୮୦ ଦେଶାନ୍ତର ଶ୍ରମିକଙ୍କୁ ସହାୟତା, ବିଏମ୍‌ସି ଓ ଫିକି ଦେଲେ ଖାଦ୍ୟ ପୁଡ଼ିଆ

ଭୁବନେଶ୍ବର: ଲକ୍‌ଡାଉନ୍‌ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ଯାଉଥିବାରୁ କରୋନା ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶ୍ରମିକମାନେ ଯେପରି ରାଜ୍ୟ ବାହାରକୁ ନଯିବେ, ସେ ବ୍ୟବସ୍ଥା କରିବେ। ଏହାସହ ସେମାନଙ୍କ ରହିବାର ଓ ଖାଦ୍ୟପେୟର ବ୍ୟବସ୍ଥା କରିବେ। ଏହାପରେ ଆଜି ବିଏମ୍‌ସି ପକ୍ଷରୁ ରାଜଧାନୀରେ ଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଇଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ବିଏମ୍‌ସି ସହାୟତାରେ ଏବଂ ହମାରା ବଚପନ୍ ସଂଯୋଜନାରେ ଆଜି ୮୦ଜଣ ବାହାର ରାଜ୍ୟର ଶ୍ରମିକଙ୍କୁ ଚାଉଳ, ଡାଲି, ତେଲ,ଲୁଣ, ଚିନି, ବିସ୍କୁଟ, ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦେଇଥିଲେ। ରାଜଧାନୀର ଲକ୍ଷ୍ମୀସାଗର, ଟଙ୍କପାଣି ରୋଡ୍‌, ବାଲିଅନ୍ତା ଅଞ୍ଚଳରେ ଥିବା ବିହାରର ଲାଖିସରାଇ ଜିଲ୍ଲା ଏବଂ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଶ୍ରମିକମାନଙ୍କୁ ଏହି ଖାଦ୍ୟ ପୁଡ଼ିଆ ବଣ୍ଟା ହୋଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଯେ ସେମାନେ ଭୁବନେଶ୍ବର ଛାଡ଼ି ବାହାରକୁ ନଯାଆନ୍ତୁ। ସେମାନଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ନିୟମିତ ବ୍ୟବଧାନରେ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର