ଖଣ୍ଡଗିରି: ଡୁମୁଡ଼ୁମାରେ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରି ବିଏମ୍ସି କୋଟିଏ ଟଙ୍କା ବରବାଦ୍ କରିଛି। ଏଠାରେ ଭେଣ୍ଡିଂ ଜୋନ୍ ନିର୍ମାଣ ହେବା ଦିନଠାରୁ ଅଧିକାଂଶ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି। ଉଦ୍ଘାଟନୀ ଦିବସରେ ୩୪ ଜଣ ମହିଳା ଯାହା ଦୋକାନ ଖୋଲିଥିଲେ। ତା’ପରଠାରୁ କେଉଁଦିନ ୫ଟି ଦୋକାନ ଖୋଲୁଛି ତ କେଉଁଦିନ ଗୋଟିଏ ମଧ୍ୟ ଖୋଲୁନାହିଁ। ବେପାର ହେବାର ଆଶା ନଥିବା ଏଭଳି ସ୍ଥାନରେ ଭେଣ୍ଡିଂ ଜୋନ୍ ଆଦୌ ଖୋଲିବା ଉଚିତ ନଥିଲା। କେବଳ ଠିକାଦାରଙ୍କୁ ଉପକୃତ କରିବାଲାଗି ଏହି ଯୋଜନା କରାଯାଇଥିବା ଅଭିଯୋଗ ହେଉଛି। ଏଠାରେ ବ୍ୟବସାୟୀମାନେ ଦୋକାନ ଖୋଲୁ ନଥିବା ଅଭିଯୋଗ ହେବାପରେ ଯେଉଁମାନେ ଦୋକାନ ଖୋଲୁ ନଥିଲେ ସେମାନଙ୍କ ଆବଣ୍ଟନ ବାତିଲ୍ କରି ବିଏମ୍ସି ନୂତନ ହିତାଧିକାରୀଙ୍କୁ ଦେଲା। ଦୋକାନ ନଖୋଲିଲେ ଆବଣ୍ଟନ ବାତିଲ୍ ହେବ ଜାଣିବା ପରେ ମଧ୍ୟ ନୂଆ ବ୍ୟବସାୟୀମାନେ ଦୋକାନ ଖୋଲୁନାହାନ୍ତି। ଏବେବି ୨୦ ଦୋକାନରେ ସ୍ଥାୟୀଭାବେ ତାଲା ଝୁଲୁଛି। ଅର୍ଥାତ୍ ପୁଣି ଦୋକାନ ଖୋଲୁନଥିବା ବ୍ୟବସାୟୀଙ୍କ ଆବଣ୍ଟନ ବାତିଲ୍ କରି ନୂତନ ବ୍ୟବସାୟୀଙ୍କୁ ଦିଆଯିବ।
ଗତ ୨୦ ମାସର ବ୍ୟବସାୟରୁ ଯାହା ଜଣା ପଡୁଛି, ଏଠାରେ ଆଶାଜନକ ବେପାର ହେଉନାହିଁ। ତେଣୁ ଏହାକୁ ଯେତେଥର ନୂତନ ହିତାଧିକାରୀଙ୍କୁ ଦେଲେ ମଧ୍ୟ ପରିସ୍ଥିତି ସମାନ ରହିବ ଓ ବେପାର ହେବନାହିଁ। କୋଟିଏ ଟଙ୍କାରେ ତିଆରି ହୋଇଥିବା ଏହି ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ନା ସ୍ଥାନୀୟ ଲୋକଙ୍କ କାମରେ ଲାଗୁଛି ନା ବ୍ୟବସାୟୀ ରୋଜଗାର ପାଉଛନ୍ତି। ବିଏମ୍ସି ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ତିଆରି ହୋଇଥିବା ଏ ଭେଣ୍ଡିଂଜୋନ୍ ଦ୍ବାରା କେବଳ ଠିକାଦାରଙ୍କୁ ପୋଷିବା ଛଡ଼ା ଆଉ କାହାର ଲାଭ ହେଉନାହିଁ। ଦାୟିତ୍ବରେ ଥିବା ବିଏମ୍ସିର ଅପାରଗ ଅଧିକାରୀଙ୍କ ପାଇଁ ଏତେ ଗୁଡ଼ିଏ ଟଙ୍କା ପାଣିରେ ପଡ଼ିଲା ବୋଲି ଅଭିଯୋଗ ହୋଇଛି।
୨୦୨୩ ମସିହା ଏପ୍ରିଲ ୧୯ ତାରିଖରେ ରାଜ୍ୟର ଏହି ପ୍ରଥମ ମହିଳା ଭେଣ୍ଡିଂ ଜୋନ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଉଦ୍ଦେଶ୍ୟ ଥିଲା ଏହି ଭେଣ୍ଡିଂ ଜୋନ୍ରେ ମିସନ୍ ଶକ୍ତି ଯୋଜନାରେ ରାଜଧାନୀର ପ୍ରତ୍ୟେକ ଜୋନ୍ରେ ଭଲ କାର୍ଯ୍ୟ କରୁଥିବା ଏସ୍ଏଚ୍ଜିଙ୍କୁ ଏଠାରେ ବ୍ୟବସାୟ କରିବାକୁ ସୁଯୋଗ ଦେବା। ମହିଳା ବ୍ୟବସାୟୀମାନେ ମାଣ୍ଡିଆ, ମୁଢ଼ି, ସିଲେଇ ସାମଗ୍ରୀ, ବଡ଼ି, ପାମ୍ପଡ଼ ପ୍ରଭୃତି ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି କରିବେ। ବିକ୍ରି ପାଇଁ ଲଟେରି ମାଧ୍ୟମରେ ଦୋକାନ ବଣ୍ଟନ ମଧ୍ୟ କରାଗଲା। ୪୧ କିଓସ୍କରୁ ୩ଟି ଜୋନ୍ର ୩୪ଟି କିଓସ୍କକୁ ଏସ୍ଏଚ୍ଜିଙ୍କୁ ଆବଣ୍ଟିତ ହୋଇଥିଲା। ଏଥିରୁ କେବଳ ୫ ଜଣହିଁ ଦୋକାନ ଖୋଲିଲେ।
ଅନ୍ୟମାନେ ନ ଆସିବାରୁ ୨୦୨୪ ଜାନୁଆରି ମାସରେ କ୍ରମାନ୍ୱୟରେ କିଓସ୍କଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରି ବ୍ୟବସାୟ କରୁନଥିବା କଥା ତଦନ୍ତ କରି ଦକ୍ଷିଣ-ପଶ୍ଚିମ ମଣ୍ଡଳ ଜାଣିବା ପରେ ୧୧ଟି କିଓସ୍କର ଆବଣ୍ଟନ ଖାରଜ କରାଯାଇଥିଲା। ସେହି ସ୍ଥାନରେ ମଣ୍ଡଳ ଦ୍ୱାରା ପ୍ରସ୍ତୁତ ସ୍ଥାନୀୟ ୱାର୍ଡ଼ର ଯୋଗ୍ୟ ମହିଳା ଉଦ୍ୟୋଗୀଙ୍କୁ ଲଟେରୀ ମାଧ୍ୟମରେ ଆବଣ୍ଟନ କଲା। ହେଲେ ଦୂରଦୂରାନ୍ତରୁ ଆସୁଥିବା ମହିଳାଙ୍କ ପାଇଁ ଏଠାରେ ଦୋକାନ କରିବା ସହଜ ହେଲାନାହିଁ। ଯାହା ବିକିଲେ ମଧ୍ୟ ବେପାର ହେଲାନାହିଁ। ଫଳରେ ଘାଟାରେ ଦୋକାନ ନ ଖୋଲି ସେମାନେ ଦୋକାନରେ ତାଲା ମାରି ଚାଲିଗଲେ। ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କ ଅନୁସାରେ, ସେ ପ୍ରଥମେ ଚାନ୍ଦୁଆ ବିକ୍ରି କରୁଥିଲେ। ଗ୍ରାହକ ନ ଆସିବାରୁ ତାଙ୍କର କ୍ଷତି ହେଲା। ତେଣୁ ସେ ଏବେ ସିଲେଇ କରି ପୋଷାକ ବିକ୍ରି କରୁଛନ୍ତି। ଅଣ୍ଡା ଓ ଲଣ୍ଡ୍ରିଂ ଭଳି ଦୋକାନ ଖୋଲିଛି ସତ, ହେଲେ ଯେଉଁଭଳି ବ୍ୟବସାୟ ହେବାକଥା ହେଉନାହିଁ। ବର୍ତ୍ତମାନ ଖୋଲୁଥିବା ୨୧ଟି ଦୋକାନରୁ ଫାଷ୍ଟଫୁଡ୍ ଦୋକାନ, ସିଲେଇ ଦୋକାନ, ଜୁସ୍ ଓ ପୂଜା ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ଦୋକାନଗୁଡ଼ିକ କେବଳ ବେଳେବେଳେ ହିଁ ଖୋଲୁଛନ୍ତି।