍ ନ ଆସି ବିଡିଏ ଅଫିସର୍ରେ ବସୁଛନ୍ତି। ସେଠାକୁ କେହି ଭେଟିବାକୁ ଗଲେ ତାଙ୍କ କର୍ମଚାରୀମାନେ ଅତ୍ୟନ୍ତ ଖରାପ ବ୍ୟବହାର କରି ଦୂର ଦୂର କରୁଛନ୍ତି। କମିସନର୍ଙ୍କ ପାଖରେ ସମୟ ନାହିଁ କହି ଫେରାଇ ଦେଉଛନ୍ତି। ଲୋକଙ୍କ ସମସ୍ୟା ନେଇ ପୂର୍ବତନ କର୍ପୋରଟର୍ମାନେ ବି ଗଲେ, ସେମାନଙ୍କୁ ବି ଫେରାଇ ଦିଆଯାଉଛି। ବିଏମ୍ସି ଅଫିସ୍ ମାଟି ମାଡ଼ିବାକୁ ଶ୍ରୀ ସିଂହ କାହିଁକି ମନ ବଳାଉ ନାହାନ୍ତି, ତାହା କେହି ବୁଝିପାରୁ ନାହାନ୍ତି।
/sambad/media/post_attachments/wp-content/uploads/2021/10/BMC.jpg)
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କରୋନା ଆଳରେ ଶ୍ରୀ ସିଂହ ଅଭିଯୋଗ ଶୁଣାଣି କରୁ ନାହାନ୍ତି। ସେ କାର୍ଯ୍ୟରେ ଯୋଗ ଦେବା ସମୟରେ କରୋନା ପାଇଁ ସୋମବାରର ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। କରୋନା କଟକଣା କୋହଳ ହେଲା ପରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି ଆରମ୍ଭ କଲେଣି। କିନ୍ତୁ ବିଏମ୍ସିରେ ଏହି ପ୍ରକୋଷ୍ଠ ଖୋଲୁ ନାହିଁ। ସାଧାରଣତଃ ତଳିଆ ଅଧିକାରୀଙ୍କ ଠାରୁ ନ୍ୟାୟ ନ ପାଇଲେ ଲୋକ କମିସନର୍ଙ୍କ ପାଖରେ ଫେରାଦ ହୁଅନ୍ତି। କିନ୍ତୁ ଏଠାରେ ଯେମିତି ସାଧାରଣ ଲୋକମାନେ କମିସନର୍ଙ୍କ ପାଇଁ ଅଛୁଆଁ ପାଲଟିଯାଇଛନ୍ତି। ଫଳରେ ସାଧାରଣ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ସହରବାସୀଙ୍କ ମୌଳିକ ସମସ୍ୟା କଥା ବୁଝିବା ଯେ କମିସନର୍ଙ୍କ ମୁଖ୍ୟ ଦାୟିତ୍ବ, ତାହା ସମ୍ଭବତଃ ଶ୍ରୀ ସିଂହ ଭୁଲିଯାଇଛନ୍ତି। ସେ ବିଏମ୍ସି, ବିଡିଏ ଓ ବିଏସ୍ସିଏଲ୍ ଦାୟିତ୍ବରେ ଅଛନ୍ତି। ବିଏମ୍ସିରେ ତ’ କୌଣସି କାମ ବ୍ୟବସ୍ଥିତ ଢଙ୍ଗରେ ହେଉ ନାହିଁ। ତାହା ସହ ବିଡିଏ ଓ ବିଏସ୍ସିଏଲ୍ ବି ସେପରି କିଛି ଆଖିଦୃଶିଆ କାମ କରୁଥିବାର ନଜରକୁ ଆସୁ ନାହିଁ।
କେବଳ କମିସନର୍ ନୁହନ୍ତି, ପ୍ରଶାସକଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନାନ୍ ଏବେ ବିଏମ୍ସିର ପ୍ରଶାସକ ରହିଛନ୍ତି। ଶ୍ରୀ ସିଂହ ଯେବେ କମିସନର୍ ଭାବେ ନିଯୁକ୍ତି ପାଇଲେ, ସେହି ସମୟରେ ଶ୍ରୀ ମାଥିଭାଥନନ୍ ପ୍ରଶାସକ ଦାୟିତ୍ବ ନେଲେ। ସାଧାରଣତଃ ବିଭାଗର ସଚିବ ବିଏମ୍ସି ଦାୟିତ୍ବରେ ରହିଲେ, ଏଠାରେ କାମଗୁଡ଼ିକ ରକେଟ୍ ବେଗରେ ହେବ ବୋଲି ଧାରଣା ରହିଛି। କିନ୍ତୁ ଏବେ ଓଲଟା ସ୍ଥିତି ଦେଖିବାକୁ ମିଳୁଛି। ବିଏମ୍ସି କଥା ଚିନ୍ତା କରିବାକୁ ପ୍ରଶାସକଙ୍କ ପାଖରେ ସମୟ ନାହିଁ। ବିଏମ୍ସି ଅଫିସ୍ରେ ତାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ସବୁବେଳେ ତାଲା ଝୁଲୁଛି। ଖାରବେଳ ଭବନସ୍ଥିତ ତାଙ୍କ ଅଫିସ୍କୁ ସେ ଫାଇଲ୍ ମଗାଉଛନ୍ତି। କିନ୍ତୁ ଫାଇଲ୍ଗୁଡ଼ିକ ତାଙ୍କ ପାଖରେ ବହୁ ଦିନ ପଡ଼ିରହିଥିବାରୁ ନିୟମିତ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଶ୍ରୀ ମାଥିଭାଥନାନ୍ ନଗର ଉନ୍ନୟନ ବିଭାଗରେ ୬ ବର୍ଷରୁ ଅଧିକ ସମୟ ରହିଲେଣି। ଜନହିତ ଦୃଷ୍ଟିରୁ ସେ ଏହି ବିଭାଗରେ ଦୀର୍ଘ ବର୍ଷ ଧରି ରହିଛନ୍ତି ବୋଲି ସରକାର ବିଧାନସଭାରେ ଉତ୍ତର ରଖିଥିଲେ। କିନ୍ତୁ ସେ କି ପ୍ରକାର ଜନହିତ କରୁଛନ୍ତି, ତାହା ରାଜଧାନୀର ଲୋକମାନେ ବୁଝି ପାରୁ ନାହାନ୍ତି।
ବିଏମ୍ସିର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ଏପରି ବେପରୁଆ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଉଭୟ ଅଧିକାରୀ ସବୁ କ୍ଷମତା ଉପଭୋଗ କରୁଥିଲେ ବି ଅସୁବିଧା ସମୟରେ ଲୋକଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଗତ ସେପ୍ଟେମ୍ବର ମାସରେ ଡ୍ରେନ୍ରେ ଏକ ପିଲା ଭାସିଗଲା ବେଳେ ସହରରେ ଅସନ୍ତୋଷ ସୃଷ୍ଟି ହେବା ସହ ତାହା ଆନ୍ଦୋଳନର ରୂପ ଧରିଥିଲା। କିନ୍ତୁ ଲୋକଙ୍କ ନିକଟକୁ ଏହି ଦୁଇ ଅଧିକାରୀ ଗଲେ ନାହିଁ କି ଆଶ୍ବାସନା ଦେଲା ପରି ପଦେ କହିଲେ ନାହିଁ। ସେମାନଙ୍କର ଏପରି ସମ୍ବେଦନହୀନ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଏହି ଦୁଇ ଅଧିକାରୀ ଶାସକ ଦଳର ଚିନ୍ତା ବଢ଼ାଇ ଦେଲେଣି। ଲୋକଙ୍କୁ ଏମାନେ ଦୂର ଦୂର କରୁଥିବାରୁ ଆଗାମୀ ନିର୍ବାଚନରେ ଏହା ଶାସକ ଦଳ ପାଇଁ କାଳ ହୋଇପାରେ ବୋଲି ସ୍ଥାନୀୟ ନେତାଙ୍କ ମହଲରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/bmc-f.jpg)