୩୭ ସମ୍ବେଦନଶୀଳ ଅଞ୍ଚଳ ପାଇଁ ବିଏମ୍‌ସିର ବ୍ଲୁ ପ୍ରିଣ୍ଟ

ବିଏମ୍‌ସି, ବିଡିଏ ଓ ସ୍ମାର୍ଟ ସିଟି ଅଧିକାରୀଙ୍କୁ ବଣ୍ଟା ହେଲା ଦାୟିତ୍ବ

ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳ ଦାୟିତ୍ବରେ ଯନ୍ତ୍ରୀ, ଅଧିକାରୀ
ଭୁବନେଶ୍ବର: ମୌସୁମୀ ଆସିବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ କହିଥି‌େଲ ଯେ, ବର୍ଷା ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ଏଥିପାଇଁ ପୂର୍ବ ଅଭିଜ୍ଞତାକୁ ଭିତ୍ତିକରି ଚିହ୍ନଟ ହୋଇଥିବା ୩୭ଟି ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପାଣିପମ୍ପ ମୁତୟନ ହୋଇଛି। କେଉଁଠି ବି ପାଣି ଜମିବନି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏହି ଯୁକ୍ତିକୁ ସୁହାଇଲା ଦିନିକିଆ ମୌସୁମୀ ବର୍ଷା। ମୌସୁମୀ ଛୁଇଁବା ସମୟରେ ଦିନଟିଏ ବର୍ଷା ହେବାରୁ କୌଣସି ସ୍ଥାନରେ ବି ପାଣି ଜମିଲାନି। ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ ଖୋଲାଫାଙ୍କା ହୋଇଗଲେ। ହେଲେ ଦୁଇ ଦିନ ତଳେ ହୋଇଥିବା ବର୍ଷାରେ ବିଏମ୍‌ସିର ପ୍ରସ୍ତୁତିି ପଦାରେ ପଡ଼ିଲା। ସାରା ରାଜଧାନୀରେ ପାଣି ଜମିଲା। ଏପରିକି ଏଥର ବ୍ୟାପକ ଡ୍ରେନ୍ ସଫେଇ, ଜବରଦଖଲ ଉଚ୍ଛେଦ ହୋଇଥିଲେ ବି କିଛି କାମ ଦେଲାନି। ବିଏମ୍‌ସିର ଖାମଖିଆଲି ପ୍ରସ୍ତୁତି ଯୋଗୁ ମାତ୍ର ୧୬.୫ମିମି ବର୍ଷାରେ ବି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲା।

ପୂରା ରାଜଧାନୀ ଜଳମଗ୍ନ ହେବା, ଜଳ ନିଷ୍କାସନ ଠିକ୍ ଭାବେ ନହୋଇପାରିବା କାରଣରୁ ବିଏମ୍‌ସି ପକ୍ଷରୁ ଏବେ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ୩୭ଟି ଯାକ ସମ୍ବେଦନଶୀଳ ଅଞ୍ଚଳକୁ ବିଏମ୍‌ସି, ବିଡିଏ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀଙ୍କ ମଧ୍ୟରେ ବଣ୍ଟା ଯାଇଛି। ଏଥିରେ ବିଏମ୍‌ସି ଓ ବିଡିଏର ଇଞ୍ଜିନିୟରମାନଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ସେହିପରି ୱାର୍ଡ ଅଫିସର, କମ୍ୟୁନିଟି ଅଫିସରମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି। ଭୁବନେଶ୍ବର ଯେପରି ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବନି ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଏହାସହ ୩୭ଟି ଯାକ ସମ୍ବେଦନଶୀଳ ଅଞ୍ଚଳରେ ଯେପରି ତୁରନ୍ତ ପାଣି ନିଷ୍କାସନ ହୋଇପାରିବ ସେଥିପାଇଁ ୧୨ଟି ୫ଏଚ୍‌ପି ପମ୍ପ, ୬ଟି ୧୦ଏଚ୍‌ପି ପମ୍ପ୍ ବିଏମ୍‌ସିରୁ ନିୟୋଜିତ ହୋଇଥିବାବେଳେ ଅଗ୍ନିଶମ ବିଭାଗରୁ ୧୯ଟି ପମ୍ପ ଅଣାଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ୬୭ଟି ୱାର୍ଡ ମଧ୍ୟରୁ ୩୭ଟି ସମ୍ବେଦନଶୀଳ ଅଞ୍ଚଳ ହେଲା ଶିଖରଚଣ୍ଡୀ (ତ୍ରିନାଥ ନଗର), ରୁଦ୍ରପୁର (ଭୋଇସାହି), ମଙ୍ଗଳାମନ୍ଦିର, ଶାଶ୍ବତ ବିହାର/ଅମରାପଲ୍ଲୀ ଅଞ୍ଚଳ/ପଦ୍ମାବତୀ ବିହାର, ମହାବୀର ବସ୍ତି, ମେ’ ଫେୟାର (ଜ୍ୟୋତ୍ସା‌ ଆପାର୍ଟମେଣ୍ଟ/ ଘନଶ୍ୟାମ ଆପାର୍ଟମେଣ୍ଟ), ପବିତ୍ର ଗେଷ୍ଟ ହାଉସ୍, ଶ୍ରୀରାମ ସିଟି, ଖଣ୍ଡଗିରି ବାରି, ଇସ୍କନ ମନ୍ଦିର, ନୂଆପଲ୍ଲୀ ବେହେରା ସାହି (ତାରିଣୀ ମନ୍ଦିର), ରାଧାକୃଷ୍ଣ ନଗର, ନୂଆପଲ୍ଲୀ ଭୋଇ ସାହି, କ୍ରିଷ୍ଣା ଟାୱାର ପଛ (ଖିମ୍‌ଜି ଗଳି), ଜୟଦେବ ବିହାର (ଲେନ୍-୩), ବୈରାଗୀ ନଗର, ଝାରପଡ଼ା (ଶାନ୍ତି ନଗର), ଗାୟତ୍ରୀ ନଗର, ମାଳି ସାହି ଲେପ୍ରୋସି କଲୋନି, ଲକ୍ଷ୍ମୀ ସାଗର (ମଳିଅନ୍ତା ଟ୍ୟାଙ୍କ ପାଖ/ଚମ୍ପା ପୋଖରୀ), ପାଇକ ନଗର (ମୁଣ୍ଡା ସାହି), ପାଇକ ନଗର, ଶତାବ୍ଦୀ ନଗର, ରବୀନ୍ଦ୍ର ଗାର୍ଡେନ୍, ଗଡ଼ିଆ ଖାଲ/ଅଢେଇ ଖାଲ/ପାଣ୍ଡବ ନଗର, ସ୍ଲାବ୍ ଇଣ୍ଡଷ୍ଟ୍ରି (ଡ୍ରେନ୍ ପଛ), ଗୌରୀ ନଗର (ଲେନ୍-୧), ଗୌରୀ ଗାର୍ଡେନ୍, ଗ୍ୟାରେଜ୍ ଛକ (ଦୟା ୱେଷ୍ଟ କେନାଲ), ଶାରଦା ମଠ ଲେନ୍, କେଳୁ ଚରଣ ମହାପାତ୍ର ପାର୍କ (ଆଗ ଲେନ୍), ଚାରିଛକ ଭୀମଟାଙ୍ଗି (ଲେନ୍-୭), ଗୌରୀ ଶଙ୍କର ଇଂରାଜୀ ମାଧ୍ୟମିକ ସ୍କୁଲ, ମଲ୍ଲିକ କମ୍ପ୍ଲେକ୍ସ, ପଞ୍ଚଶାଖା ନଗର, ଜଗମୋହନ ନଗର (ଗ୍ରିନ୍ ପାର୍କ ଅଞ୍ଚଳ) ଏବଂ ନରେନ୍ଦ୍ର ଗାର୍ଡେନ- ସିଦ୍ଧେଶ୍ବର ଗାର୍ଡେନ।

ସେହିପରି ଗତ ଦୁଇ ଦିନ ବର୍ଷା ହେବାରୁ ୧୨ଟି ସମ୍ବେଦନଶୀଳ ଅଞ୍ଚଳରେ ୧୭ଟି ପାଣି ପମ୍ପ ମୁତୟନ କରାଯାଇଛି।ଅପରପକ୍ଷେ ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି ଯେ, ଇସ୍କନ ମନ୍ଦିର ନିକଟରେ ପାଣି ଜମିବାର ମୁଖ୍ୟ କାରଣ ହେଲା ଜାତୀୟ ରାଜପଥରେ ନିର୍ମାଣ ହୋଇଥିବା ଫ୍ଲାଇ ଓଭର। ଆଇଆରସି ଭିଲେଜ୍‌ ଅଞ୍ଚଳରୁ ପ୍ରାୟ ୫୨ହେକ୍ଟର ପାଣି ଆସୁଥିବାବେଳେ ଏହାର ନିଷ୍କାସନ ପାଇଁ ଗୋଟିଏ ମାତ୍ର ସାଇଫନ୍ ନିର୍ମାଣ ହୋଇଛି। ଯାହାଦ୍ବାରା ଏହି ଅଞ୍ଚଳରୁ ତୁରନ୍ତ ପାଣି ନି‌ଷ୍କାସନ ହୋଇପାରୁନି।

ସମ୍ବନ୍ଧିତ ଖବର