ମାର୍କେଟ ବିଲ୍‌ଡିଂ ପାଇଁ ପଞ୍ଚସୂତ୍ରୀ ଫର୍ମୁଲା

ଭୁବନେଶ୍ବର: ମାର୍କେଟ୍ ବିଲଡିଂରେ ଏବେ ସବୁ ଦୋକାନ ବଜାର ଖୋଲିଯାଇଥିବାବେଳେ ଲୋକଙ୍କ ଗହଳି ଜମୁଛି। ତେଣୁ ଗ୍ରାହକ ଓ ବ୍ୟବସାୟୀ ସଚେତନ ହେଲେ ହିଁ କରୋନାକୁ ମୁକାବିଲା କରିହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍‌ଡିଂ ବ୍ୟବସାୟୀଙ୍କୁ ପଞ୍ଚସୂତ୍ରୀ ଫର୍ମୁଲା ଦିଆଯାଇଛି। ବିଏମ୍‌ସିର ଅତିରିକ୍ତ କମିସନର ପାରୁଲ ପଟୱାରି କହିଛନ୍ତି ଯେ, ଦୋକାନ ଚାରିକଡ଼େ ବ୍ୟାରିକେଡ୍‌ କରିବା ଏବଂ ଚଟାଣରେ ଗ୍ରାହକ (ସାମାଜିକ ଦୂରତା ରଖି) ଛିଡ଼ା ହେବାକୁ ଚିହ୍ନ ଦେବା, ଦୋକାନ ବାହାରେ ସାନିଟାଇଜର ରଖିବା, ବିନା ମାସ୍କରେ ଆସୁଥିବା ଲୋକଙ୍କୁ ଜିନିଷ ଦେବାନି, ଗ୍ରାହକଙ୍କ ସବିଶେଷ ସୂଚନା ରଖିବା ଏବଂ ହାତରେ ଗ୍ଲୋବ୍‌ସ ପିନ୍ଧି ସାମଗ୍ରୀ କିଣାବିକା କରିବା, ଦୋକାନକୁ ପ୍ରତିଦିନ ବିଶୋଧନ କରିବା। ଏହି ପଞ୍ଚସୂତ୍ରୀ ଉପାୟ ଆପଣାଇଲେ କରୋନାକୁ ନିୟନ୍ତ୍ରଣ କରିହେବ। ବିଏମ୍‌ସି ପକ୍ଷରୁ ଆୟୋଜିତ ଏହି ସମ୍ପର୍କ ବୈଠକରେ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ସୁବ୍ରତ ପଣ୍ଡା, ବିଡିଏର ଅତିରିକ୍ତ କମିସନର ହରୀଶ ଚନ୍ଦ୍ର ନାୟକ, ବିଏମ୍‌ସିର ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ, ବିଏମ୍‌ସିର ଆସିଷ୍ଟାଣ୍ଟ କମିସନର ଲିଲନ ସାହୁ, ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ଉପସଭାପତି ଅଜିତ ମହାନ୍ତି, ସମ୍ପାଦକ ଶିଶିର ପଣ୍ଡା ପ୍ରମୁଖ ଯୋଗଦେଇ ବ୍ୟବସାୟୀ, ଗ୍ରାହକମାନଙ୍କୁ ସଚେତନ କରାଇଥିଲେ।

ସମ୍ବନ୍ଧିତ ଖବର