କରୋନା ମୁକାବିଲାରେ ବିଏମ୍‌ସି: କାର୍ଯ୍ୟକ୍ଷମ ହୋଇପାରୁନି ୯ ଏମ୍‌ସିସି

ଭୁଆସୁଣି ଚିନ୍ତା ଘନଉଛି, ଇଡ୍‌କୋ ଜମି ଦେଲେ କମ୍ପୋଷ୍ଟ ପ୍ଲାଣ୍ଟ ହେବ

ଭୁବନେଶ୍ବର: ୨୦୨୦ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭୁଆସୁଣିରେ ଆବର୍ଜନା ପକାଇବାକୁ ବିଏମ୍‌ସି ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ମାର୍ଚ୍ଚ ସୁଦ୍ଧା ୨୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) ବା କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରି କାର୍ଯ୍ୟକ୍ଷମ କରିବାକୁ ଟାର୍ଗେଟ୍ ରଖାଯାଇଥିଲା। କିନ୍ତୁ ଚଳିତ ଅଗଷ୍ଟ ସୁଦ୍ଧା ମାତ୍ର ଗୋଟିଏ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବାକି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ନହୋଇପାରିବା ନେଇ ବିଏମ୍‌ସି କରୋନାକୁ ଦାୟୀ କରିଛି। କରୋନା ସବୁ କାମକୁ ବିଳମ୍ବ କରିଦେଲା ବୋଲି କୁହାଯାଇଛି। ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ ଗତ ବାହୁଡ଼ାରେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ଥିବା କମ୍ପୋଷ୍ଟ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିଥିଲେ ହେଁ ଏପର୍ଯ୍ୟନ୍ତ ଆଉ କୌଣସି ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିପାରିନାହାନ୍ତି। ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଭୁଆସୁଣିରେ ଅଳିଆ ନପକାଇବା ନେଇ ଯେଉଁ ପ୍ରତିଶ୍ରୁତି ବିଏମ୍‌ସି ଦେଇଥିଲା ତାହାକୁ ପୂରଣ କରିନଥିବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ଅଛନ୍ତି। କରୋନା ପ୍ରଭାବରେ ସମସ୍ତେ ଶାନ୍ତ ହୋଇ ଥିବାବେଳେ କେତେବେଳେ ଯଦି ହଠାତ୍‌ ବିରୋଧ ଆରମ୍ଭ କରିଦେବେ ତେବେ ବିଏମ୍‌ସି ଅକଳରେ ପଡ଼ିଯିବ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୧୦ଟି କମ୍ପୋଷ୍ଟ ପ୍ଲାଣ୍ଟର ନିର୍ମାଣ ସରିଲାଣି। ଇଞ୍ଜିନିୟରିଂ ବିଭାଗ ତା’ କାମ ଶେଷ କରିସାରିଲାଣି। କେବଳ ବିଦ୍ୟୁତ ସଂଯୋଗ ଦିଆଗଲେ କାମ ହେବ। କିନ୍ତୁ ବିଏମ୍‌ସିର ପରିମଳ ବିଭାଗ ଏଥିରେ ମୁଣ୍ଡ ଖେଳାଉ ନଥିବାରୁ କାମ ଆଗେଇପାରୁନି। ଟିଟିଏସରେ ହୋଇଥିବା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଏଠାରେ ଦିନକୁ ୫ଟନ୍ ଆବର୍ଜନାକୁ ଖତରେ ପରିଣତ କରାଯାଉଛି। ସେହିପରି ଏବେ ପ୍ରଶାନ୍ତି ବିହାରରେ ଗୋଟିଏ, ନିକୋ ପାର୍କରେ ତିନିଟି, ୟୁନିଟ-୮ରେ ଦୁଇଟି, ଲକ୍ଷ୍ମୀସାଗରରେ ଦୁଇଟି, ବଡ଼ଗଡ଼ରେ ଗୋଟିଏ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏହାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଯୋଜନା ଅଛି। ଏହାପରେ ୧୦ଟି କମ୍ପୋଷ୍ଟ ପ୍ଲାଣ୍ଟ ଏକସଙ୍ଗେ କାର୍ଯ୍ୟକ୍ଷମ କରିବ। ଏହି ୧୦ଟି କମ୍ପୋଷ୍ଟ ପ୍ଲାଣ୍ଟରୁ ୯ଟି ୫ଟିପିଡିର ହୋଇଥିବାବେଳେ ଗୋଟିଏ ୩ଟିପିଡିର। କେଉଁ ୱାର୍ଡରେ କେତେ ଆବର୍ଜନା ବାହାରୁଛି ତାହାକୁ ନଜରରେ ରଖି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହି ୧୦ଟି ପ୍ଲାଣ୍ଟ ପରେ ସେପ୍ଟେମ୍ବର ସୁଦ୍ଧା ଆଉ ୫ଟି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ରାଜଧାନୀରେ ମୋଟ୍‌ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବାବେଳେ ୨୬ଟିର କାମ ଆରମ୍ଭ ହୋଇଥିଲା। ଏଥିରୁ ୧୦ଟିର କାମ ଶେଷ ହୋଇଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, କରୋନା ଯୋଗୁଁ ଦୁଇମାସ କାଳ କୌଣସି କମ୍ପୋଷ୍ଟ ପ୍ଲାଣ୍ଟର ନିର୍ମାଣ କାମ ହୋଇପାରିଲାନି। ତେଣୁ ଆମ ଟାର୍ଗେଟ୍‌ ଦୁଇ ମାସ ଘୁଞ୍ଚାଯାଇଥିଲା। ରାଜଧାନୀରେ କରୋନା ଯୋଗୁଁ ମାସାଧିକ କାଳ କାମ ବନ୍ଦ ହେଲା। ବିଏମ୍‌ସିର ଇଞ୍ଜିନିୟର କରୋନା ଆକ୍ରାନ୍ତ ହେଲେ। ଏହାପରେ ଇଞ୍ଜିନିୟରିଂ ବିଭାଗର ସମସ୍ତେ ୧୫ଦିନିଆ ସଙ୍ଗରୋଧରେ ରହିଲେ। କାମ ତଦାରଖ କରିବାକୁ କେହି ରହିଲେନି। ତେଣୁ କାମ ବିଳମ୍ବ ହେଲା। ଏହାବାଦ୍ କିଛି ଅଞ୍ଚଳରେ ଲୋକ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରୁଥିଲେ ହେଁ ଚାରିଟି ସ୍ଥାନରେ ଲୋକଙ୍କୁ ବୁଝାଇ କାମ ଆରମ୍ଭ ହୋଇଛି। ବାକି ସ୍ଥାନରେ ଲୋକ ବିରୋଧ କରୁଥିଲେ ହେଁ ଆମେ ବୁଝାଉଛୁ। ଆମକୁ ଲୋକଙ୍କ ସହମତି ନେଇ କାମ କରିବାର ଥିବାରୁ ପ୍ରକଳ୍ପ ବିଳମ୍ବ ହେଉଛି। ଚଳିତବର୍ଷ ଶେଷ ସୁଦ୍ଧା ଆମେ ସମସ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବୁ। ‌ବିଭିନ୍ନ ସ୍ଥାନରେ ବିରୋଧ ହେଉଥିବାରୁ ଇଡ୍‌କୋରୁ ଜମି ଆଣି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା ଅଛି। ଇଡ୍‌କୋ କର୍ତ୍ତୃପକ୍ଷ ଜମି ଦେଲେ କାମ ଆରମ୍ଭ ହେବ। ଯେଉଁଠି ଇଡକୋ ଜମି ନାହିଁ ସେଠାରେ ଲୋକଙ୍କୁ ବୁଝାଇବାକୁ ପଡ଼ିବ। ସେଥିପାଇଁ ଯେଉଁ ଅଞ୍ଚଳରେ ଲୋକ ବିରୋଧ କରୁଛନ୍ତି ଅଥଚ ଆମକୁ ପ୍ଲାଣ୍ଟ ନିର୍ମାଣ କରିବାର ଅଛି ଆମେ ସେସବୁ ସ୍ଥାନରୁ ଲୋକଙ୍କୁ ଆଣି କମ୍ପୋଷ୍ଟ ପ୍ଲାଣ୍ଟ ବୁଲାଇବୁ। ‌ସେମାନଙ୍କୁ ବୁଝାଇ କାମ ଆରମ୍ଭ କରିବୁ।

ସମ୍ବନ୍ଧିତ ଖବର