ଖଣ୍ଡଗିରି: ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଗଲା ଘାଟିକିଆ ବିଏମ୍‌ସି ବଜାର। ସିଆର୍‌ପି ଛକରେ ଯେଉଁମାନଙ୍କ ଦୋକାନ ଭଙ୍ଗାଯାଇଥିଲା, ସେମାନଙ୍କୁ ଦୋକାନ ଆବଣ୍ଟନ କରାଗଲl। ହେଲେ ବେପାର ନହେବାର ଆଶଙ୍କା କରି ଦୋକାନୀ ଦୋକାନ ଖୋଲିଲେ ନାହିଁ। ଯେଉଁମାନେ ଦୋକାନ ନ ଖୋଲିଲେ, ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କ ଦୋକାନ ମାଲିକାନା ବାତିଲ କରି ପୁଣି ଥରେ  ଅନ୍ୟମାନଙ୍କୁ ଦେଲେ। ସେମାନେ ଦୋକାନ ନ ଖୋଲିବାରୁ ଲଟେରି ମାଧ୍ୟମରେ ପୁଣି ଥରେ ଆବଣ୍ଟନ କଲେ। ତିନି ତିନିଥର ଆବଣ୍ଟନ ପରେ ମଧ୍ୟ ଘାଟିକିଆ ବିଏମ୍‌ସି ବଜାରର ଭାଗ୍ୟ ଖୋଲୁନାହିଁ। ହିତାଧିକାରୀ ଦୋକାନ ଖୋଲୁ ନଥିବାରୁ  ବାରମ୍ବାର ନୂତନ ହିତାଧିକାରୀ ଚୟନ ହେଉଛନ୍ତି। ହେଲେ ଫଳ ଶୂନ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶୀ କାର୍ଯ୍ୟ ପାଇଁ ବିଏମ୍‌ସିର ଅଢ଼େଇ କୋଟି ଟଙ୍କା ବରବାଦ୍‌ ହେଲା ବୋଲି ଏବେ ଚର୍ଚ୍ଚା ହେଉଛି। 

Advertisment

ସିଆର୍‌ପି ଛକରୁ ଭିଆଇପି କଲୋନି ଆଡ଼କୁ ଯିବାବେଳେ ବାମପଟେ ଥିବା ଉଠାଦୋକାନ ହଟାଯିବାକୁ ନିଷ୍ପତ୍ତି ହୋଇଥିଲା। ସର୍ଭେ ହେବା ପରେ ସେଠାରୁ ୪୫ ଦୋକାନୀଙ୍କୁ ଥଇଥାନ କରିବାକୁ ତାଲିକାଭୁକ୍ତ କରାଯାଇଥିଲା। ଏମାନଙ୍କୁ ଥଇଥାନ କରିବା ପାଇଁ ବିଏମ୍‌ସି ଘାଟିକିଆରେ ବଜାର ନିର୍ମାଣ କରିଥିଲା। ଅଢ଼େଇ କୋଟି ବ୍ୟୟରେ ୨୨ ଦୋକାନ ଓ ୪୦ ପିଣ୍ଡି ତିଆରି ହେଲା।  ହେଲେ ୧୦ କିମି ଦୂରହେବାରୁ ଏଠାକୁ ଆସିବା ପାଇଁ କେହି ରାଜି ହେଲେ ନାହିଁ। ବିଏମ୍‌ସି ମନଇଚ୍ଛା ଆଲଟ୍‌ କରିଦେଇଥିବାରୁ ଦୁଇଜଣ ଗ୍ରହଣ କଲେ ଓ ୪୩ ଜଣ ଏହି ନିଷ୍ପତ୍ତିକୁ ଗ୍ରହଣ କଲେ ନାହିଁ। ଶେଷରେ ବ୍ୟବସାୟୀମାନେ ଆସିବାକୁ ଅମଙ୍ଗ ହେବାରୁ ୪୩ ଦୋକାନୀଙ୍କ ଆଲଟ୍‌ମେଣ୍ଟ ବାତିଲ ହୋଇଥିଲା। ଏହା ଫେଲ୍‌ ମାରିବା ପରେ ଅନ୍ୟ ସ୍ଥାନରୁ ବାଛି ବାଛି ଆଣିବା ପାଇଁ ଯୋଜନା କଲେ। ସେଥିରେ ବି ସଫଳ ହେଲେନି।  ଦୁଇ ଦୁଇ ଥର ଫେଲ୍‌ ମାରିବା ପରେ ନୂଆ କରି ଆବଣ୍ଟନ କରିବାକୁ ‌ଯୋଜନା ହେଲା। ଟାଉନ୍‌ ଭେଣ୍ଡିଂ କମିଟିର ଜଣେ ସଦସ୍ୟ ଏହି ପ୍ରକ୍ରିୟା ଭିତରେ ପ୍ରବେଶ କରି ଖଣ୍ଡଗିରିବାରି, ଖଣ୍ଡଗିରି ଛକ, ବିପୁଲ ଗାର୍ଡେନ୍‌ ଛକ, ଜୟଦେବ ବାଟିକା, ନାକା ଗେଟ୍‌, କଳିଙ୍ଗନଗର, ସିଇଟି କଲେଜ୍‌ ରୋଡ୍‌ ପ୍ରଭୃତି ଅଞ୍ଚଳରୁ ୬୨ ଜଣ ବ୍ୟବସାୟୀଙ୍କୁ ଚିହ୍ନଟ କରିଥିଲେ। ସେହି ତାଲିକା ଆଧାରରେ ତୃତୀୟଥର ୨୦୨୪ ଡିସେମ୍ବରରେ ଲଟେରି ହେଲା। ଘଟଣାକୁ ବର୍ଷେ ବିତିଲାଣି। ତଥାପି ଦୋକାନଘର ପାଇଥିବ‌ା ଦୋକାନୀ ଆସୁନାହାନ୍ତି କିଂବା ଦୋକାନ ଖୋଲୁନାହାନ୍ତି।

ପିଣ୍ଡିପାଇଥିବା ଜଣେ ଫଳ ବ୍ୟବସା‌ୟୀଙ୍କ କହିବା‌ କଥା, ପିଣ୍ଡିରେ ଦୋକାନ ଖୋଲିଲେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଗ୍ରାହକ ବସିବାକୁ ମଧ୍ୟ ସ୍ଥାନ ନାହିଁ। ସେଠାରେ ଦୋକାନ ଖୋଲିବ‌ା ସମ୍ଭବ ନୁହେଁ। ଦୋକାନ ଖୋଲିଥିବା ଅଜୟ କୁମାରଙ୍କ କହିବା କଥା, ୫ ବର୍ଷ ମହାବୀର ଛକରେ ଦୋକାନ କରିଥିଲି। ସେଠାରେ ଦିନକୁ ୩.୫ହାଜରରୁ ଅଧିକ ଟଙ୍କା ରୋଜଗାର ହେଉଥିଲା। ହେଲେ ଏଠାରେ କେହି ଆସୁନାହାନ୍ତି। ୮.୫ ହଜାର ଟଙ୍କା ଜମା ରଖିବା ପରେ ମା‌ସିକ ଭଡ଼ା ବାବଦକୁ ବିଏମ୍‌ସିକୁ ୭୦୦ ଟଙ୍କା ‌ଦେବାକୁ ପଡ଼ୁଛି। ବିଜୁଳି ଓ ପାଣି ବିଲ୍‌ ପୁଣି ଅଲଗା। ‌