ଭୁବନେଶ୍ବର: ଆସନ୍ତାକାଲି (ସୋମବାର) ସ୍ବାୟତ୍ତ ଶାସନ ଦିବସ। ରାଜ୍ୟର ସବୁଠୁ ବଡ଼ ପୌରସଂସ୍ଥା ତଥା ସବୁଠୁ ଅଧିକ ପ୍ରକଳ୍ପ କରୁଥିବା, ଅଧିକ ରାଜସ୍ବ ଆଦାୟ ଓ ଅଧିକ ଅର୍ଥ ବ୍ୟୟ କରୁଥିବା ଭୁବନେଶ୍ବର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସକୁ ପୂରା ଆଡ଼ମ୍ବରରେ ପାଳନ କରେ। ତିନି ଦିନ ଲାଗି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ, ଶିଳାନ୍ୟାସ ହୁଏ। ରାଜଧାନୀବାସୀ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ବିଏମ୍ସି କ’ଣ ଭେଟିଦେଉଛି। କିନ୍ତୁ ଏଥର ସେମିତି କିଛି ହେବନି। କେବଳ ବିଏମ୍ସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନକୁ ଛାଡ଼ିଦେଲେ କିଛି ପ୍ରକଳ୍ପ ଉଦ୍ଘାଟନ ହେବନାହିଁ ବୋଲି ଜଣାପଡ଼ିଛି। ବିଏମ୍ସି ଇତିହାସରେ କେବେ ଏମିତି ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇନଥିଲା।
କିନ୍ତୁ ଏଥର କରୋନା ମହାମାରୀ ଯୋଗୁଁ ସବୁ ଉପରେ ରୋକ୍ ଲାଗିଯାଇଛି। ନୂଆ ପ୍ରକଳ୍ପ କରିବାକୁ ଅର୍ଥ ନଥିବାରୁ ଏଥର କିଛି ନୂଆ ପ୍ରକଳ୍ପ ଯୋଜନା ହୋଇନି। କିଛି ପ୍ରକଳ୍ପ ବି ନିକଟରେ ହୋଇନି। କେବଳ ୧୧ଟି କମ୍ପୋଷ୍ଟ ପ୍ଲାଣ୍ଟ ଓ ୧୦ଟି ଏମ୍ଆରଏଫ୍ କେନ୍ଦ୍ର ନିର୍ମାଣ ହୋଇଥିବାରୁ ଏହାକୁ ଉଦ୍ଘାଟନ କରିବାକୁ ଯୋଜନା ହୋଇଥିଲା। ହେଲେ ଏହା ବି ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଥିବା ଜାଣିବାକୁ ମିଳିଛି। ଗତ ଦୁଇ ବର୍ଷ ହେଲା ବିଏମ୍ସି ସ୍ବାୟତ୍ତ ଶାସନ ଦିବସରେ ମାଳ ମାଳ ପ୍ରକଳ୍ପ ଉଦ୍ଘାଟନ କରୁନଥିଲେ ବି କିଛି ପ୍ରକଳ୍ପ ଉଦ୍ଘାଟନ କରୁଥିଲା। ଥରେ ଲଗାଣ ବର୍ଷା ଜନିତ ବିତ୍ପତ୍ତି ଏବଂ ବାତ୍ୟା ଫନି ପାଇଁ ହାତଗଣତି ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଥିଲା। କିନ୍ତୁ ଏଥର କରୋନା ସବୁ ଉପରେ ରୋକ୍ ଲଗାଇଦେଲା। କେବଳ ବିଏମ୍ସି ପ୍ରଶାସକ ବିଏମ୍ସି ଅଫିସରେ ପତାକା ଉତ୍ତୋଳନ କରିବେ। ଏଥିରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/bmc.jpg)