ଜେଇଇ ମେନ୍‌ ପରୀକ୍ଷାର୍ଥୀଙ୍କ ପାଇଁ ବିଏମସି ଓ ଖୋର୍ଦ୍ଧା ପ୍ରଶାସନର ବ୍ୟାପକ ବ୍ୟବସ୍ଥା, ୬ଟି ସ୍ଥାନରେ ରହିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ୧୬ ହଜାର ପିଲାଙ୍କ ପାଇଁ କିଭଳି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରିବ ସେନେଇ ଆଜି ବିଏମସି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଟିମ୍‌, ପୋଲିସ୍ ଟିମ୍‌, ସାନିଟାଇଜିଂ ବ୍ୟବସ୍ଥା ରହିବ। ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା ହୋଇଛି। ପିଲାଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ପର୍କିତ ସମସ୍ୟା ସମାଧାନ କରାଯିବ। କେନ୍ଦ୍ର ବାହାରେ ଭିଡ଼ ଏଡାଇବା ପାଇଁ ମାଇକ୍ ଯୋଗେ ସଚେତନ କରାଯିବ। ରହଣି କେନ୍ଦ୍ରରେ ବିଏମସି ସଫେଇ କରିବ ବୋଲି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

ନିଷ୍ପତ୍ତି ଅନୁଯାୟୀ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେନ୍ଦ୍ର ଭିତରେ ଓ ବାହାରେ ଏବଂ ଟ୍ରାଫିକ୍ ପାଇଁ ସ୍ୱତନ୍ତ୍ର ପୋଲିସ ମୁତୟନ କରାଯିବ। ଏଥିସହ ବିଭିନ୍ନ ଜିଲ୍ଲାରୁ ବସ୍ ଯାତାୟତରେ ଯେପରି କୌଣସି ବାଧକ ରହିବ ନାହିଁ ସେନେଇ ବ୍ୟବସ୍ଥା ହେବ। ରାଜଧାନୀରେ ମୋଟ ୬ଟି ପରୀକ୍ଷା କେନ୍ଦ୍ର ଓ ରହଣୀ ପାଇଁ ୬ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ସମସ୍ତ ରହଣୀ କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍‌ ନିରୀକ୍ଷକ ରହିବେ ଏବଂ ସୁପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଏହାବ୍ୟତୀତ ହୋଟେଲ୍‌ରେ ଦେୟଯୁକ୍ତ ରହଣୀର ବ୍ୟବସ୍ଥା କରାଯାଉଛି, ଯାହାର ସୂଚନା ଯଥାଶୀଘ୍ର ଦିଆଯିବ। ବିଏମସିରେ ମିଳିତ ସମନ୍ୱୟ ବୈଠକରେ ବିଏମସି କମିସନରଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଏସପି, ଭୁବନେଶ୍ୱର ସରକାରୀ ଆଇଟିଆଇ ଅଧ୍ୟକ୍ଷା, ପରିବହନ ଅଧିକାରୀ, ବିଏମସିର ଅତିରିକ୍ତ କମିଶନର-୧ ଓ ବରିଷ୍ଠ ସରକାରୀ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଡ୍‌ଭାନସ୍‌ମେଣ୍ଟ(ଗୀତା), ପଟିଆସ୍ଥିତ ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମଞ୍ଚେଶ୍ୱରସ୍ଥିତ ରାଜଧାନୀ ଇଂଜିନିୟରିଂ କଲେଜ, ଗଙ୍ଗାପଡାସ୍ଥିତ ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଫର୍‌ ଟେକ୍ନୋଲୋଜି, ଯାଆଁଳାସ୍ଥିତ ସିଭି ରମଣ ଗ୍ଲୋବାଲ୍ ୟୁନିଭରସିଟି, ବଣିଆଟାଙ୍କିସ୍ଥିତ ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜିରେ ମାଗଣାରେ ସରକରୀ ରହଣୀ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର