ବିଏସ୍‌ସିଏଲ୍‌ର ସାଇକେଲ ଚାଳନା ପ୍ରୋତ୍ସାହନକୁ ଫୁ’: ସାଇକେଲ୍‌ ଟ୍ରାକ୍‌କୁ ନିଲାମ କରିଛି ବିଏମ୍‌ସି

ଭୁବନେଶ୍ବର: ସାଇକେଲ୍‌ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ‘ମୋ ସାଇକେଲ୍‌’ ବ୍ୟବସ୍ଥା ଜରିଆରେ ବିଏସ୍‌ସିଏଲ୍‌ ଉଦ୍ୟମ କରୁଛି। ୧୨୦ ଷ୍ଟାଣ୍ଡ୍‌ରେ ୨ ହଜାର ‘ମୋ ସାଇକେଲ୍‌’ ଛିଡ଼ା ହୋଇଛି। ବାଧା ରହିତ ସାଇକେଲ୍‌ ଚାଳନା ପାଇଁ ପୂର୍ତ୍ତ ବିଭାଗ ୩୦ କିଲୋମିଟରରୁ ଊର୍ଦ୍ଧ୍ବ ଲମ୍ବା ଟ୍ରାକ୍‌ ତିଆରି କରିଛି। ହେଲେ ସେଥିରୁ ୫କିଲୋମିଟର ଟ୍ରାକ୍‌ ବି ଫାଙ୍କା ନାହିଁ। ଅଧିକାଂଶ ସାଇକେଲ୍‌ ଟ୍ରାକ୍‌କୁ ପାର୍କିଂ ପାଇଁ ନିଲାମ କରି ଦେଇଛି ବିଏମ୍‌ସି। ଆଉ କିଛି ଜାଗାରେ ସାଇକେଲ୍‌ ଟ୍ରାକ୍‌କୁ ଉଠାଦୋକାନୀଙ୍କୁ ବେପାର ପସରା ମେଲାଇବାକୁ ଟେକି ଦିଆଯାଇଛି।

ଏଜି ଛକରୁ ରାଜମହଲ ଦେଇ ଲୁଇସ୍‌ ରୋଡ୍‌ ପର୍ଯ୍ୟନ୍ତ ରାସ୍ତା ବାମ ପାର୍ଶ୍ବରେ ଟ୍ରାକ୍‌ ତିଆରି ହୋଇଥିଲା। ଟ୍ରାକ୍‌‌ରେ ନାଲି ରଙ୍ଗ ଦିଆଯିବା ସହ ସାଇକେଲ୍‌ ଚିତ୍ର ତିଆରି କରାଯାଇ କେବଳ ସାଇକେଲ୍‌ ଚାଳକଙ୍କ ପାଇଁ ସମର୍ପିତ କରାଯାଇଥିଲା। ଏହି ରାସ୍ତାକୁ ମରାମତି କଲା ବେଳେ ପୂର୍ତ୍ତ ବିଭାଗ ସାଇକେଲ୍‌ ଟ୍ରାକ୍‌ ଉପରେ ପିଚୁ ପକାଇ ଦେଇଛି। ଟ୍ରାକ୍‌ ଲିଭି ଯିବା ପରେ ୟୁନିଟ୍‌-୨ ମାର୍କେଟ୍‌ ପାଖରେ ଏହି ଟ୍ରାକ୍‌କୁ ପାର୍କିଂ ପାଇଁ ବିଏମ୍‌ସି ନିଲାମ୍‌ କରିଦେଇଛି। ମାର୍କେଟ୍‌ ବିଲ୍ଡିଂ ସାମ୍ନାରୁ ରାଜମହଲ ଫ୍ଲାଏଓଭର୍‌ ପର୍ଯ୍ୟନ୍ତ ରାସ୍ତା ଉପରେ ପାର୍କିଂ, ଫୁଟ୍‌ପାଥ୍‌ରେ ଶହ ଶହ ଦୋକାନୀ।

ଏଣୁ ଏହି ରାସ୍ତାରେ ସାଇକେଲ୍‌ ଚାଳନା ଅସମ୍ଭବ ହୋଇଛି। ଆଉ ଏକ ପ୍ରମୁଖ ରାସ୍ତା ହେଉଛି ଏଜି ଛକରୁ ଆଚାର୍ଯ୍ୟ ବିହାର। ପ୍ରଶାସନ ଏହାକୁ ଭିଆଇପି ରୋଡ୍‌ ଆଖ୍ୟା ଦେଇଥିବା ବେଳେ ଟପୋଗ୍ରାଫି ଦୃଷ୍ଟିରୁ ସାଇକେଲ୍‌ ଚାଳକ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। ଏହି ରାସ୍ତାରେ କେଶରୀ ହଲ୍‌ ସାମ୍ନା ସାଇକେଲ୍‌ ଟ୍ରାକ୍‌କୁ କମିସନରେଟ୍‌ ପୁଲିସ ବର୍ଷ ବର୍ଷ ଧରି ଜବରଦଖଲ କରିଛି। ଏଠାରେ ୪ଟି କାଠ ବାରିକେଡ୍‌ ରଖିଛି। ଫଳରେ ଏହି ରାସ୍ତାରେ ମଧ୍ୟ ସାଇକେଲ୍‌ ଚାଳନା ସମ୍ଭବ ନୁହେଁ। ସାଇକେଲ୍‌ ଚାଳକ ପସନ୍ଦ କରୁଥିବା ଆଉ ଦୁଇଟି ଟ୍ରାକ୍‌ ହେଉଛି ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍‌ପିଟାଲ ଛକ ଓ ଜୟଦେବ ବିହାରରୁ କଳିଙ୍ଗ ହସ୍‌ପିଟାଲ ଛକ। ଏଠାରେ ମଧ୍ୟ ବିଚିତ୍ର ଅବସ୍ଥା। ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍‌ପିଟାଲ ପର୍ଯ୍ୟନ୍ତ ରାସ୍ତାରେ ଅଟୋ, ବସ୍‌ ଓ କାର୍‌ ପାର୍କିଂ ହେଉଛି।

ଆଜି ବିଶ୍ବ ସାଇକେଲ୍‌ ଦିବସ ଅବସରରେ ସାଇକେଲ୍‌ ଚାଳନା ପ୍ରତି ଅନାଗ୍ରହର କାରଣ ଖୋଜୁ ଖୋଜୁ ଏଭଳି କିଛି ଅଭାବନୀୟ ଦୃଶ୍ୟ ସମ୍ବାଦ କ୍ୟାମେରା ଲେନ୍ସରେ କଏଦ୍‌ ହୋଇଛି।

ସମ୍ବନ୍ଧିତ ଖବର